ନୂଆଦିଲ୍ଲୀର ନରେଲା ଅଞ୍ଚଳର ମାମୁରପୁରସ୍ଥିତ ହିମାଳୟ ଆପାର୍ଟମେଣ୍ଟ ନିକଟରେ ଶନିବାର ସକାଳେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଦ୍ରୁତଗତିରେ ଆସୁଥିବା ଏକ ମର୍ସିଡିଜ୍ କାର୍ ଅନ୍ୟ ଏକ ଗାଡ଼ିକୁ ଧକ୍କା ଦେବା ପରେ ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ଘଟିଛି ।
ନୂଆଦିଲ୍ଲୀର ନରେଲା ଅଞ୍ଚଳର ମାମୁରପୁରସ୍ଥିତ ହିମାଳୟ ଆପାର୍ଟମେଣ୍ଟ ନିକଟରେ ଶନିବାର ସକାଳେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଦ୍ରୁତଗତିରେ ଆସୁଥିବା ଏକ ମର୍ସିଡିଜ୍ କାର୍ ଅନ୍ୟ ଏକ ଗାଡ଼ିକୁ ଧକ୍କା ଦେବା ପରେ ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତକ ଉର୍ମିଳା ସକାଳୁ ମର୍ଣ୍ଣିଂ ୱାକ୍ରେ ବାହାରିଥିଲେ । ପୁଲିସର ପ୍ରାଥମିକ ସୂଚନା ଅନୁସାରେ, ମର୍ସିଡିଜ୍ଟି ଏକ ୱାଗନ୍ଆର୍କୁ ସାମ୍ନାରୁ ଜୋରଦାର ଧକ୍କା ଦେଇଥିଲା ।
ଧକ୍କାରେ ୱାଗନ୍ଆର୍ ପଛକୁ ଠେଲି ହୋଇ ଏକ ତିନିଚକିଆ ମାଲବାହୀ ଗାଡ଼ିକୁ ଧକ୍କା ଦେଇଥିଲା । ଏହି ସମୟରେ ନିକଟରେ ଯାଉଥିବା ଉର୍ମିଳା ଦୁଇଟି ଗାଡ଼ି ମଝିରେ ଚାପି ଯାଇ ଗୁରୁତର ଆହତ ହୋଇଥିଲେ । ପରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା ।
ଦୁର୍ଘଟଣା ଘଟାଇଥିବା ମର୍ସିଡିଜ୍ର ଚାଳକ ଶୁଭମ୍ଙ୍କୁ ପୁଲିସ ଘଟଣାସ୍ଥଳରୁ ଗିରଫ କରିଛି । ସେ ହରିୟାଣା ପୁଲିସର ଜଣେ ସବ୍-ଇନ୍ସପେକ୍ଟରଙ୍କ ପୁଅ ବୋଲି ଜଣାପଡ଼ିଛି । ପ୍ରାଥମିକ ତଦନ୍ତରେ ସେ ମଦ୍ୟପାନ କରିଥିବା ସନ୍ଦେହ କରାଯାଉଛି । କାର୍ର କପ୍ ହୋଲ୍ଡରରୁ ଏକ ମଦ ବୋତଲ ମଧ୍ୟ ମିଳିଥିବା କୁହାଯାଇଛି । ଶୁଭମ୍ଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି । ରିପୋର୍ଟ ଆସିବା ପରେ ସେ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିଲେ କି ନାହିଁ, ତାହା ସ୍ପଷ୍ଟ ହେବ। ଘଟଣାକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି ।

