ବଲିଉଡ୍ ଅଭିନେତ୍ରୀ ନୁସରତ ଭରୁଚା ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ତାଙ୍କ ମେରୁଦଣ୍ଡରେ ଗୁରୁତର ଆଘାତ ଲାଗିଥିବା ସୂଚନା ମିଳିଛି । ସ୍ପାଇନାଲ୍ ଫ୍ରାକ୍ଚର ହେବା ପରେ ତାଙ୍କୁ ବାଲିର ଏକ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା ।
ବଲିଉଡ୍ ଅଭିନେତ୍ରୀ ନୁସରତ ଭରୁଚା ଭୟଙ୍କର ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ତାଙ୍କ ମେରୁଦଣ୍ଡରେ ଗୁରୁତର ଆଘାତ ଲାଗିଥିବା ସୂଚନା ମିଳିଛି । ସ୍ପାଇନାଲ୍ ଫ୍ରାକ୍ଚର ହେବା ପରେ ତାଙ୍କୁ ବାଲିର ଏକ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ପରେ ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ମୁମ୍ବାଇ ଅଣାଯାଇଛି ।
ମୁମ୍ବାଇରେ ଏକ ହସ୍ପିଟାଲରେ ନୁସରତଙ୍କ ମେରୁଦଣ୍ଡରେ ସର୍ଜରୀ କରାଯିବାକୁ ଥିବା ଜଣାପଡ଼ିଛି । ମୁମ୍ବାଇ ଫେରିବା ସମୟର କିଛି ଫଟୋ ଓ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ନୁସରତଙ୍କୁ ହ୍ୱିଲଚେୟାରରେ ଦେଖିବାକୁ ମିଳିଛି । କାମ ସହ ଛୁଟି କଟାଇବା ପାଇଁ ନୁସରତ ଇଣ୍ଡୋନେସିଆର ବାଲି ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଆହତ ହେବା ପରେ ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଘାତର ଗୁରୁତରତାକୁ ଦୃଷ୍ଟିରେ ରଖି ଉନ୍ନତ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସରେ ମୁମ୍ବାଇ ଆଣିବାକୁ ନିଷ୍ପତ୍ତି ହୋଇଥିଲା ।
ତେବେ ଦୁର୍ଘଟଣାଟି କେଉଁ ପରିସ୍ଥିତିରେ ଏବଂ କିପରି ଘଟିଲା, ସେନେଇ ନୁସରତଙ୍କ ପରିବାର କିମ୍ବା ଟିମ୍ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ନୁସରତଙ୍କ ଚିକିତ୍ସା ପାଇଁ ଡାକ୍ତରଙ୍କ ଏକ ସ୍ୱତନ୍ତ୍ର ଟିମ୍ ନଜର ରଖିଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ସମୀକ୍ଷା ପରେ ସର୍ଜରୀର ତାରିଖ ନିର୍ଦ୍ଧାରଣ କରାଯିବ। ଗୁରୁତର ଆଘାତ ଓ ଆଗାମୀ ସର୍ଜରୀ ଯୋଗୁଁ ସୁସ୍ଥ ହେବା ପାଇଁ ତାଙ୍କୁ ଦୀର୍ଘ ସମୟ ଲାଗିପାରେ । ଫଳରେ ତାଙ୍କର ଆଗାମୀ ସୁଟିଂ ଓ ପେସାଦାର କାର୍ଯ୍ୟସୂଚୀ ପ୍ରଭାବିତ ହେବାର ସମ୍ଭାବନା ରହିଛି ।
ସେ ଆଗାମୀ ଦିନରେ ଟାଇଗର ଶ୍ରଫଙ୍କ ସହ ଏକ ଫିଲ୍ମରେ ପ୍ରଥମଥର ପାଇଁ ସ୍କ୍ରିନ୍ ଶେୟାର କରିବାର ଥିଲା । ଏହାପୂର୍ବରୁ ୫ ସେପ୍ଟେମ୍ବର ୨୦୨୬ରେ ରିଲିଜ୍ ହୋଇଥିବା କମେଡି-ଡ୍ରାମା ଫିଲ୍ମ ‘ଉଫ୍ଫ ୟେ ସିଆପା’ରେ ନଜର ଆସିଥିଲେ ।

