ଗିଲ୍ ଗତ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଶତକ (୧୧୦) ଏବଂ ଦ୍ବିଶତକ (୨୨୩) ଅର୍ଜନ କରିଥିଲେ । ଶେଫାଳି ମହିଳା ଏସିଆ କପ୍ରେ ଅଗ୍ରଣୀ ରନ୍ ସଂଗ୍ରହକାରୀ ଓ ଏସୀୟ କ୍ରୀଡ଼ା ସେମିଫାଇନାଲ୍ରେ ଶତକ ହାସଲ କରିଥିଲେ ।
ଦୁଇ ଭାରତୀୟ ବ୍ୟାଟର୍ ଶୁଭମନ ଗିଲ୍ ଏବଂ ଶେଫାଳି ବର୍ମା ସେପ୍ଟେମ୍ବର ମାସ ପାଇଁ ଆଇସିସିର ଶ୍ରେଷ୍ଠ ଖେଳାଳି ସମ୍ମାନ ଅର୍ଜନ କରିଛନ୍ତି । ଗିଲ୍ ପୁରୁଷ ବର୍ଗ ପାଇଁ ଏବଂ ଶେଫାଳି ମହିଳା ବର୍ଗ ପାଇଁ ଏହି ପୁରସ୍କାର ବିଜେତା ହୋଇଛନ୍ତି । ଭାରତୀୟ ଦିନିକିଆ ଦଳ ଅଧିନାୟକ ଗିଲ୍ ରେକର୍ଡ ପଞ୍ଚମ ଥର ପାଇଁ ଏହା ଅର୍ଜନ କରି ନୂଆ କୀର୍ତିମାନ ବି ପ୍ରତିଷ୍ଠା କରିଛନ୍ତି । ଗିଲ୍ ଗତ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଶତକ (୧୧୦) ଏବଂ ଦ୍ବିଶତକ (୨୨୩) ଅର୍ଜନ କରିଥିଲେ । ଶେଫାଳି ମହିଳା ଏସିଆ କପ୍ରେ ଅଗ୍ରଣୀ ରନ୍ ସଂଗ୍ରହକାରୀ ଓ ଏସୀୟ କ୍ରୀଡ଼ା ସେମିଫାଇନାଲ୍ରେ ଶତକ ହାସଲ କରିଥିଲେ । ତୃତୀୟ ଥର ପାଇଁ ଗୋଟିଏ ମାସର ଉଭୟ ପୁରୁଷ ଓ ମହିଳା ବର୍ଗର ପୁରସ୍କାର ଭାରତୀୟ ଜିତି ନେଇଛନ୍ତି ।
ଗିଲ୍ ପୂର୍ବରୁ ୨୦୨୩ରେ ଜାନୁଆରି ଓ ସେପ୍ଟେମ୍ବରରେ ଏବଂ ୨୦୨୫ ମସିହାର ଫେବ୍ରୁଆରି ଓ ଜୁଲାଇରେ ମଧ୍ୟ ଶ୍ରେଷ୍ଠ ଖେଳାଳି ହୋଇଥିଲେ । ୨୭ ବର୍ଷୀୟ ଗିଲ୍ ଗତ ମାସରେ ୧୩୩ ବଲ୍ରୁ ୨୨୩ ରନ୍ ସଂଗ୍ରହ କରିବା ଅବସରରେ ଦ୍ରୁତତମ ଦ୍ବିଶତକ ହୋଇଥିଲା । ଫଳରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ୪୦୬ ରନ୍ ପଶ୍ଚାତ୍ଧାବନକୁ ଭାରତ ୩୯ ବଲ୍ ପୂର୍ବରୁ ହାସଲ କରି ନେଇଥିଲା ।
ସେହିଭଳି ଶେଫାଳି ଏସିଆ କପ୍ରେ ୧୮୪.୬୧ ଷ୍ଟ୍ରାଇକରେଟ୍ରେ ସର୍ବାଧିକ ୩୬୦ ରନ୍ ସଂଗ୍ରହ କରିବା ସହ ଏସୀୟ କ୍ରୀଡ଼ାରେ ବାଂଲାଦେଶ ବିପକ୍ଷ ସେମିଫାଇନାଲ୍ରେ ଜୀବନର ପ୍ରଥମ ଟ୍ବେଣ୍ଟି-୨୦ ଶତକ (୧୦୦*) ଏବଂ ଶ୍ରୀଲଙ୍କା ବିପକ୍ଷ ଫାଇନାଲ୍ରେ ୪୮ ରନ୍ କରି ଭାରତକୁ ସ୍ବର୍ଣ୍ଣିମ ସଫଳତା ଦେଇଥିଲେ । ପୂର୍ବରୁ ୨୦୨୪ ଜୁନ୍ରେ ଯଶପ୍ରୀତ୍ ବୁମ୍ରା, ସ୍ମୃତି ମନ୍ଧାନା ଏବଂ ୨୦୨୫ ଅଭିଷେକ ଶର୍ମା ଓ ସ୍ମୃତି ମନ୍ଧାନା ଏହି ସମ୍ମାନକୁ ପୋଛି ନେଇଥିଲେ ।

