ଜାହାଜଟି ଉତ୍ତର-ପୂର୍ବ ଚୀନ୍ ଉପକୂଳର ଏକ ପ୍ରମୁଖ ଜାହାଜ ଚଳାଚଳ କେନ୍ଦ୍ର କ୍ୱିଂଡାଓ ବନ୍ଦରରେ ମରାମତି ପାଇଁ ଡକ୍ କରାଯାଇଥିଲା । ସୂଚନା ଅନୁଯାୟୀ, ଲାଇବେରିଆ ପତାକା ବହନ କରୁଥିବା ଏହି ଜାହାଜର ନାମ ‘ଓସେନ୍ ମେଲୋଡି’ ବୋଲି ଚିହ୍ନଟ କରାଯାଇଛି ।
ଚୀନ୍ର କ୍ୱିଂଡାଓ ବନ୍ଦରରେ ଏକ ମାଲବାହୀ ଜାହାଜରେ ଭୟାବହ ଅଗ୍ନିକାଣ୍ଡ ଘଟି ୨୦ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ଆହୁରି ୫ ଜଣ ନିଖୋଜ ଥିବା ଜଣାପଡ଼ିଛି । ଜାହାଜଟି ଉତ୍ତର-ପୂର୍ବ ଚୀନ୍ ଉପକୂଳର ଏକ ପ୍ରମୁଖ ଜାହାଜ ଚଳାଚଳ କେନ୍ଦ୍ର କ୍ୱିଂଡାଓ ବନ୍ଦରରେ ମରାମତି ପାଇଁ ଡକ୍ କରାଯାଇଥିଲା । ସୂଚନା ଅନୁଯାୟୀ, ଲାଇବେରିଆ ପତାକା ବହନ କରୁଥିବା ଏହି ଜାହାଜର ନାମ ‘ଓସେନ୍ ମେଲୋଡି’ ବୋଲି ଚିହ୍ନଟ କରାଯାଇଛି । ଜାହାଜରେ ମୋଟ ୪୨ ଜଣ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରୁ ୫ ଜଣ ଆହତ ହୋଇଥିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।
ସ୍ଥାନୀୟ ସମୟ ଅନୁଯାୟୀ ସକାଳ ପ୍ରାୟ ୧୧ଟା ସମୟରେ ଜାହାଜରେ ନିଆଁ ଲାଗିଥିଲା। ଦମକଳ ବାହିନୀ ଏବଂ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଗ୍ନି ନିର୍ବାପଣ କାର୍ଯ୍ୟ ଆରମ୍ଭ କରିଥିଲେ । ଅପରାହ୍ଣ ପ୍ରାୟ ୨ଟା ୩୦ ସୁଦ୍ଧା ନିଆଁକୁ ଆୟତ୍ତକୁ ଅଣାଯାଇଥିବା ସୂଚନା ମିଳିଛି ।ତେବେ ଜାହାଜରେ ନିଖୋଜ ଥିବା ୫ ଜଣଙ୍କୁ ଖୋଜିବା ପାଇଁ ଉଦ୍ଧାର ଅଭିଯାନ ଜାରି ରହିଛି। ନିଆଁ ଲାଗିବାର ପ୍ରକୃତ କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ ।
ଘଟଣାକୁ ନେଇ ଚୀନ୍ ସରକାର ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ନିଖୋଜ ଲୋକଙ୍କୁ ଶୀଘ୍ର ଖୋଜି ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଲି କ୍ୱିଆଙ୍ଗ ମଧ୍ୟ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତକୁ ଗୁରୁତ୍ୱ ଦେବାକୁ କହିଛନ୍ତି । ଘଟଣା ପରେ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଜୋରଦାର କରାଯାଇଛି । ଅଗ୍ନିକାଣ୍ଡର ସମ୍ପୂର୍ଣ୍ଣ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି ।

