ଚୀନ୍ ପାଇଁ ଗୁପ୍ତଚର କରୁଥିଲା ବ୍ରିଟିଶ ଡ୍ରୋନ୍! ନାଟୋ ସୁରକ୍ଷାକୁ ନେଇ ବଡ଼ ଚିନ୍ତା

ବ୍ରିଟେନ୍‌ର ସମ୍ବେଦନଶୀଳ ସାମରିକ ବ୍ୟବସ୍ଥାରେ ଚୀନ୍ ଲିଙ୍କ୍‌କୁ ନେଇ ଉଠିଛି ସଙ୍ଗିନ ଅଭିଯୋଗ । ଶତ୍ରୁ ଦେଶ ଉପରେ ନଜର ରଖିବା ପାଇଁ ବ୍ୟବହୃତ ବ୍ରିଟିଶ ନିରୀକ୍ଷଣ ଡ୍ରୋନ୍‌ର କ୍ୟାମେରାରୁ ଚୀନ୍‌ର ଏକ ଆଇପି ଠିକଣାକୁ ନିୟମିତ ସିଗନାଲ୍ ଯାଉଥିବା ନେଇ ରିପୋର୍ଟ ସାମ୍ନାକୁ ଆସିଛି ।

 ବ୍ରିଟେନ୍‌ର ସମ୍ବେଦନଶୀଳ ସାମରିକ ବ୍ୟବସ୍ଥାରେ ଚୀନ୍ ଲିଙ୍କ୍‌କୁ ନେଇ ଉଠିଛି ସଙ୍ଗିନ ଅଭିଯୋଗ । ଶତ୍ରୁ ଦେଶ ଉପରେ ନଜର ରଖିବା ପାଇଁ ବ୍ୟବହୃତ ବ୍ରିଟିଶ ନିରୀକ୍ଷଣ ଡ୍ରୋନ୍‌ର କ୍ୟାମେରାରୁ ଚୀନ୍‌ର ଏକ ଆଇପି ଠିକଣାକୁ ନିୟମିତ ସିଗନାଲ୍ ଯାଉଥିବା ନେଇ ରିପୋର୍ଟ ସାମ୍ନାକୁ ଆସିଛି । ଏହି ଘଟଣାକୁ ନେଇ ବ୍ରିଟେନ୍‌ ସମେତ ନାଟୋର ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠିଛି ।

ରିପୋର୍ଟ ଅନୁଯାୟୀ, ବ୍ରିଟିଶ ରୟାଲ୍ ନେଭି ଓ ସ୍ୱତନ୍ତ୍ର ବାହିନୀରେ ବ୍ୟବହୃତ କେ-୩ ସ୍କାଉଟ୍ ଡ୍ରୋନ୍‌ର କ୍ୟାମେରା ସିଷ୍ଟମ୍‌ରୁ ଚୀନ୍‌ର ଏକ ଆଇପି ଠିକଣାକୁ ସିଗନାଲ୍ ପଠାଯାଉଥିବା ଜଣାପଡ଼ିଛି । ଏହି ସିଗନାଲ୍‌ ସିଷ୍ଟମ୍ ଚାଲୁ ରହିଛି ଏବଂ ଠିକ୍ ଭାବେ କାମ କରୁଛି ବୋଲି ଦର୍ଶାଇବା ପାଇଁ ଯାଉଥିବା କୁହାଯାଉଛି ।

ତେବେ ବ୍ରିଟିଶ ସରକାର ପକ୍ଷରୁ କୌଣସି ସମ୍ବେଦନଶୀଳ ତଥ୍ୟ ଲିକ୍ ହୋଇଥିବାର ପ୍ରମାଣ ମିଳିନଥିବା କୁହାଯାଇଛି । ଏହା ସତ୍ତ୍ୱେ ଡ୍ରୋନ୍‌ରେ ଚୀନ୍ ଉପାଦାନ ଓ ଚୀନ୍‌ ସହ ସମ୍ଭାବ୍ୟ ଡାଟା କନେକ୍ସନ୍‌କୁ ନେଇ ସୁରକ୍ଷା ବିଶେଷଜ୍ଞଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ପ୍ରାୟ ୧୨ ମିଲିୟନ୍ ପାଉଣ୍ଡ ଖର୍ଚ୍ଚରେ ବିକଶିତ ଏହି ସିଷ୍ଟମ୍‌କୁ ଚଳିତବର୍ଷ ମାର୍ଚ୍ଚରୁ ବ୍ୟବହାର କରାଯାଉଥିବା ରିପୋର୍ଟରେ କୁହାଯାଇଛି । ଆହୁରି ଚିନ୍ତାଜନକ ଦାବି ହେଉଛି, ଡ୍ରୋନ୍ ବନ୍ଦ ହେବା ପରେ ମଧ୍ୟ ଏହାର କ୍ୟାମେରା ସିଷ୍ଟମ୍ ସକ୍ରିୟ ରହିପାରୁଥିବା ଆଶଙ୍କା ରହିଛି । ଏହା ଫଳରେ ସମ୍ବେଦନଶୀଳ ସାମରିକ ଅଞ୍ଚଳ ଉପରେ ଅନଧିକୃତ ନଜରଦାରୀର ଆଶଙ୍କା ପ୍ରକାଶ ପାଇଛି ।

ବିଶେଷ କରି ସ୍ପେଶାଲ୍ ବୋଟ୍ ସର୍ଭିସ୍‌ର ମୁଖ୍ୟାଳୟ ନିକଟରେ ଏହି ଡ୍ରୋନ୍ ସିଷ୍ଟମ୍‌ର ବ୍ୟବହାରକୁ ନେଇ ଚିନ୍ତା ବଢ଼ିଛି । ଏଠାରେ ନାଟୋ ସହ ଜଡ଼ିତ ଅନେକ ସମ୍ବେଦନଶୀଳ ଓ ଗୋପନୀୟ ବୈଠକ ଅନୁଷ୍ଠିତ ହୋଇଥାଏ ବୋଲି କୁହାଯାଉଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ପଶ୍ଚିମ ଦେଶଗୁଡ଼ିକର ସାମରିକ ଯୋଗାଣ ଶୃଙ୍ଖଳାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ରିପୋର୍ଟ ଅନୁଯାୟୀ, ଡ୍ରୋନ୍‌ରେ ବ୍ୟବହୃତ କ୍ୟାମେରାଗୁଡ଼ିକ ଏକ ତୃତୀୟ ପକ୍ଷ ଯୋଗାଣକାରୀଙ୍କ ମାଧ୍ୟମରେ ଆସିଥିଲା । ଯୋଗାଣକାରୀଙ୍କୁ ‘ଏନ୍‌ଡିଏଏ-ଅନୁପାଳକ’ ବୋଲି ଦର୍ଶାଯାଇଥିଲେ ମଧ୍ୟ ପରେ ଏଥିରେ ଚୀନ୍‌ର ଉପାଦାନ ଥିବା ନେଇ ତଥ୍ୟ ସାମ୍ନାକୁ ଆସିଥିବା ଦାବି କରାଯାଇଛି ।

ଏହି କେ-୩ ସ୍କାଉଟ୍ ସିଷ୍ଟମ୍ କେବଳ ବ୍ରିଟେନ୍‌ରେ ନୁହେଁ, ଆମେରିକାର ସ୍ପେଶାଲ୍ ଅପରେସନ୍ସ କମାଣ୍ଡ ଓ ନାଟୋ ଅଭ୍ୟାସରେ ମଧ୍ୟ ବ୍ୟବହୃତ ହୋଇଥିବା ରିପୋର୍ଟ ରହିଛି । ତେଣୁ ଏହି ମାମଲା କେବଳ ବ୍ରିଟେନ୍‌ର ସୁରକ୍ଷା ସହ ଜଡ଼ିତ ନୁହେଁ, ବରଂ ପଶ୍ଚିମ ଦେଶଗୁଡ଼ିକର ସାମରିକ ଯୋଗାଣ ଶୃଙ୍ଖଳା ଓ ସାଇବର ସୁରକ୍ଷାକୁ ନେଇ ମଧ୍ୟ ବଡ଼ ଚିନ୍ତା ସୃଷ୍ଟି କରିଛି। ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ଉପରେ ନଜର ରଖିବା ପାଇଁ ଏହି ଡ୍ରୋନ୍‌ଗୁଡ଼ିକୁ ମୁତୟନ କରିବାର ଯୋଜନା ଥିବା ରିପୋର୍ଟ ମଧ୍ୟ ରହିଛି। ହର୍ମୁଜ୍ ପ୍ରଣାଳୀ ବିଶ୍ୱର ତୈଳ ଯୋଗାଣ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୁଦ୍ରପଥ । ତେଣୁ ଏହି ଅଞ୍ଚଳରେ ବ୍ୟବହାର ହେବାକୁ ଥିବା ନିରୀକ୍ଷଣ ସିଷ୍ଟମ୍‌ର ସୁରକ୍ଷାକୁ ନେଇ ଉଠିଥିବା ପ୍ରଶ୍ନ ଆହୁରି ଗୁରୁତ୍ୱ ବହନ କରୁଛି ।

Leave a Reply

Your email address will not be published. Required fields are marked *