ଆମେରିକା ସହ ଚାଲିଥିବା ଯୁଦ୍ଧ ମଧ୍ୟରେ ଇରାନର ସାମରିକ ନେତୃତ୍ୱରେ ବଡ଼ ପରିବର୍ତ୍ତନ ହୋଇଛି । ସର୍ବୋଚ୍ଚ ନେତା ମୋଜତାବା ଖାମେନିଙ୍କ ନିର୍ଦ୍ଦେଶରେ ସେନାର ଶୀର୍ଷସ୍ତରରେ ନୂଆ ନିଯୁକ୍ତି ହୋଇଛି ।
ଆମେରିକା ସହ ଚାଲିଥିବା ଯୁଦ୍ଧ ମଧ୍ୟରେ ଇରାନର ସାମରିକ ନେତୃତ୍ୱରେ ବଡ଼ ପରିବର୍ତ୍ତନ ହୋଇଛି । ସର୍ବୋଚ୍ଚ ନେତା ମୋଜତାବା ଖାମେନିଙ୍କ ନିର୍ଦ୍ଦେଶରେ ସେନାର ଶୀର୍ଷସ୍ତରରେ ନୂଆ ନିଯୁକ୍ତି ହୋଇଛି । ଏହାକୁ ମୋଜତାବା ଖାମେନି ସର୍ବୋଚ୍ଚ ନେତା ହେବା ପରେ ସାମରିକ ନେତୃତ୍ୱର ପ୍ରଥମ ବଡ଼ ପରିବର୍ତ୍ତନ ବୋଲି କୁହାଯାଉଛି ।
ମେଜର ଜେନେରାଲ ଅଲି ଅବଦୋଲ୍ଲାହିଙ୍କୁ ଇରାନର ସଶସ୍ତ୍ର ବାହିନୀର ନୂଆ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି । ସେ ପୂର୍ବରୁ ଇରାନର ଖାତମ ଅଲ-ଆନବିୟା କେନ୍ଦ୍ରୀୟ ମୁଖ୍ୟାଳୟର ନେତୃତ୍ୱ ନେଇଥିଲେ । ଏହି ମୁଖ୍ୟାଳୟ ଇରାନର ସାମରିକ ବାହିନୀର ବିଭିନ୍ନ ଶାଖା ମଧ୍ୟରେ ଅପରେସନ ଓ ସାମରିକ କାର୍ଯ୍ୟର ସମନ୍ୱୟ କରିଥାଏ ।
ସେହିପରି ବ୍ରିଗେଡିୟର ଜେନେରାଲ ଅହମଦ ଭାହିଦିଙ୍କୁ ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC)ର ନୂଆ କମାଣ୍ଡର କରାଯାଇଛି । ଏହା ସହ ତାଙ୍କୁ ମେଜର ଜେନେରାଲ ପଦବୀ ମଧ୍ୟ ଦିଆଯାଇଛି । ଅଲି ଅବଦୋଲ୍ଲାହି ପୂର୍ବରୁ ଆମେରିକା ଓ ତା’ର ସହଯୋଗୀ ଦେଶଗୁଡ଼ିକ ପ୍ରତି କଠୋର ଆଭିମୁଖ୍ୟ ନେଇଥିଲେ । ଚଳିତ ମାସ ଆରମ୍ଭରେ ସେ ଆଞ୍ଚଳିକ ଦେଶଗୁଡ଼ିକୁ ଚେତାବନୀ ଦେଇ କହିଥିଲେ, ଆମେରିକା ପାଇଁ ପ୍ରତିରକ୍ଷା ଢାଲ ଭାବେ କାମ କରୁଥିବା ଦେଶଗୁଡ଼ିକ ମଧ୍ୟ ଯୁଦ୍ଧର ପ୍ରଭାବରୁ ବର୍ତ୍ତି ପାରିବେ ନାହିଁ ।
ଏହାର ଗୋଟିଏ ଦିନ ପୂର୍ବରୁ ପୂର୍ବତନ IRGC କମାଣ୍ଡର ମୋହସେନ ରେଜାଇଙ୍କୁ ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ନୂଆ ସଚିବ ଭାବେ ନିଯୁକ୍ତ କରାଯାଇଥିଲା । ତେଣୁ ଯୁଦ୍ଧ ମଧ୍ୟରେ ଇରାନ ନିଜର ସାମରିକ ଓ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରୁଥିବା ସଙ୍କେତ ମିଳୁଛି ।

