ପଞ୍ଜାବରେ SIR ପରେ ଫାଇନାଲ୍ ଭୋଟର ଲିଷ୍ଟ ଜାରି, ଯୋଡ଼ିହେଲେ ୮ ଲକ୍ଷ ନୂଆ ଭୋଟର

ଫାଇନାଲ୍ ଭୋଟର ଲିଷ୍ଟକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟ୍‌ରେ ଅପଲୋଡ୍ କରାଯାଇଛି । ଏହା ସହିତ ବିଭିନ୍ନ ରାଜନୈତିକ ଦଳ, ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଏହି ତାଲିକା ପ୍ରଦାନ କରାଯାଇଛି ।

ପଞ୍ଜାବରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ମୋଟ ୨ କୋଟି ୧ ଲକ୍ଷ ଭୋଟରଙ୍କ ନାମ ସ୍ଥାନ ପାଇଛି । ଏଥିରେ ପ୍ରାୟ ୮ ଲକ୍ଷ ନୂଆ ଭୋଟରଙ୍କ ନାମ ଯୋଡ଼ାଯାଇଛି । ଫାଇନାଲ୍ ଭୋଟର ଲିଷ୍ଟକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟ୍‌ରେ ଅପଲୋଡ୍ କରାଯାଇଛି । ଏହା ସହିତ ବିଭିନ୍ନ ରାଜନୈତିକ ଦଳ, ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଏହି ତାଲିକା ପ୍ରଦାନ କରାଯାଇଛି ।

୮ ଲକ୍ଷ ନୂଆ ଭୋଟରଙ୍କ ନାମ ସାମିଲ

ଅଗଷ୍ଟ ୧୩ ତାରିଖରେ ପ୍ରକାଶିତ ଡ୍ରାଫ୍ଟ ଭୋଟର ତାଲିକାରେ ପ୍ରାୟ ୧ କୋଟି ୯୩ ଲକ୍ଷ ୯୪ ହଜାର ଭୋଟର ପଞ୍ଜୀକୃତ ହୋଇଥିଲେ । ଏହାପରେ ଦାବି ଓ ଆପତ୍ତି ଦାଖଲ ପାଇଁ ସୁଯୋଗ ଦିଆଯାଇଥିଲା । ଯେଉଁ ଭୋଟରଙ୍କ ନାମ ଭୁଲବଶତଃ ବାଦ୍ ପଡ଼ିଥିଲା କିମ୍ବା ଯେଉଁମାନେ ନୂଆ ଭୋଟର ଭାବେ ପଞ୍ଜୀକରଣ କରିବାକୁ ଚାହୁଁଥିଲେ, ସେମାନଙ୍କୁ ଫର୍ମ ନମ୍ବର-୬ ପୂରଣ କରିବାକୁ କୁହାଯାଇଥିଲା ।

ଏହି ପ୍ରକ୍ରିୟାରେ ପ୍ରାୟ ୮ ଲକ୍ଷ ନୂଆ ନାମ ଯୋଡ଼ା ଯାଇଛି । ସେଥିମଧ୍ୟରୁ ପ୍ରାୟ ୩ ଲକ୍ଷ ଯୁବକଯୁବତୀ ପ୍ରଥମ ଥର ପାଇଁ ୧୮ ବର୍ଷ ବୟସରେ ପହଞ୍ଚି ଭୋଟର ହୋଇଛନ୍ତି । ଅନ୍ୟ ପ୍ରାୟ ୫ ଲକ୍ଷ ଲୋକ ପୂର୍ବରୁ ଭୋଟର ତାଲିକାରେ ସ୍ଥାନ ପାଇନଥିବାରୁ ନୂଆ ପଞ୍ଜୀକରଣ ପାଇଁ ଆବେଦନ କରିଥିଲେ ।

SIR ପ୍ରକ୍ରିୟାରେ ରାଜନୈତିକ ଦଳଗୁଡ଼ିକର ସହଯୋଗକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ପଞ୍ଜାବରେ ସମସ୍ତ ରାଜନୈତିକ ଦଳ ସକାରାତ୍ମକ ଭୂମିକା ନିର୍ବାହ କରିଥିଲେ । ଭୋଟରଙ୍କ ସହ ଯୋଗାଯୋଗ କରିବା ଓ ଯାଞ୍ଚ ପ୍ରକ୍ରିୟାରେ ବୁଥ୍‌ସ୍ତରୀୟ ଅଧିକାରୀ (BLO)ଙ୍କୁ ସହଯୋଗ କରିବା ପାଇଁ ବୁଥ୍‌ସ୍ତରୀୟ ଏଜେଣ୍ଟ (BLA) ନିଯୁକ୍ତ କରିବାକୁ ଦଳଗୁଡ଼ିକୁ ଅନୁରୋଧ କରାଯାଇଥିଲା । ଏହି ପ୍ରକ୍ରିୟାରେ ୯୦ ହଜାରରୁ ଅଧିକ BLA ନିଯୁକ୍ତ ହୋଇଥିଲେ । ରାଜ୍ୟର କୌଣସି ବୁଥ୍‌ରେ BLA ନଥିବା ଭଳି ପରିସ୍ଥିତି ନଥିଲା। ଯେଉଁଠାରେ BLO ଭୋଟରଙ୍କ ସହ ଯୋଗାଯୋଗ କରିବାରେ ଅସୁବିଧା ଅନୁଭବ କରୁଥିଲେ, ସେଠାରେ BLAମାନେ ସହଯୋଗ କରିଥିଲେ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *