ଦାଦାବଟି ଆଦାୟ ଓ ଚୋରି ଘଟଣାରେ ଜୟପୁର ପୁଲିସର ବଡ଼ କାର୍ଯ୍ୟାନୁଷ୍ଠାନ । ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍ ପଠାଇଛି ଜୟପୁର ଟାଉନ ଥାନା ପୁଲିସ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ୮ଟି ବାଇକ୍ ସହ ବିପୁଳ ଚୋରି ସାମଗ୍ରୀ ଜବତ ହୋଇଛି ।
ଦାଦାବଟି ଆଦାୟ ଓ ଚୋରି ଘଟଣାରେ ଜୟପୁର ପୁଲିସର ବଡ଼ କାର୍ଯ୍ୟାନୁଷ୍ଠାନ । ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍ ପଠାଇଛି ଜୟପୁର ଟାଉନ ଥାନା ପୁଲିସ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ୮ଟି ବାଇକ୍ ସହ ବିପୁଳ ଚୋରି ସାମଗ୍ରୀ ଜବତ ହୋଇଛି । ପୁଲିସର ସୂଚନା ଅନୁସାରେ, ଦାଦାବଟି ଆଦାୟ ଓ ଚୋରି ଭଳି ଅପରାଧରେ ସମ୍ପୃକ୍ତ ଥିବା ଅଭିଯୋଗରେ ସହରର ବିଭିନ୍ନ ଅଞ୍ଚଳରୁ ୯ ଜଣଙ୍କୁ ଧରିଛି ପୁଲିସ । ଗିରଫ ଅଭିଯୁକ୍ତମାନଙ୍କ ବୟସ ୨୦ରୁ ୨୮ ବର୍ଷ ମଧ୍ୟରେ ରହିଛି । ସେମାନଙ୍କ ନିକଟରୁ ୮ଟି ବାଇକ୍, ୧୫ ବସ୍ତା ବାସୁମତୀ ଚାଉଳ, ନଗଦ ୨୦ ହଜାର ୫୦୦ ଟଙ୍କା ଏବଂ ଗୋଟିଏ ଛୁରୀ ଜବତ କରିଛି ପୁଲିସ । ଏହି ଅଭିଯୁକ୍ତମାନଙ୍କୁ ୪ଟି ଭିନ୍ନ ମାମଲାରେ ଗିରଫ କରାଯାଇଛି ।
ଗିରଫ ପରେ ସମସ୍ତଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଜେଲ୍ ପଠାଯାଇଛି । ତେବେ ଏହି ଗ୍ୟାଙ୍ଗ୍ର ଅନ୍ୟ କୌଣସି ଅପରାଧିକ କାର୍ଯ୍ୟକଳାପ ସହ ସମ୍ପର୍କ ରହିଛି କି ନାହିଁ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି । ଜୟପୁର ସହରରେ ଚୋରି ଓ ଦାଦାବଟି ଭଳି ଅପରାଧ ଉପରେ ନଜର ରଖିବା ସହ ଆଗକୁ ମଧ୍ୟ ଏଭଳି ଅଭିଯାନ ଜାରି ରହିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।

