ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତର ଅଭିଜ୍ଞତା ବାଣ୍ଟିବାକୁ ପ୍ରସ୍ତୁତ: ରାଜନାଥ ସିଂହ

ଏସିଆନ୍ ସଦସ୍ୟ ରାଷ୍ଟ୍ର ଏବଂ ସେମାନଙ୍କ ସହଯୋଗୀ ଦେଶଗୁଡ଼ିକୁ ଆତଙ୍କବାଦ ମୁକାବିଲାରେ ସହଯୋଗ କରିବାକୁ ଭାରତ ସର୍ବଦା ପ୍ରସ୍ତୁତ ବୋଲି କହିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତର ଅଭିଜ୍ଞତା ଓ ସାମରିକ କୌଶଳ ଅନ୍ୟ ଦେଶଗୁଡ଼ିକ ସହ ବାଣ୍ଟିବାକୁ ପ୍ରସ୍ତୁତ ଭାରତ । ଏସିଆନ୍ ସଦସ୍ୟ ରାଷ୍ଟ୍ର ଏବଂ ସେମାନଙ୍କ ସହଯୋଗୀ ଦେଶଗୁଡ଼ିକୁ ଆତଙ୍କବାଦ ମୁକାବିଲାରେ ସହଯୋଗ କରିବାକୁ ଭାରତ ସର୍ବଦା ପ୍ରସ୍ତୁତ ବୋଲି କହିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଫିଲିପାଇନ୍ସର ସେବୁଠାରେ ଆୟୋଜିତ ଏସିଆନ୍ ପ୍ରତିରକ୍ଷା ମନ୍ତ୍ରୀ ସମ୍ମିଳନୀ ପ୍ଲସ୍‌କୁ ସମ୍ବୋଧିତ କରି ସେ ଏହି ମତ ରଖିଛନ୍ତି ।

ରାଜନାଥ କହିଛନ୍ତି ଯେ, ମିଳିତ ସାମରିକ ଅଭ୍ୟାସ, ସାମରିକ କ୍ଷମତା ବୃଦ୍ଧି କାର୍ଯ୍ୟକ୍ରମ ଏବଂ ଗୁଇନ୍ଦା ତଥ୍ୟ ଆଦାନପ୍ରଦାନ ମାଧ୍ୟମରେ ଆତଙ୍କବାଦ ବିରୋଧୀ ଲଢ଼େଇକୁ ଆହୁରି ମଜବୁତ୍ କରାଯାଇପାରିବ । ଦୀର୍ଘ ଦଶନ୍ଧି ଧରି ସୀମାପାର ଆତଙ୍କବାଦର ମୁକାବିଲା କରି ଭାରତ ନିଜର ପ୍ରତିରକ୍ଷା କ୍ଷମତାକୁ ଅଧିକ ଶାଣିତ କରିଛି । ଏହି ଅଭିଜ୍ଞତା ଅନ୍ୟ ଦେଶଗୁଡ଼ିକ ପାଇଁ ମଧ୍ୟ ଉପଯୋଗୀ ହୋଇପାରିବ । ଏହି ଅବସରରେ ସେ ‘ଅପରେସନ୍ ସିନ୍ଦୂର’ର ଉଦାହରଣ ଦେଇଥିଲେ । ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ୱଂସ କରି ଭାରତ ଆତଙ୍କବାଦ ବିରୋଧରେ ନିଜର ଦୃଢ଼ ଆଭିମୁଖ୍ୟ ସ୍ପଷ୍ଟ କରିଥିବା ସେ କହିଥିଲେ । ଆତଙ୍କବାଦର ମୁକାବିଲା ପାଇଁ ଦେଶଗୁଡ଼ିକ ମଧ୍ୟରେ ସମନ୍ୱୟ ଓ ସହଯୋଗ ବୃଦ୍ଧି କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ ।

ସେହିପରି ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସୁରକ୍ଷା ଓ ସ୍ଥିରତା ବଜାୟ ରଖିବାକୁ ସମସ୍ତ ଦେଶର ମିଳିତ ପ୍ରୟାସ ଜରୁରୀ ବୋଲି ରାଜନାଥ କହିଛନ୍ତି । ବିଶେଷକରି ସାମୁଦ୍ରିକ ବାଣିଜ୍ୟ ପଥର ସୁରକ୍ଷାକୁ ନେଇ ସେ ଚିନ୍ତା ପ୍ରକାଶ କରିଛନ୍ତି। କେବଳ ଭାଷଣ ନୁହେଁ, ଜଳପଥର ସୁରକ୍ଷା ପାଇଁ ଆଠଟି ଠୋସ୍ ଓ ପ୍ରତ୍ୟକ୍ଷ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି ।

ଭାରତ ମହାସାଗର ସମେତ ସମଗ୍ର ଇଣ୍ଡୋ-ପ୍ୟାସିଫିକ୍ ଅଞ୍ଚଳରେ ଭାରତ ଜଣେ ବିଶ୍ୱସନୀୟ ନେଟ୍ ସୁରକ୍ଷା ପ୍ରଦାତା ଭାବେ ନିଜର ଭୂମିକା ଜାରି ରଖିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଏଥିସହ ସାମୁଦ୍ରିକ ସୁରକ୍ଷା ଓ ଜାତିସଂଘର ସାମୁଦ୍ରିକ ଆଇନ୍‌ (ୟୁଏନ୍‌ସିଏଲ୍‌ଓଏସ୍‌) ପ୍ରତି ଭାରତର ଅଙ୍ଗୀକାରବଦ୍ଧତାକୁ ଦୋହରାଇଛନ୍ତି ରାଜନାଥ। ଅନ୍ତର୍ଜାତୀୟ ଜଳପଥରେ ଜାହାଜ ଚଳାଚଳ ଏବଂ ଆକାଶପଥରେ ବିମାନ ଉଡ଼ାଣର ସ୍ୱାଧୀନତା ବଜାୟ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି । ଏହି ନୀତି କୌଣସି ନିର୍ଦ୍ଦିଷ୍ଟ ଦେଶ ବିରୋଧରେ ନୁହେଁ, ବରଂ ସମସ୍ତ ଆଞ୍ଚଳିକ ଭାଗୀଦାରଙ୍କ ସାମୂହିକ ସ୍ୱାର୍ଥ ରକ୍ଷା ପାଇଁ ଉଦ୍ଦିଷ୍ଟ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଦକ୍ଷିଣ ଚୀନ୍ ସାଗରରେ ଚୀନ୍‌ର ବଢ଼ୁଥିବା ସାମରିକ ଗତିବିଧିକୁ ନେଇ ଏସିଆନ୍ ଦେଶଗୁଡ଼ିକ ମଧ୍ୟରେ ଚିନ୍ତା ବଢ଼ୁଥିବା ସମୟରେ ରାଜନାଥ ସିଂହଙ୍କ ଏହି ବକ୍ତବ୍ୟକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଆତଙ୍କବାଦ ମୁକାବିଲାଠାରୁ ଆରମ୍ଭ କରି ସାମୁଦ୍ରିକ ସୁରକ୍ଷା ପର୍ଯ୍ୟନ୍ତ, ଆଞ୍ଚଳିକ ସ୍ଥିରତା ପାଇଁ ଭାରତ ଅନ୍ୟ ଦେଶଗୁଡ଼ିକ ସହ ମିଶି କାର୍ଯ୍ୟ କରିବାକୁ ପ୍ରସ୍ତୁତ ବୋଲି ପ୍ରତିରକ୍ଷା ମନ୍ତ୍ରୀଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହୋଇଛି ।

Leave a Reply

Your email address will not be published. Required fields are marked *