ସିଜେପିର ମୁଖପାତ୍ର ସୌରଭ ଦାସଙ୍କ ଦାବିକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ସୌରଭ ଦାସ ଦାବି କରିଛନ୍ତି ଯେ, ତାଙ୍କ ସମେତ ସିଜେପି ପ୍ରତିଷ୍ଠାତା ଅଭିଜିତ ଦିପ୍କେ, ଆଶୁତୋଷ ରଙ୍କା ଏବଂ ଅନ୍ୟ କିଛି ନେତାଙ୍କୁ ଅକ୍ଟୋବର ୧୦ ପୂର୍ବରୁ ଗିରଫ କରାଯାଇପାରେ ।
ଅକ୍ଟୋବର ୧୦ରେ ଦିଲ୍ଲୀରେ ବଡ଼ ଆନ୍ଦୋଳନ ପୂର୍ବରୁ ଗିରଫ ଆଶଙ୍କା! ସିଜେପିର ମୁଖପାତ୍ର ସୌରଭ ଦାସଙ୍କ ଦାବିକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ସୌରଭ ଦାସ ଦାବି କରିଛନ୍ତି ଯେ, ତାଙ୍କ ସମେତ ସିଜେପି ପ୍ରତିଷ୍ଠାତା ଅଭିଜିତ ଦିପ୍କେ, ଆଶୁତୋଷ ରଙ୍କା ଏବଂ ଅନ୍ୟ କିଛି ନେତାଙ୍କୁ ଅକ୍ଟୋବର ୧୦ ପୂର୍ବରୁ ଗିରଫ କରାଯାଇପାରେ । ଦିଲ୍ଲୀର ଯନ୍ତର ମନ୍ତରରେ ଅକ୍ଟୋବର ୧୦ରେ ବଡ଼ ଧରଣର ପ୍ରତିବାଦ ପାଇଁ ସିଜେପି ଆହ୍ୱାନ ଦେଇଛି । ଭୋଟର ତାଲିକାର Special Intensive Revision ବା SIR ପ୍ରକ୍ରିୟାକୁ ନେଇ ନିର୍ବାଚନ ଆୟୋଗ ବିରୋଧରେ ଏହି ଆନ୍ଦୋଳନ କରାଯିବ। ବିଶେଷକରି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛି ସିଜେପି ।
ସୌରଭ ଦାସ ଏକ ବିଳମ୍ବିତ ରାତିର ପୋଷ୍ଟରେ ଦାବି କରିଛନ୍ତି ଯେ, ସରକାର ଯଦି ଗିରଫ ଭଳି ପଦକ୍ଷେପ ନେଇ ଆନ୍ଦୋଳନକୁ ଦମନ କରିବାକୁ ଚେଷ୍ଟା କରେ, ତେବେ ଏହା ସରକାରଙ୍କ ପାଇଁ ବଡ଼ ଭୁଲ ହେବ । ଯୁବପିଢ଼ି ଜାଗ୍ରତ ହୋଇଛି ଏବଂ ଅକ୍ଟୋବର ୧୦ରୁ ବଡ଼ ଧରଣର ଜନସମାଗମ ପାଇଁ ସେ ଆହ୍ୱାନ ଦେଇଛନ୍ତି । ଅନ୍ୟପଟେ ସିଜେପି ପ୍ରତିଷ୍ଠାତା ଅଭିଜିତ ଦିପ୍କେ ମଧ୍ୟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କରିଛନ୍ତି । ସେ ପ୍ରଶ୍ନ କରିଛନ୍ତି କେତେ ଜଣଙ୍କୁ ଗିରଫ କରିବେ? ଅକ୍ଟୋବର ୧୦ରେ ସାରା ଦେଶରୁ ଲୋକେ ଆସିବେ ବୋଲି ଦାବି କରିଛନ୍ତି ।
ତେବେ ଏହି ଦାବି ମଧ୍ୟରେ ପୂର୍ବରୁ ମଧ୍ୟ ସିଜେପି ନେତାଙ୍କ ବିରୋଧରେ ପୁଲିସ ପଦକ୍ଷେପ ନିଆଯାଇଥିବା ଘଟଣା ସାମ୍ନାକୁ ଆସିଛି। ଆସାମରେ ସିଜେପିର ଏକ ଅଞ୍ଚଳୀୟ ବୈଠକ ପୂର୍ବରୁ ଆଶୁତୋଷ ରଙ୍କାଙ୍କ ସମେତ କିଛି ନେତାଙ୍କୁ ପୁଲିସ ପ୍ରାୟ ୧୨ ଘଣ୍ଟା ଅଟକ ରଖିଥିବା ଦାବି କରାଯାଇଥିଲା । ସେହିପରି ଗତ କିଛି ଦିନ ତଳେ ମୁମ୍ବାଇର ଶିବାଜୀ ପାର୍କରେ ମଧ୍ୟ ସିଜେପି ପକ୍ଷରୁ SIR ପ୍ରସଙ୍ଗରେ ବିକ୍ଷୋଭ କରାଯାଇଥିଲା। ଏହି ବିକ୍ଷୋଭକୁ ଶିବସେନା-UBT ସମର୍ଥନ କରିଥିଲା । ଏବେ ଅକ୍ଟୋବର ୧୦ରେ ଦିଲ୍ଲୀ ଯନ୍ତର ମନ୍ତରରେ ସିଜେପିର ଆନ୍ଦୋଳନକୁ ନେଇ ଉତ୍ସାହ ବଢ଼ିଥିବା ବେଳେ, ସୌରଭ ଦାସଙ୍କ ଗିରଫ ଆଶଙ୍କା ଦାବି ପରେ ରାଜନୈତିକ ତାତି ଆହୁରି ବଢ଼ିଛି ।

