‘ଲାଠିମାଡ଼ ନୁହେଁ, ପ୍ରଶ୍ନର ଉତ୍ତର ଦିଅନ୍ତୁ ସରକାର’: ଦିଲ୍ଲୀକୁ ଦୁର୍ଗରେ ପରିଣତ କରାଯାଇଥିବା ନେଇ ବର୍ଷିଲେ ଶଶି ଥରୁର

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଥରୁର କହିଛନ୍ତି, ଯେଉଁ ସରକାର ନିଜ ନିର୍ବାଚନର ସ୍ୱଚ୍ଛତା ଉପରେ ବିଶ୍ୱାସ ରଖନ୍ତି, ସେମାନେ ପ୍ରଶ୍ନକୁ ସ୍ୱାଗତ କରିବା ଉଚିତ। ଦମନ ନୁହେଁ, ଲୋକଙ୍କୁ ମତପ୍ରକାଶର ସ୍ୱାଧୀନତା ଦିଆଯିବା ଆବଶ୍ୟକ।

ଦିଲ୍ଲୀରେ କୋକରୋଚ୍ ଜନତା ପାର୍ଟି (ସିଜେପି)ର ଜନ୍ତରମନ୍ତର ଆନ୍ଦୋଳନକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଓ କଟକଣା ଉପରେ ବର୍ଷିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର। ନିର୍ବାଚନର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଉଥିବା ଲୋକଙ୍କୁ ଉତ୍ତର ଦେବା ପରିବର୍ତ୍ତେ ସରକାର ଦିଲ୍ଲୀକୁ ଏକ ଦୁର୍ଗରେ ପରିଣତ କରିଥିବା ସେ ଅଭିଯୋଗ କରିଛନ୍ତି। ଲାଠିମାଡ଼ ନୁହେଁ, ଜନସାଧାରଣଙ୍କ ପ୍ରଶ୍ନର ଉତ୍ତର ଦେବାକୁ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି ଥରୁର।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଥରୁର କହିଛନ୍ତି, ଯେଉଁ ସରକାର ନିଜ ନିର୍ବାଚନର ସ୍ୱଚ୍ଛତା ଉପରେ ବିଶ୍ୱାସ ରଖନ୍ତି, ସେମାନେ ପ୍ରଶ୍ନକୁ ସ୍ୱାଗତ କରିବା ଉଚିତ। ଦମନ ନୁହେଁ, ଲୋକଙ୍କୁ ମତପ୍ରକାଶର ସ୍ୱାଧୀନତା ଦିଆଯିବା ଆବଶ୍ୟକ। ବ୍ୟାରିକେଡ୍ ଲଗାଇ କିମ୍ବା ଆନ୍ଦୋଳନକାରୀଙ୍କୁ ଅଟକ ରଖି ନିର୍ବାଚନ କମିସନଙ୍କ ଉପରେ ଜନସାଧାରଣଙ୍କ ବିଶ୍ୱାସ ଫେରାଇ ଅଣାଯାଇପାରିବ ନାହିଁ।

ଥରୁରଙ୍କ ଦାବି ଅନୁସାରେ, ଦିଲ୍ଲୀରେ ପ୍ରତି କିଛି ଶହ ମିଟରରେ ଚେକ୍‌ପୋଷ୍ଟ ସ୍ଥାପନ କରାଯାଇଛି। ରାସ୍ତାରେ କଂକ୍ରିଟ୍ ବ୍ୟାରିକେଡ୍ ଓ ସ୍ପାଇକ୍ ଷ୍ଟ୍ରିପ୍ ଲଗାଯାଇଛି। ପ୍ରାୟ ୨୨ ହଜାର ପୁଲିସ ଓ ଅର୍ଦ୍ଧସାମରିକ ବାହିନୀ କର୍ମଚାରୀଙ୍କୁ ମୁତୟନ କରାଯାଇଥିବା ବେଳେ ୨୫୦ଟି ଟ୍ରେନ୍ ବାତିଲ ଏବଂ ୪୫ଟି ମେଟ୍ରୋ ଷ୍ଟେସନ ବନ୍ଦ କରାଯାଇଥିବା ସେ କହିଛନ୍ତି। ରାତି ୨ଟା ପରେ ଦିଲ୍ଲୀ ଫେରି ଏଭଳି କଠୋର ସୁରକ୍ଷା ବ୍ୟବସ୍ଥା ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିବା ପ୍ରକାଶ କରିଛନ୍ତି। ଯୁବକମାନଙ୍କୁ ଘରୁ ଓ ରାସ୍ତାରୁ ଉଠାଇନେଇ ଅଟକ ରଖାଯାଉଥିବା ଅଭିଯୋଗ ଉପରେ ମଧ୍ୟ ସେ ଚିନ୍ତା ପ୍ରକାଶ କରିଛନ୍ତି।

ଇଣ୍ଟରନେଟ୍ ସେବା ବନ୍ଦ ଏବଂ ଯାତାୟାତ କଟକଣାକୁ ଦମନକାରୀ ପଦକ୍ଷେପ ବୋଲି କହିଛନ୍ତି ଥରୁର। ମହିଳାଙ୍କ ସୁରକ୍ଷା ପାଇଁ କାହିଁକି ଏଭଳି ତତ୍ପରତା ଦେଖାଯାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ପରିସ୍ଥିତିକୁ ଅଘୋଷିତ ଜରୁରୀକାଳୀନ ଅବସ୍ଥା ସହ ତୁଳନା କରି ଅଟକ ଥିବା ଲୋକଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରିଛନ୍ତି। ଶାନ୍ତିପୂର୍ଣ୍ଣ ପ୍ରତିବାଦ ଗଣତନ୍ତ୍ରର ଅଧିକାର ଏବଂ ଯୁବପିଢ଼ିଙ୍କୁ ଦମନ ନୁହେଁ, ନ୍ୟାୟ ମିଳିବା ଉଚିତ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *