ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ବଦ୍ରିନାଥରୁ ଦେହରାଦୁନ ଫେରୁଥିବା ଏକ ହେଲିକପ୍ଟର ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପାଇଲଟ୍ଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି। ଜୋଶୀମଠ ଉପତ୍ୟକାରେ ଟ୍ରାକିଂ ସିଷ୍ଟମ୍ରୁ ହେଲିକପ୍ଟରର ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା। ଦୁର୍ଘଟଣା ଦିନ ଚମୋଲି ପାଇଁ ଆଇଏମ୍ଡି ଅରେଞ୍ଜ ଆଲର୍ଟ ଜାରି କରିଥିଲା।
ଉତ୍ତରାଖଣ୍ଡ ହେଲିକପ୍ଟର ଦୁର୍ଘଟଣାରେ ସମସ୍ତ ୬ଜଣଙ୍କ ମୃତ୍ୟୁ ନେଇ ଆସିଛି ବଡ଼଼ ଖବର । ବଦ୍ରିନାଥରୁ ଦେହରାଦୁନ ଫେରୁଥିବା ବେଳେ ଖରାପ ପାଣିପାଗ ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏହି ହେଲିକପ୍ଟର । ଏଥିରେ ପାଇଲଟ୍ଙ୍କ ସମେତ ମୋଟ ୬ ଜଣ ଥିବାବେଳେ ସମସ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି ।
ସୂଚନା ଅନୁସାରେ, ହେଲିକପ୍ଟରଟି ଶୁକ୍ରବାର ଅପରାହ୍ନ ୧ଟା ୧୪ ମିନିଟ୍ରେ ବଦ୍ରିନାଥରୁ ଉଡ଼ାଣ ଆରମ୍ଭ କରିଥିଲା । ଏହା ଦେହରାଦୁନର ସହସ୍ତ୍ରଧାରା ହେଲିପ୍ୟାଡ୍ ଅଭିମୁଖେ ଯାଉଥିଲା । ତେବେ ଜୋଶୀମଠ ଉପତ୍ୟକା ଅତିକ୍ରମ କରୁଥିବା ସମୟରେ ହେଲିକପ୍ଟରଟି ଟ୍ରାକିଂ ସିଷ୍ଟମ୍ରୁ ସମ୍ପର୍କ ହରାଇଥିଲା । ଅପରାହ୍ନ ୨ଟା ୨୧ ମିନିଟ୍ରେ ଜୋଶୀମଠ ଏସ୍ଡିଏମ୍ଙ୍କଠାରୁ ଏନେଇ ସୂଚନା ପାଇଥିଲା ଜିଲ୍ଲା ପ୍ରଶାସନ । ଜୋଶୀମଠ ଅଞ୍ଚଳର ଚାଇ ଗାଁ ଉପରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ମିଳିଥିଲା ।
ଏସଡିଆରଏଫ୍ ଟିମ ଦୀର୍ଘ ସମୟ ଖୋଜା ଖୋଜି ପରେ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିଲେ ।ହେଲିକପ୍ଟରଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଏଥିରେ ଥିବା ଯାତ୍ରୀ ଓ ପାଇଲଟ୍ ଜୀବନ୍ତ ଦଗ୍ଧ ହୋଇଛନ୍ତି । ମୃତଦେହଗୁଡ଼ିକୁ ଉଦ୍ଧାର କରିବା କାର୍ଯ୍ୟ ଜାରି ରହିଛି । ଉତ୍ତରାଖଣ୍ଡ ସିଭିଲ୍ ଏଭିଏସନ୍ ଡେଭଲପମେଣ୍ଟ ଅଥରିଟି (ୟୁକାଡା)ର ସିଇଓ ପ୍ରତୀକ ଜୈନଙ୍କ ସୂଚନା ଅନୁସାରେ, ହେଲିକପ୍ଟରଟି ଜୋଶୀମଠ ଉପତ୍ୟକା ଅତିକ୍ରମ କରିବା ସମୟରେ ଟ୍ରାକିଂ ସିଷ୍ଟମ୍ରୁ ଅଦୃଶ୍ୟ ହୋଇଯାଇଥିଲା । ହେଲିକପ୍ଟରଟି ଟ୍ରାନ୍ସ ଭାରତ ଏଭିଏସନ୍ର ଥିବା ଜଣାପଡ଼ିଛି ।
ଅନ୍ୟପଟେ, ଅକ୍ଟୋବର ୩୦ ତାରିଖ ପାଇଁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଚମୋଲି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଥିଲା । ଏହି ସମୟରେ କେତେକ ସ୍ଥାନରେ ବଜ୍ରପାତ, କୁଆପଥର ବର୍ଷା ଓ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ନେଇ ସତର୍କ କରାଯାଇଥିଲା । ଏହାସହ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଏବଂ ବଦ୍ରିନାଥ-ଜୋଶୀମଠ ଅଞ୍ଚଳରେ ହାଲୁକା ବର୍ଷା ସହ ତୁଷାରପାତର ପୂର୍ବାନୁମାନ ମଧ୍ୟ ରହିଥିଲା । ପାଗ ଖରାପ ସତ୍ତ୍ୱେ ହେଲିକପ୍ଟର ଟି ଯାତ୍ରୀଙ୍କୁ ନେଇ କେଉଁ ପରିସ୍ଥିତିରେ ଉଡ଼ାଣ ଭରିଥିଲା ତାକୁ ନେଇ ସନ୍ଦେହ ବଢ଼ିଛି ।

