ସାମ୍ପ୍ରତିକ ସାଟେଲାଇଟ୍ ଚିତ୍ରଗୁଡ଼ିକରେ ୭,୦୦୦ରୁ ୧୦,୦୦୦ କିଲୋମିଟର ଲମ୍ବା ମେଘ ଦେଖିବାକୁ ମିଳିଛି । ଏହି ବିଶାଳ ମେଘ ଉତ୍ତର ଭାରତରୁ ହିମାଳୟ, ଚୀନ୍ ଏବଂ ଦକ୍ଷିଣ କୋରିଆ ପର୍ଯ୍ୟନ୍ତ ବିସ୍ତୃତ ହୋଇଛି ।
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ଏପରି ଏକ ରୂପ ନେଇଛି ଯାହା ପାଣିପାଗ ବିଜ୍ଞାନୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ସାମ୍ପ୍ରତିକ ସାଟେଲାଇଟ୍ ଚିତ୍ରଗୁଡ଼ିକରେ ୭,୦୦୦ରୁ ୧୦,୦୦୦ କିଲୋମିଟର ଲମ୍ବା ମେଘ ଦେଖିବାକୁ ମିଳିଛି । ଏହି ବିଶାଳ ମେଘ ଉତ୍ତର ଭାରତରୁ ହିମାଳୟ, ଚୀନ୍ ଏବଂ ଦକ୍ଷିଣ କୋରିଆ ପର୍ଯ୍ୟନ୍ତ ବିସ୍ତୃତ ହୋଇଛି । ବିଶେଷଜ୍ଞମାନେ ଏହାକୁ ଚଳିତ ବର୍ଷର ସବୁଠାରୁ ସକ୍ରିୟ ମୌସୁମୀ ଋତୁର ଏକ ସଙ୍କେତ ବୋଲି ବିବେଚନା କରୁଛନ୍ତି । ଫଳସ୍ୱରୂପ, ଆଗାମୀ ଦିନରେ ଉତ୍ତର ଏବଂ ମଧ୍ୟ ଭାରତର ବହୁ ଅଞ୍ଚଳରେ ଭଲ ବର୍ଷା ତଥା କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ଆଶା କରାଯାଉଛି । ପାଣିପାଗ ବିଜ୍ଞାନୀଙ୍କ ମତରେ, ଏହା ଏକ ମୌସୁମୀ ଅଭିସରଣ କ୍ଷେତ୍ର ବା ମେଘ ଖଣ୍ଡ ଏକାଠି ମିଶିବା ଅବା ଏକତ୍ରିତ ହେବା କ୍ଷେତ୍ର। ଭାରତ ମହାସାଗରରୁ ଆର୍ଦ୍ରତାଯୁକ୍ତ ମୌସୁମୀ ପବନ ଏସିଆର ବିଭିନ୍ନ ପାଣିପାଗ ପ୍ରଣାଳୀ ସହିତ ଧକ୍କା ଖାଇବା ଯୋଗୁଁ ଏହା ସୃଷ୍ଟି ହୋଇଥିଲା । ଏହି ପ୍ରକ୍ରିୟା ଦ୍ବାରା ହଜାର ହଜାର କିଲୋମିଟର ଲମ୍ବା ମେଘ ସୃଷ୍ଟି ହୋଇଥିଲା । ଏହା ଯୋଗୁଁ ଅନେକ ଦେଶରେ ମୌସୁମୀ ବର୍ଷା ଭଲ ହେବାର ପୂର୍ବାନୂମାନ ପାଣିପାଗ ବିଭାଗ ପକ୍ଷରୁ କରାଯାଇଛି ।
ସାରା ଦେଶରେ ରେକର୍ଡ ସ୍ତରରେ ମୌସୁମୀ ସକ୍ରିୟ ହୋଇଛି। ଗତ ଦୁଇ ଦିନ ଧରି ସାରା ଦେଶରେ ସାଧାରଣ ଦୈନିକ ହାରାହାରି ବର୍ଷା ପ୍ରାୟ ୧୭୦ ରୁ ୧୮୦ ପ୍ରତିଶତ ଅଧିକ ହୋଇଛି। ଏହାକୁ ଏପର୍ଯ୍ୟନ୍ତ ମୌସୁମୀ ଋତୁର ସବୁଠାରୁ ଶକ୍ତିଶାଳୀ ସମୟ ବୋଲି ବିବେଚନା କରାଯାଉଛି। ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା, ରାଜସ୍ଥାନ ଏବଂ ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ଭଲ ବର୍ଷା ହୋଇସାରିଛି। ଏହି ସମୟରେ, ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ଯୋଗୁଁ ପୂର୍ବ ଏବଂ ଉତ୍ତର-ପୂର୍ବ ଭାରତରେ ପ୍ରବଳ ବର୍ଷା ଜାରି ରହିଛି। ଚଳିତ ବର୍ଷ ମୌସୁମୀର ଆରମ୍ଭ ଅନେକ ଅଞ୍ଚଳରେ ଅସମାନ ଥିଲା, ଯାହା ଫଳରେ କିଛି ରାଜ୍ୟରେ ବର୍ଷାର ଅଭାବ ଦେଖାଦେଇଥିଲା। ତଥାପି, ବର୍ତ୍ତମାନର ସକ୍ରିୟ ପର୍ଯ୍ୟାୟ ଏହି ଅଭାବକୁ ଯଥେଷ୍ଟ ହ୍ରାସ କରିବ ବୋଲି ଆଶା କରାଯାଉଛି। ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି ଯେ, ଉତ୍ତର ଏବଂ ମଧ୍ୟ ଭାରତରେ ଭଲ ବର୍ଷା ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି କରିବ ଏବଂ ଖରିଫ ଫସଲ ପାଇଁ ପର୍ଯ୍ୟାପ୍ତ ଆର୍ଦ୍ରତା ଯୋଗାଇବ। ଏହା କୃଷି କ୍ଷେତ୍ରକୁ ଆଶ୍ୱସ୍ତି ପ୍ରଦାନ କରିବାର ସମ୍ଭାବନା ରହିଛି। ଏହା ଯୋଗୁଁ ମୌସୁମୀ ବର୍ଷାର ଅଭାବ ପୂରଣ ହେବ, ଚାଷୀମାନେ ଲାଭବାନ ହେବେ ।
ମୌସୁମୀ ବର୍ଷା ନିଶ୍ଚିତ ଭାବରେ ଆଶ୍ୱସ୍ତି ଆଣିଛି, କିନ୍ତୁ ଏହା ବିପଦ ମଧ୍ୟ ବୃଦ୍ଧି କରିଛି। ପାଣିପାଗ ବିଭାଗ ଏବଂ ପ୍ରଶାସନ ସେହି ଅଞ୍ଚଳଗୁଡ଼ିକ ଉପରେ କଡ଼ା ନଜର ରଖିଛନ୍ତି ଯେଉଁଠାରେ ବାଦଲଫଟା ବର୍ଷା ଯୋଗୁଁ ହଠାତ୍ ବନ୍ୟା, ସହରାଞ୍ଚଳରେ ଜଳବନ୍ଦୀ, ଭୂସ୍ଖଳନ ଏବଂ ନଦୀର ଜଳସ୍ତର ଦ୍ରୁତ ବୃଦ୍ଧି ହୋଇପାରେ। ବିଶେଷକରି ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶ ଭଳି ପାହାଡ଼ିଆ ରାଜ୍ୟଗୁଡ଼ିକରେ ଏନେଇ ଅତିରିକ୍ତ ସତର୍କତା ଅବଲମ୍ବନ କରାଯାଉଛି ।
ବିଶେଷଜ୍ଞମାନଙ୍କ ଅନୁସାରେ, ସଦ୍ୟତମ ସାଟେଲାଇଟ୍ ଚିତ୍ରଗୁଡ଼ିକ ମଧ୍ୟ ଦର୍ଶାଉଛି ଯେ ଭାରତୀୟ ମୌସୁମୀ କେବଳ ଭାରତରେ ସୀମିତ ନୁହେଁ। ବର୍ତ୍ତମାନର ପାଣିପାଗ ବ୍ୟବସ୍ଥା ଆରବ ସାଗରରୁ ପୂର୍ବ ଏସିଆ ପର୍ଯ୍ୟନ୍ତ ବ୍ୟାପିଛି ଏବଂ ଏକକାଳୀନ ଅନେକ ଦେଶର ପାଣିପାଗକୁ ପ୍ରଭାବିତ କରୁଛି। ଏହାର ଅର୍ଥ ହେଉଛି ଭାରତରେ ବର୍ଷା ଏକ ବୃହତ୍ତର ଏସୀୟ ପାଣିପାଗ ଚକ୍ରର ଅଂଶ, ଯାହା ହଜାର ହଜାର କିଲୋମିଟର ବ୍ୟାପି ବାୟୁମଣ୍ଡଳୀୟ ପ୍ରଣାଳୀ ମାଧ୍ୟମରେ ଅନେକ ଦେଶରେ ବର୍ଷାକୁ ପ୍ରଭାବିତ କରୁଛି ।

