‘ବିଶ୍ୱର ଯେକୌଣସି କୋଣରେ କରିବୁ ଆକ୍ରମଣ’, ଆମେରିକାକୁ ଇରାନର ଖୋଲା ଚ୍ୟାଲେଞ୍ଜ

ଇରାନର ସରକାରୀ ପ୍ରସାରଣ ସଂସ୍ଥା ଇସଲାମିକ୍ ରିପବ୍ଲିକ୍ ଅଫ୍ ଇରାନ ବ୍ରଡକାଷ୍ଟିଂ ଶନିବାର ହର୍ମୁଜଗାନ୍ ପ୍ରଦେଶର ଜଣେ ଅଧିକାରୀଙ୍କ ସୂଚନା ଆଧାରରେ ଏହି ଖବର ପ୍ରକାଶ କରିଛି।

 ଆମେରିକା ଓ ଇରାନ ମଧ୍ୟରେ ଥମିବାର ନାଁ ନେଉନି ଉତ୍ତେଜନା। ଉଭୟ ଦେଶ ମଧ୍ୟରେ ବଢ଼ୁଥିବା ସାମରିକ ଉତ୍ତେଜନା ଏବେ ନୂଆ ମୋଡ଼ ନେଇଛି। ଆମେରିକା ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି ଇରାନ। ଇରାନର ଅଭିଯୋଗ ଅନୁସାରେ, ହର୍ମୁଜଗାନ୍ ପ୍ରଦେଶର କେଶମ୍ ଦ୍ୱୀପ ନିକଟରେ ଦୁଇଟି ମାଛଧରା ଡଙ୍ଗାକୁ ଟାର୍ଗେଟ କରିଛି ଆମେରିକା। ଏହି ଆକ୍ରମଣରେ ଦୁଇ ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଥିବାବେଳେ ଆଉ ଜଣେ ଆହତ ହୋଇଥିବା ଜଣାପଡ଼ିଛି।

ଇରାନର ସରକାରୀ ପ୍ରସାରଣ ସଂସ୍ଥା ଇସଲାମିକ୍ ରିପବ୍ଲିକ୍ ଅଫ୍ ଇରାନ ବ୍ରଡକାଷ୍ଟିଂ ଶନିବାର ହର୍ମୁଜଗାନ୍ ପ୍ରଦେଶର ଜଣେ ଅଧିକାରୀଙ୍କ ସୂଚନା ଆଧାରରେ ଏହି ଖବର ପ୍ରକାଶ କରିଛି। ତେବେ ଏହି ଆକ୍ରମଣ ନେଇ ଆମେରିକା ପକ୍ଷରୁ ତତ୍କାଳ କୌଣସି ସ୍ପଷ୍ଟୀକରଣ କିମ୍ବା ପୁଷ୍ଟି କରାଯାଇନାହିଁ।
ଅନ୍ୟପଟେ ଇରାନର ସୁପ୍ରିମ୍ ଲିଡର ମୋଜତବା ଖାମେନେଇ ନିଜ ସାମରିକ ବାହିନୀକୁ ଶତ୍ରୁର ଯେକୌଣସି ବିପଦର ତୁରନ୍ତ ଏବଂ ପ୍ରଭାବଶାଳୀ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ଲିଖିତ ବାର୍ତ୍ତାରେ କୁହାଯାଇଛି ଯେ, ଇରାନର ପ୍ରତିଆକ୍ରମଣ ପାଇଁ କୌଣସି ଭୌଗୋଳିକ ସୀମା ରହିବ ନାହିଁ। ଶତ୍ରୁ ପୁଣିଥରେ ସାମରିକ କିମ୍ବା ଆତଙ୍କବାଦୀ ଆକ୍ରମଣ କଲେ, ନୂଆ ସଂଘର୍ଷ କେବେ ଶେଷ ହେବ ଏବଂ କେଉଁ ସର୍ତ୍ତରେ ଶେଷ ହେବ, ତାହା ଇରାନ ନିଜେ ସ୍ଥିର କରିବ ବୋଲି ସେ ଚେତାବନୀ ଦେଇଛନ୍ତି।

ଏଥିସହ ସମସ୍ତ ଆମେରିକୀୟ ଓ ଇସ୍ରାଏଲୀ ସାମରିକ ଘାଟି ଏବଂ ସମ୍ପତ୍ତିକୁ ଟାର୍ଗେଟ୍ କରିବା ପାଇଁ ଟାର୍ଗେଟ୍ ତାଲିକା ଅପଡେଟ୍ କରିବାକୁ ସଶସ୍ତ୍ର ବାହିନୀକୁ କୁହାଯାଇଛି। ଏହାସହ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଉତ୍ପାଦନ ବୃଦ୍ଧି, ସାମରିକ ଗୁଇନ୍ଦା କ୍ଷମତା ସୁଦୃଢ଼ କରିବା ଏବଂ ଘରୋଇ ପ୍ରତିରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧରେ ପୁଣିଥରେ ସାମରିକ କାର୍ଯ୍ୟାନୁଷ୍ଠାନର ସଙ୍କେତ ଦେଉଛନ୍ତି। ନଭେମ୍ବର ୩ରେ ଆମେରିକାର ମିଡଟର୍ମ ନିର୍ବାଚନ ପରେ ଇରାନ ଉପରେ ନୂଆ ଆକ୍ରମଣ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଆମେରିକାର ବରିଷ୍ଠ ସାମରିକ ଅଧିକାରୀମାନେ ମଧ୍ୟ ଟ୍ରମ୍ପଙ୍କ ସମ୍ମୁଖରେ ସମ୍ଭାବ୍ୟ ସାମରିକ କାର୍ଯ୍ୟାନୁଷ୍ଠାନର ବିଭିନ୍ନ ବିକଳ୍ପ ରଖିଥିବା ରିପୋର୍ଟରେ କୁହାଯାଇଛି। ଇସ୍ରାଏଲରେ ମଧ୍ୟ ଇରାନ ବିରୋଧରେ ସାମରିକ ପ୍ରସ୍ତୁତିକୁ ନେଇ ଚର୍ଚ୍ଚା ବଢ଼ିଛି। ଏଭଳି ସ୍ଥିତିରେ ମଧ୍ୟପ୍ରାଚ୍ୟରେ ଆଉ ଏକ ବଡ଼ ଯୁଦ୍ଧର ଆଶଙ୍କା ଘନୀଭୂତ ହେଉଛି।

Leave a Reply

Your email address will not be published. Required fields are marked *