ପାର୍କିଂରେ ଥିବା ଏକ ଆମ୍ବୁଲାନ୍ସରେ ଅକ୍ସିଜେନ୍ ସିଲିଣ୍ଡର ବିସ୍ଫୋରଣ ହେବା ପରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ଜଣେ ଗର୍ଭବତୀଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ହୋଇଛି ।
ପାକିସ୍ତାନର ସିନ୍ଧ ପ୍ରଦେଶର ଥରପାରକର ଜିଲ୍ଲାରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭୟଙ୍କର ଦୁର୍ଘଟଣା ଘଟିଛି । ପାର୍କିଂରେ ଥିବା ଏକ ଆମ୍ବୁଲାନ୍ସରେ ଅକ୍ସିଜେନ୍ ସିଲିଣ୍ଡର ବିସ୍ଫୋରଣ ହେବା ପରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ଜଣେ ଗର୍ଭବତୀଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଉଦ୍ଧାରକାରୀ ଅଧିକାରୀଙ୍କ ସୂଚନା ଅନୁସାରେ, ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଉନ୍ନତ ଚିକିତ୍ସା ପାଇଁ କରାଚୀର ଏକ ହସ୍ପିଟାଲକୁ ନିଆଯାଉଥିଲା। ତେବେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ସୂଚନା ଅନୁଯାୟୀ, ପିପୁଲ୍ସ ପ୍ରାଇମେରୀ ହେଲଥ୍କେୟାର ଇନିସିଏଟିଭ୍ ଦ୍ୱାରା ପରିଚାଳିତ ଏକ ଆମ୍ବୁଲାନ୍ସରେ ଏହି ଦୁର୍ଘଟଣା ଘଟିଛି । ସ୍ୱାସ୍ଥ୍ୟକର୍ମୀ ଏବଂ ଆମ୍ବୁଲାନ୍ସ କର୍ମଚାରୀମାନେ ଗାଡ଼ିରେ ଥିବା ଅକ୍ସିଜେନ୍ ସିଲିଣ୍ଡର ବଦଳାଉଥିବା ସମୟରେ ହଠାତ୍ ସିଲିଣ୍ଡରଟି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ପରେ ଆମ୍ବୁଲାନ୍ସରେ ନିଆଁ ଲାଗିଯାଇଥିଲା। ଫଳରେ ଆମ୍ବୁଲାନ୍ସ ନିକଟରେ ଥିବା କର୍ମଚାରୀ ଓ ଅନ୍ୟ ଲୋକେ ନିଆଁରେ ପୋଡ଼ି ଯାଇଥିଲେ। ଏହି ଅଗ୍ନିକାଣ୍ଡରେ ମୋଟ ୧୦ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି ।
ଘଟଣା ସମ୍ପର୍କରେ ଖବର ପାଇ ଉଦ୍ଧାରକାରୀ ଦଳ ତୁରନ୍ତ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହାପରେ ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ପ୍ରାଦେଶିକ ହସ୍ପିଟାଲ ଏବଂ କରାଚୀର ଉନ୍ନତ ଚିକିତ୍ସା କେନ୍ଦ୍ରକୁ ପଠାଯାଇଥିଲା । ଏହି ଦୁଃଖଦ ଘଟଣାକୁ ନେଇ ସିନ୍ଧର ସ୍ଥାନୀୟ ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏଥିସହ ଆମ୍ବୁଲାନ୍ସ ପରିଚାଳନା ଓ ସୁରକ୍ଷା ନିୟମ ପାଳନରେ କୌଣସି ଅବହେଳା ହୋଇଥିଲା କି ନାହିଁ, ତାହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

