ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ଟିସା-ବୈରଗଡ଼ ମୁଖ୍ୟ ରାସ୍ତାର ଚାଲୁଜ୍ ମୋଡ଼ ନିକଟରେ ଏକ ଘରୋଇ ବସ୍ ରାସ୍ତାରୁ ପ୍ରାୟ ୧୦୦ ଫୁଟ୍ ତଳକୁ ଖସି ପଡ଼ିଛି ।
ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ଟିସା-ବୈରଗଡ଼ ମୁଖ୍ୟ ରାସ୍ତାର ଚାଲୁଜ୍ ମୋଡ଼ ନିକଟରେ ଏକ ଘରୋଇ ବସ୍ ରାସ୍ତାରୁ ପ୍ରାୟ ୧୦୦ ଫୁଟ୍ ତଳକୁ ଖସି ପଡ଼ିଛି । ଏହି ଦୁର୍ଘଟଣାରେ ଡ୍ରାଇଭର ଓ କଣ୍ଡକ୍ଟରଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଛି । ୧୧ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ବସ୍ଟି ସକାଳ ପ୍ରାୟ ସାଢ଼େ ୬ଟାରେ ବୈରଗଡ଼ରୁ ଚମ୍ବା ଅଭିମୁଖେ ବାହାରିଥିଲା । ବସ୍ରେ ମୋଟ ୧୮ ଜଣ ଯାତ୍ରୀ ଥିଲେ ।
ପ୍ରାୟ ୩ କିଲୋମିଟର ଯିବା ପରେ ଦେବୀକୋଠି ନିକଟ ଚାଲୁଜ୍ ମୋଡ଼ରେ ବସ୍ଟି ନିୟନ୍ତ୍ରଣ ହରାଇ ଗଭୀର ଖାଇକୁ ଖସି ପଡ଼ିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଓ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଚମ୍ବାର ପଣ୍ଡିତ ଜବାହରଲାଲ ନେହେରୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଛି । ଦୁର୍ଘଟଣାର ପ୍ରକୃତ କାରଣ ଏବଂ ମୃତକ ଓ ଆହତଙ୍କ ପରିଚୟ ଏଯାଏଁ ସ୍ପଷ୍ଟ ହୋଇନାହିଁ । ଗତ ଦୁଇ ମାସରେ ଚମ୍ବା ଜିଲ୍ଲାରେ ଅନେକ ବଡ଼ ସଡ଼କ ଦୁର୍ଘଟଣା ଘଟି ୨୫ରୁ ଅଧିକ ଜଣଙ୍କ ଜୀବନ ଯାଇଥିବାରୁ ଚିନ୍ତା ବଢ଼ିଛି ।

