ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାତିପୁତୁରା ଚନ୍ଦ୍ର କୁମାର ବୋଷ ଏବେ ନିଜର ରାଜନୈତିକ ଦଳ ଗଢ଼ିବାକୁ ପ୍ରସ୍ତୁତ । ‘ଆଜାଦ ହିନ୍ଦ ପାର୍ଟି’ ନାମରେ ନୂଆ ଦଳ ଗଠନ କରିବା ନେଇ ସେ ଘୋଷଣା କରିଛନ୍ତି ।
ଜେନ-ଜି ଆନ୍ଦୋଳନରୁ ପ୍ରେରଣା । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାତିପୁତୁରା ଚନ୍ଦ୍ର କୁମାର ବୋଷ ଏବେ ନିଜର ରାଜନୈତିକ ଦଳ ଗଢ଼ିବାକୁ ପ୍ରସ୍ତୁତ । ‘ଆଜାଦ ହିନ୍ଦ ପାର୍ଟି’ ନାମରେ ନୂଆ ଦଳ ଗଠନ କରିବା ନେଇ ସେ ଘୋଷଣା କରିଛନ୍ତି । ନୂଆ ଦଳରେ ଯୁବବର୍ଗଙ୍କୁ ଗୁରୁତ୍ୱ ଦିଆଯିବା ସହ ନେତାଜୀଙ୍କ ସମାବେଶୀ ଓ ଧର୍ମନିରପେକ୍ଷ ଚିନ୍ତାଧାରାକୁ ଆଧାର କରାଯିବ ବୋଲି ସେ କହିଛନ୍ତି ।
ଚନ୍ଦ୍ର କୁମାର ବୋଷଙ୍କ ରାଜନୈତିକ ଯାତ୍ରାରେ ଏହା ଆଉ ଏକ ବଡ଼ ମୋଡ଼। ସେ ୨୦୧୬ରେ ବିଜେପିରେ ଯୋଗ ଦେଇଥିଲେ । ପ୍ରାୟ ୭ ବର୍ଷ ଦଳରେ ରହିବା ପରେ ୨୦୨୩ରେ ବିଜେପିଛାଡ଼ିଥିଲେ। ଦଳରେ ‘ଆଜାଦ ହିନ୍ଦ ମୋର୍ଚ୍ଚା’ ଗଠନ କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା, ହେଲେ ତାହା ଗଠନ ହୋଇନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଥିଲେ ।
ପରେ ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ସେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ । ନେତାଜୀଙ୍କ ଆଦର୍ଶ ଉପରେ କାମ କରିବାର ସୁଯୋଗ ମିଳିବ ବୋଲି ସେ ଆଶା କରିଥିଲେ । କିନ୍ତୁ ପରେ ବ୍ୟକ୍ତିଗତ କାରଣ ଦର୍ଶାଇ ଟିଏମସିରୁ ମଧ୍ୟ ଇସ୍ତଫା ଦେଇଥିଲେ । ଏବେ ଦିଲ୍ଲୀର ଯନ୍ତର ମନ୍ତରରେ ହୋଇଥିବା ଜେନ-ଜିଙ୍କ ପ୍ରତିବାଦ ତାଙ୍କୁ ନୂଆ ଦଳ ଗଠନ ପାଇଁ ପ୍ରେରଣା ଦେଇଥିବା ଚନ୍ଦ୍ର କୁମାର କହିଛନ୍ତି । ଦେଶରେ ଦୁର୍ନୀତି ବଢ଼ିଥିବାରୁ ଯୁବପିଢ଼ି ବର୍ତ୍ତମାନର ବ୍ୟବସ୍ଥା ଉପରେ ଅସନ୍ତୁଷ୍ଟ ବୋଲି ସେ ଦାବି କରିଛନ୍ତି ।
‘ଆଜାଦ ହିନ୍ଦ ପାର୍ଟି’କୁ ଯୁବବର୍ଗଙ୍କ ଦଳ କରିବାକୁ ଚାହୁଁଛନ୍ତି ଚନ୍ଦ୍ର କୁମାର । ପ୍ରଗତିଶୀଳ, ସମାବେଶୀ ଓ ଧର୍ମନିରପେକ୍ଷ ଚିନ୍ତାଧାରାର ଯୁବକ-ଯୁବତୀଙ୍କୁ ଏହି ଦଳ ସହ ଯୋଡ଼ାଯିବ ବୋଲି ସେ କହିଛନ୍ତି । ତେବେ ନେତାଜୀଙ୍କ ଐତିହ୍ୟ ଓ ଯୁବବର୍ଗଙ୍କ ଅସନ୍ତୋଷକୁ ଭୋଟରେ ପରିଣତ କରିବା ତାଙ୍କ ନୂଆ ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ।

