ବାଂଲାଦେଶର ପ୍ରଥମ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ନିର୍ମାଣ କରିବ ଭାରତୀୟ କମ୍ପାନି, ମିଳିଲା ୫ ହଜାର କୋଟିରୁ ଅଧିକ ଟଙ୍କାର ଠିକା

ବାଂଲାଦେଶର ରାଜଧାନୀ ଢାକାରେ ନିର୍ମାଣ ହେଉଥିବା ପ୍ରଥମ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ପ୍ରକଳ୍ପ ପାଇଁ ଏହି ଭାରତୀୟ କମ୍ପାନୀକୁ ମିଳିଛି ବଡ଼ ଠିକା । ଏହି ଅର୍ଡରର ମୂଲ୍ୟ ୫ ହଜାର କୋଟି ଟଙ୍କାରୁ ଅଧିକ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।

ଭାରତ ଓ ବାଂଲାଦେଶ ମଧ୍ୟରେ ସମ୍ପର୍କକୁ ନେଇ ଚର୍ଚ୍ଚା ଜାରି ରହିଥିବାବେଳେ ଭାରତୀୟ ଭିତ୍ତିଭୂମି ନିର୍ମାଣ କମ୍ପାନୀ ଲାର୍ସନ୍ ଆଣ୍ଡ ଟୁବ୍ରୋ (L&T) ହାସଲ କରିଛି ଏକ ବଡ଼ ସଫଳତା । ବାଂଲାଦେଶର ରାଜଧାନୀ ଢାକାରେ ନିର୍ମାଣ ହେଉଥିବା ପ୍ରଥମ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ପ୍ରକଳ୍ପ ପାଇଁ ଏହି ଭାରତୀୟ କମ୍ପାନୀକୁ ମିଳିଛି ବଡ଼ ଠିକା । ଏହି ଅର୍ଡରର ମୂଲ୍ୟ ୫ ହଜାର କୋଟି ଟଙ୍କାରୁ ଅଧିକ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ଅନ୍ତର୍ଜାତୀୟ ଭିତ୍ତିଭୂମି କ୍ଷେତ୍ରରେ ଏଲ୍‌ଆଣ୍ଡଟିର ବଢ଼ୁଥିବା ପ୍ରଭାବକୁ ଏହି ଚୁକ୍ତି ଦର୍ଶାଉଛି ।

ବାଂଲାଦେଶ ସରକାର ଢାକାରେ ତିନୋଟି ମେଟ୍ରୋ ରେଳ ପ୍ରକଳ୍ପ ବିକଶିତ କରୁଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ପାଇଁ ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କା ସମତୁଲ୍ୟ ବାଂଲାଦେଶୀ ଟଙ୍କା ଖର୍ଚ୍ଚ ହେବାର ଆକଳନ କରାଯାଇଛି । ଦେଶର ଜାତୀୟ ଅର୍ଥନୈତିକ ପରିଷଦର କାର୍ଯ୍ୟନିର୍ବାହୀ କମିଟି ନିକଟରେ ଏକାଧିକ ବଡ଼ ପ୍ରକଳ୍ପକୁ ଅନୁମୋଦନ ଦେଇଥିଲା । ଏଥିରେ ତିନୋଟି ମେଟ୍ରୋ ରେଳ ପ୍ରକଳ୍ପ ମଧ୍ୟ ସାମିଲ ରହିଛି । ଢାକାବାସୀଙ୍କୁ ଆଧୁନିକ ଓ ପରିବେଶ ଅନୁକୂଳ ଗମନାଗମନ ସୁବିଧା ଯୋଗାଇଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।

ଢାକା ମେଟ୍ରୋ ଲାଇନ୍-୧ର ଦୁଇଟି ବଡ଼ ପ୍ୟାକେଜ୍ ହାତେଇଲା ଏଲ୍‌ଆଣ୍ଡଟି

ଏଲ୍‌ଆଣ୍ଡଟିର ଟ୍ରାନ୍ସପୋର୍ଟେସନ୍ ଇନ୍‌ଫ୍ରାଷ୍ଟ୍ରକ୍ଚର ବ୍ୟବସାୟକୁ ଢାକା ମାସ୍ ରାପିଡ୍ ଟ୍ରାନ୍‌ଜିଟ୍ ଡେଭଲପମେଣ୍ଟ ପ୍ରକଳ୍ପ ଅର୍ଥାତ୍ ମେଟ୍ରୋ ଲାଇନ୍-୧ର ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ୟାକେଜ୍ ମିଳିଛି । ଏହି ଦୁଇଟି ପ୍ୟାକେଜ୍ ହେଉଛି CP09 ଓ CP10 । CP09 ପ୍ୟାକେଜ୍ ଅଧୀନରେ ରେଳ ଟ୍ରାକ୍ ନିର୍ମାଣ, ବିଦ୍ୟୁତ୍ ଯୋଗାଣ ଓ ବଣ୍ଟନ ବ୍ୟବସ୍ଥା, ଟ୍ରାକ୍ସନ୍ ସବ୍‌ଷ୍ଟେସନ୍, ଓଭରହେଡ୍ କ୍ୟାଟେନାରୀ ସିଷ୍ଟମ୍ ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ସୁବିଧାର ବିକାଶ କରାଯିବ । ଏହି କାମରେ ଏଲ୍‌ଆଣ୍ଡଟି ଜାପାନର ସୁମିତୋମୋ କର୍ପୋରେସନ୍ ସହ ମିଶି କାମ କରିବ ।

ସେହିପରି CP10 ପ୍ୟାକେଜ୍ ଅଧୀନରେ ପୂରା ମେଟ୍ରୋ ଲାଇନ୍ ପାଇଁ ସିଗ୍‌ନାଲିଂ ବ୍ୟବସ୍ଥା, ଟେଲିକମ୍ ନେଟ୍‌ୱର୍କ ଏବଂ ପ୍ଲାଟଫର୍ମ ସ୍କ୍ରିନ୍ ଡୋର୍ ସିଷ୍ଟମ୍ ସ୍ଥାପନ କରାଯିବ । ଏହି ଅତ୍ୟାଧୁନିକ ବ୍ୟବସ୍ଥା ମେଟ୍ରୋ ଟ୍ରେନ୍‌ର ଚଳାଚଳକୁ ଅଧିକ ସୁରକ୍ଷିତ ଓ ସୁବ୍ୟବସ୍ଥିତ କରିବ ।

ପୂର୍ବରୁ ମଧ୍ୟ ଢାକା ମେଟ୍ରୋ ପ୍ରକଳ୍ପରେ କରିଛି କାମ

ଏଲ୍‌ଆଣ୍ଡଟି ପୂର୍ବରୁ ଢାକା ମେଟ୍ରୋ ଲାଇନ୍-୬ ପ୍ରକଳ୍ପରେ କାମ କରିସାରିଛି । ଏହା ବାଂଲାଦେଶର ପ୍ରଥମ ମେଟ୍ରୋ ରେଳ ଲାଇନ୍, ଯାହା ବର୍ତ୍ତମାନ ବାଣିଜ୍ୟିକ ଭାବେ ଚାଲୁ ରହିଛି । ଏହି ପ୍ରକଳ୍ପରେ କମ୍ପାନୀର ଅଭିଜ୍ଞତା ଏବଂ କାର୍ଯ୍ୟଦକ୍ଷତା ନୂଆ ଠିକା ହାସଲ କରିବାରେ ସହାୟକ ହୋଇଛି । ଏଲ୍‌ଆଣ୍ଡଟିର ବରିଷ୍ଠ ଉପସଭାପତି ତଥା ଟ୍ରାନ୍ସପୋର୍ଟେସନ୍ ଇନ୍‌ଫ୍ରାଷ୍ଟ୍ରକ୍ଚର ମୁଖ୍ୟ ରାମକୁମାର ଏସ୍ କହିଛନ୍ତି ଯେ ଢାକା ମାସ୍ ଟ୍ରାନ୍‌ଜିଟ୍ କମ୍ପାନୀ ଲିମିଟେଡ୍ ପକ୍ଷରୁ ପୁଣିଥରେ ଏହି ଦୁଇଟି ଅର୍ଡର ମିଳିବା କମ୍ପାନୀର ଦକ୍ଷତା ଓ ବିଶ୍ୱସନୀୟତାର ପ୍ରମାଣ । ଢାକା ମେଟ୍ରୋ ଲାଇନ୍-୬ ଏବଂ ଜାକର୍ତ୍ତା ମେଟ୍ରୋ ଭଳି ପ୍ରକଳ୍ପରେ କାମ କରିବାର ଅଭିଜ୍ଞତା ଏହି ଜଟିଳ ପ୍ରକଳ୍ପକୁ ସଫଳତାର ସହ ସମ୍ପୂର୍ଣ୍ଣ କରିବାରେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

୩୧ କିଲୋମିଟର ଲମ୍ବା ହେବ ମେଟ୍ରୋ ଲାଇନ୍-୧

ଜାପାନ ଇଣ୍ଟରନ୍ୟାସନାଲ୍ କୋଅପରେସନ୍ ଏଜେନ୍ସି (JICA)ର ଆର୍ଥିକ ସହାୟତାରେ ନିର୍ମାଣ ହେଉଥିବା ଢାକା ମେଟ୍ରୋ ଲାଇନ୍-୧ର ମୋଟ ଲମ୍ବ ପ୍ରାୟ ୩୧ କିଲୋମିଟର ହେବ। ଏଥିରେ ଦୁଇଟି ରୁଟ୍ ରହିବ । ପ୍ରଥମଟି ହେଉଛି କମଲାପୁରରୁ ବିମାନବନ୍ଦର ପର୍ଯ୍ୟନ୍ତ ଏୟାରପୋର୍ଟ ରୁଟ୍ ଏବଂ ଦ୍ୱିତୀୟଟି ହେଉଛି ନଟୁନ୍ ବଜାରରୁ ପୂର୍ବାଚଳ ଟର୍ମିନାଲ୍ ପର୍ଯ୍ୟନ୍ତ ପୂର୍ବାଚଳ ରୁଟ୍ । ଏହି ପ୍ରକଳ୍ପରେ ମୋଟ ୧୯ଟି ଷ୍ଟେସନ୍ ଏବଂ ପିତଳଗଞ୍ଜରେ ଗୋଟିଏ ଡିପୋ ନିର୍ମାଣ କରାଯିବ ।

ବିଶେଷଜ୍ଞଙ୍କ ମତରେ, ମେଟ୍ରୋ ଲାଇନ୍-୧ କାର୍ଯ୍ୟକ୍ଷମ ହେବା ପରେ ଢାକା ସହରରେ ଟ୍ରାଫିକ୍ ସମସ୍ୟା ହ୍ରାସ ପାଇବା ସହ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ଦ୍ରୁତ, ନିରାପଦ ଓ ଆଧୁନିକ ଯାତାୟାତ ସୁବିଧା ମିଳିପାରିବ । ଏହା ସହ ଭାରତୀୟ କମ୍ପାନୀର ଅନ୍ତର୍ଜାତୀୟ ବ୍ୟବସାୟ ବିସ୍ତାର ଏବଂ ଭାରତ-ବାଂଲାଦେଶ ମଧ୍ୟରେ ଆର୍ଥିକ ଓ ବାଣିଜ୍ୟିକ ସହଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ଉଦାହରଣ ହେବ ଏହି ପ୍ରକଳ୍ପ ।

Leave a Reply

Your email address will not be published. Required fields are marked *