ପୂର୍ବତନ ସାଂସଦ ତଥା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ପ୍ରଜ୍ୱଳ ରେବନ୍ନା ବର୍ତ୍ତମାନ ବେଙ୍ଗାଲୁରୁର ପରପ୍ପାନା ଅଗ୍ରହାରା କେନ୍ଦ୍ରୀୟ କାରାଗାରରେ ଆଜୀବନ କାରାଦଣ୍ଡାଦେଶ ସଜ୍ଜା କାଟୁଛନ୍ତି।
ପୂର୍ବତନ ସାଂସଦ ତଥା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ପ୍ରଜ୍ୱଳ ରେବନ୍ନା ବର୍ତ୍ତମାନ ବେଙ୍ଗାଲୁରୁର ପରପ୍ପାନା ଅଗ୍ରହାରା କେନ୍ଦ୍ରୀୟ କାରାଗାରରେ ଆଜୀବନ କାରାଦଣ୍ଡାଦେଶ ସଜ୍ଜା କାଟୁଛନ୍ତି। ରେବନ୍ନା ରହୁଥିବା ଜେଲ୍ ବାରାକ ଭିତରେ ଏକ ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ ଥିବା ଜଣାପଡ଼ିବା ପରେ ଜେଲ୍ ଅଧିକାରୀଙ୍କ ବିରୋଧରେ ତଦନ୍ତ ଆରମ୍ଭ ହେବା ସହିତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ପୁଲିସ ମହାନିର୍ଦ୍ଦେଶକ (କାରାଗାର ଓ ସୁଧାର ସେବା) ଆଲୋକ କୁମାର ବୁଧବାର କହିଛନ୍ତି ଯେ, କେନ୍ଦ୍ରୀୟ ଅପରାଧ ଶାଖା (ସିସିବି) ମଙ୍ଗଳବାର କଡ଼ା ସୁରକ୍ଷା ବଳୟରେ ଥିବା ଏହି କାରାଗାରରେ ପାଞ୍ଚ ଘଣ୍ଟା ଧରି ଚଢାଉ କରିଥିଲା। ଚଢ଼ାଉବେଳେ ରେବନ୍ନାଙ୍କ ବାରାକରୁ ଆଣ୍ଡ୍ରଏଡ୍ ଫୋନ୍ ମିଳିଥିଲା। ଆଲୋକ କୁମାର କହିଛନ୍ତି ଯେ, ଚଢ଼ାଉ ପରେ ସିସିବି ପରପ୍ପାନା ଅଗ୍ରହାରା ପୁଲିସ ଷ୍ଟେସନରେ ଅଭିଯୋଗ କରିଛି ଓ ଏତଲା ପଞ୍ଜୀକରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କୁମାର କହିଛନ୍ତି ଯେ, ଅଗଷ୍ଟ ୬ ତାରିଖରେ ଜେଲ
କର୍ତ୍ତୃପକ୍ଷଙ୍କ ଦ୍ୱାରା ରେବନ୍ନାଙ୍କ ବାରାକ ମଧ୍ୟ ତଲାସି କରାଯାଇଥିଲା, କିନ୍ତୁ ସେହି ଯାଞ୍ଚ ସମୟରେ କୌଣସି ନିଷିଦ୍ଧ ସାମଗ୍ରୀ ମିଳି ନଥିଲା।
ଗତକାଲି ଚଢ଼ାଉ ପରେ ଆଣ୍ଡ୍ରଏଡ୍ ଫୋନ୍ ଜବତ ହୋଇଥିଲା। ଏହି ଘଟଣା ପରେ କର୍ତ୍ତବ୍ୟରେ ଅବହେଳା ପାଇଁ ଡିଆଇଜି (ଦକ୍ଷିଣ)ଙ୍କ ସୁପାରିସ କ୍ରମେ ସହକାରୀ ଅଧୀକ୍ଷକ ଇରାନା ରଙ୍ଗାପୁରଙ୍କୁ ନିଲମ୍ବିତ କରାଯାଇଛି। ବେଙ୍ଗାଲୁରୁ କେନ୍ଦ୍ରୀୟ କାରାଗାରର ଅଧୀକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି। ଏହି ଘଟଣାର ସବିଶେଷ ତଦନ୍ତ ଆରମ୍ଭ ହୋଇଛି।
ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବଗୌଡ଼ାଙ୍କ ନାତି ଓ ଜେଡି(ଏସ୍) ନେତା ଏଚ୍ ଡି ରେବନ୍ନାଙ୍କ ପୁଅ ପ୍ରଜ୍ବଳ ରେବନ୍ନା ୨୦୧୯ ରୁ ୨୦୨୪ ପର୍ଯ୍ୟନ୍ତ ଲୋକସଭାରେ ହାସନ ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱ କରିଥିଲେ। ଯୌନ ନିର୍ଯାତନା ମାମଲାରେ ତାଙ୍କୁ ୨୦୨୪ ମେ ମାସରେ ଗିରଫ କରାଯାଇଥିଲା ଓ ପରେ ଏକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ବେଙ୍ଗାଲୁରୁର ଏକ ସ୍ୱତନ୍ତ୍ର କୋର୍ଟ ରେବନ୍ନାଙ୍କୁ ଅଗଷ୍ଟ ୨୦୨୫ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ, ଯାହା ପରେ ତାଙ୍କୁ ପରପ୍ପାନା ଅଗ୍ରହାରା ଜେଲରେ ରଖାଯାଇଥିଲା।

