ଟାଇଗର ଶ୍ରଫ୍ ନୁହେଁ, ଟାର୍ଗେଟ୍‌ରେ ଥିଲେ ଆଉ ଜଣେ ବଡ଼ ସେଲିବ୍ରିଟି!

ଟାଇଗର ଶ୍ରଫ୍‌ଙ୍କୁ ଟାର୍ଗେଟ୍ କରିବା ପୂର୍ବରୁ ଅଭିଯୁକ୍ତମାନେ ତାଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଥିବା ଜେରାରୁ ଜଣାପଡ଼ିଛି। ଟାଇଗର ସାଧାରଣତଃ ବିନା ସୁରକ୍ଷାକର୍ମୀରେ ଯାତାୟାତ କରୁଥିବା ସମ୍ପର୍କରେ ସେମାନେ ସୂଚନା ପାଇଥିଲେ।

ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଏକ ବଡ଼ ଖୁଲାସା ହୋଇଛି। ପୁଲିସ ଏହି ମାମଲାରେ ରାଜସ୍ଥାନର କୋଟାରୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ପରେ ଅଭିଯୁକ୍ତମାନଙ୍କୁ ଜେରା କରିବା ସମୟରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିବା ଜଣାପଡ଼ିଛି। ଅଭିଯୁକ୍ତଙ୍କ କହିବା ଅନୁଯାୟୀ, ଟାଇଗର ଶ୍ରଫ୍‌ ସେମାନଙ୍କର ପ୍ରକୃତ ଟାର୍ଗେଟ୍ ନଥିଲେ। ସେମାନେ ବଲିଉଡ୍‌ର ଅନ୍ୟ ଜଣେ ବଡ଼ ସେଲିବ୍ରିଟିଙ୍କୁ ଟାର୍ଗେଟ୍ କରିବାକୁ ଯୋଜନା କରିଥିଲେ।

ପୁଲିସର ପ୍ରାଥମିକ ଜେରା ସମୟରେ ଅଭିଯୁକ୍ତମାନେ ଏହି ଷଡ଼ଯନ୍ତ୍ର ସମ୍ପର୍କରେ ତଥ୍ୟ ଦେଇଥିବା ଜଣାପଡ଼ିଛି। ସେମାନଙ୍କ ଯୋଜନାରେ ବଲିଉଡ୍‌ର ଜଣେ ବଡ଼ ହସ୍ତୀ ରହିଥିଲେ। କିନ୍ତୁ ପୂର୍ବରୁ ନିର୍ଦ୍ଧାରିତ ଟାର୍ଗେଟ୍ ପାଖରେ ପହଞ୍ଚିବାରେ ସଫଳ ନହେବାରୁ ସେମାନେ ଟାଇଗର ଶ୍ରଫ୍‌ଙ୍କୁ ନିଶାନା କରିଥିବା ଅଭିଯୋଗ ହୋଇଛି। ତେବେ ସେହି ଅନ୍ୟ ସେଲିବ୍ରିଟି କିଏ, ତାହା ସମ୍ପର୍କରେ ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ।

ଟାଇଗର ଶ୍ରଫ୍‌ଙ୍କୁ ଟାର୍ଗେଟ୍ କରିବା ପୂର୍ବରୁ ଅଭିଯୁକ୍ତମାନେ ତାଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଥିବା ଜେରାରୁ ଜଣାପଡ଼ିଛି। ଟାଇଗର ସାଧାରଣତଃ ବିନା ସୁରକ୍ଷାକର୍ମୀରେ ଯାତାୟାତ କରୁଥିବା ସମ୍ପର୍କରେ ସେମାନେ ସୂଚନା ପାଇଥିଲେ। ଅଭିନେତାଙ୍କ ପ୍ରଶଂସକମାନେ ଇନଷ୍ଟାଗ୍ରାମ୍‌ରେ ସେୟାର କରୁଥିବା ରିଲ୍ସରୁ ଏହି ତଥ୍ୟ ସଂଗ୍ରହ କରିଥିବା ଅଭିଯୁକ୍ତମାନେ କହିଥିବା ଜଣାପଡ଼ିଛି।

ପୁଲିସ ତଦନ୍ତ ଅନୁଯାୟୀ, ବଲିଉଡ୍‌ରେ ଭୟର ବାତାବରଣ ସୃଷ୍ଟି କରିବା ପାଇଁ ଟାଇଗର ଶ୍ରଫ୍‌ଙ୍କୁ ଟାର୍ଗେଟ୍ କରାଯାଇଥିବା ଅଭିଯୋଗ ରହିଛି। ତାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ହୋଇଥିବା ମଧ୍ୟ କୁହାଯାଉଛି। ତେବେ ସୌଭାଗ୍ୟବଶତଃ ଅଭିନେତାଙ୍କୁ କେବଳ ସାମାନ୍ୟ ଆଘାତ ଲାଗିଥିବା ସୂଚନା ମିଳିଛି। ଅଭିଯୁକ୍ତମାନେ ଟାଇଗରଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍ ଉପରେ ମଧ୍ୟ ନଜର ରଖିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପଛରେ ଆଉ କେଉଁମାନଙ୍କ ହାତ ରହିଛି ଏବଂ ଅନ୍ୟ ସେଲିବ୍ରିଟିଙ୍କୁ ଟାର୍ଗେଟ୍ କରିବାର ଯୋଜନା କେତେଦୂର ଆଗେଇଥିଲା, ସେନେଇ ପୁଲିସର ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *