ଗଡ଼କରୀଙ୍କ କହିବା ଅନୁସାରେ, ସରକାର ‘ୟୁଜେଜ୍ ବେସ୍ଡ ଇନ୍ସ୍ୟୁରାନ୍ସ’ ବ୍ୟବସ୍ଥା ଉପରେ ବିଚାର କରୁଛି। ଏହା ଲାଗୁ ହେଲେ ଚାଳକଙ୍କ ଡ୍ରାଇଭିଂ ଶୈଳୀ ଓ ନିୟମ ପାଳନ ଆଧାରରେ ଇନ୍ସ୍ୟୁରାନ୍ସ ପ୍ରିମିୟମ ନିର୍ଦ୍ଧାରଣ ହୋଇପାରେ।
ଭଲ ଏବଂ ନିୟମ ମାନି ଗାଡ଼ି ଚଳାଉଥିବା ଲୋକଙ୍କ ପାଇଁ ଆସିପାରେ ବଡ଼ ଖୁସି ଖବର। ଆଗାମୀ ଦିନରେ ଭଲ ଡ୍ରାଇଭିଂ କରୁଥିବା ଚାଳକଙ୍କୁ କମ୍ ଇନ୍ସ୍ୟୁରାନ୍ସ ପ୍ରିମିୟମ ଦେବାର ବ୍ୟବସ୍ଥା କରିବାକୁ ସରକାର ବିଚାର କରୁଛି। କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ମୁମ୍ବାଇରେ ଆୟୋଜିତ ଗ୍ଲୋବାଲ ଫିନଟେକ୍ ଫେଷ୍ଟ ୨୦୨୬ରେ ଏନେଇ ସୂଚନା ଦେଇଛନ୍ତି।
ଗଡ଼କରୀଙ୍କ କହିବା ଅନୁସାରେ, ସରକାର ‘ୟୁଜେଜ୍ ବେସ୍ଡ ଇନ୍ସ୍ୟୁରାନ୍ସ’ ବ୍ୟବସ୍ଥା ଉପରେ ବିଚାର କରୁଛି। ଏହା ଲାଗୁ ହେଲେ ଚାଳକଙ୍କ ଡ୍ରାଇଭିଂ ଶୈଳୀ ଓ ନିୟମ ପାଳନ ଆଧାରରେ ଇନ୍ସ୍ୟୁରାନ୍ସ ପ୍ରିମିୟମ ନିର୍ଦ୍ଧାରଣ ହୋଇପାରେ। ଅର୍ଥାତ୍ ଭଲ ଡ୍ରାଇଭିଂ କରୁଥିବା ଲୋକଙ୍କୁ କମ୍ ପ୍ରିମିୟମ ଦେବାକୁ ପଡ଼ିପାରେ। ଅନ୍ୟପଟେ ରାଶ୍ ଡ୍ରାଇଭିଂ କିମ୍ବା ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଚାଳକଙ୍କ ଉପରେ ଅଧିକ କଠୋର ପେନାଲ୍ଟି ଲାଗୁ କରିବା ନେଇ ମଧ୍ୟ ବିଚାର ଚାଲିଛି। ଏହି ସମସ୍ତ ପରିବର୍ତ୍ତନକୁ ନେଇ ଏକ ନୂଆ ବିଲ୍ ପ୍ରସ୍ତୁତ କରାଯାଉଥିବା ସୂଚନା ମିଳିଛି।
ଦେଶରେ ବଢ଼ୁଥିବା ସଡ଼କ ଦୁର୍ଘଟଣାକୁ ନେଇ ମଧ୍ୟ ଗଡ଼କରୀ ଚିନ୍ତା ପ୍ରକାଶ କରିଛନ୍ତି। ତାଙ୍କ ଅନୁସାରେ, ପ୍ରତିବର୍ଷ ଦେଶରେ ପ୍ରାୟ ୫ ଲକ୍ଷ ସଡ଼କ ଦୁର୍ଘଟଣା ଘଟୁଛି ଏବଂ ପ୍ରାୟ ୧.୮ ଲକ୍ଷ ଲୋକଙ୍କ ଜୀବନ ଯାଉଛି। ମୃତକଙ୍କ ମଧ୍ୟରେ ପ୍ରାୟ ୬୬ ପ୍ରତିଶତଙ୍କ ବୟସ ୧୮ରୁ ୩୬ ବର୍ଷ ମଧ୍ୟରେ ବୋଲି ସେ କହିଛନ୍ତି।
ଏହା ସହିତ ଗଡ଼କରୀ ‘ୱାନ୍ଟ୍ୟାଗ୍’ ସେବା ମଧ୍ୟ ଲଞ୍ଚ କରିଛନ୍ତି। ଏହା ଦ୍ୱାରା NETC FASTag ବ୍ୟବହାରକାରୀମାନେ ନୂଆ FASTag ନନେଇ ନିଜ ବ୍ୟାଙ୍କ ପରିବର୍ତ୍ତନ କରିପାରିବେ। ଅର୍ଥାତ୍ ମୋବାଇଲ୍ ନମ୍ବର ପୋର୍ଟ କରିବା ଭଳି ଗୋଟିଏ ବ୍ୟାଙ୍କର FASTagକୁ ଅନ୍ୟ ବ୍ୟାଙ୍କକୁ ପୋର୍ଟ କରାଯାଇପାରିବ।

