ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦ ସେଣ୍ଟ୍ଲୁଇସ ରାପିଡ୍ ଓ ବ୍ଲିଜ୍ ଚେସ୍ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରି ଶୀର୍ଷ ସ୍ଥାନରେ ରହିଛନ୍ତି । ରାପିଡ୍ ବର୍ଗରେ ୧୨ ପଏଣ୍ଟ୍ ହାସଲ କରି ସେ ବିଜେତା ହୋଇଛନ୍ତି ଏବଂ ଗ୍ରାଣ୍ଡ ଚେସ୍ ଟୁର୍ (GCT) ଫାଇନାଲ୍ସ ପାଇଁ ନିଜ ଆଶାକୁ ମଜଭୁତ କରିଛନ୍ତି ।
ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦ ସେଣ୍ଟଲୁଇସ ରାପିଡ୍ ଓ ବ୍ଲିଜ୍ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରି ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ୧୮ ପଏଣ୍ଟ୍ ବିଶିଷ୍ଟ ୯ ରାଉଣ୍ଡ ରାପିଡ୍ ବର୍ଗ ଶେଷ ସୁଦ୍ଧା ସେ ୧୨ ପଏଣ୍ଟ୍ ହାସଲ କରି ବିଜେତା ହୋଇଛନ୍ତି। ଶେଷ ରାଉଣ୍ଡରେ ଡଚ୍ ଜିଏମ୍ ଜୋର୍ଡାନ ଭାନ୍ ଫରେଷ୍ଟ୍ଙ୍କଠାରୁ ପରାଜିତ ହୋଇଥିଲେ ମଧ୍ୟ ପ୍ରଜ୍ଞାନନ୍ଦ ୧ ପଏଣ୍ଟର ଅଗ୍ରଣୀ ସହ ଶୀର୍ଷରେ ରହି ଗ୍ରାଣ୍ଡ ଚେସ୍ ଟୁର୍ (GCT) ଫାଇନାଲ୍ସ ଖେଳିବା ଆଶାକୁ ଉଜ୍ଜୀବିତ ରଖିଛନ୍ତି ।
ରାପିଡ୍ ବର୍ଗରେ ପ୍ରଜ୍ଞାନନ୍ଦଙ୍କ ପଛକୁ ଉଜବେକିସ୍ତାନର ଜାଭୋଖିର ସିନ୍ଦ୍ରାରୋଭ ଓ ଆମେରିକାର ୱେସ୍ଲେ ସୋ ୧୧ ପଏଣ୍ଟ୍ ଲେଖାଏଁ ପାଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ୯ ପଏଣ୍ଟ୍ ଲେଖାଏଁ ହାସଲ କରି ଆମେରିକାର ଲେଭନ ଆରୋନିଆନ୍, ଲିନିଅର ଡୋମିନଗୁଏଜ ପେରେଜ, ନେଦରଲାଣ୍ଡ୍ସ ଅନିଶ ଗିରି ଓ ଜର୍ମାନିର ଭିନସେଣ୍ଟ୍ କେମର ମିଳିତ ଭାବେ ଚତୁର୍ଥରୁ ସପ୍ତମ ସ୍ଥାନରେ ରହିଛନ୍ତି ।
ଅନ୍ୟପଟେ ଆମେରିକାର ଫାବିଆନୋ କାରୁଆନା ଓ ଡଚ୍ ଜିଏମ୍ ଫରେଷ୍ଟ୍ ୮ ପଏଣ୍ଟ୍ ଲେଖାଏଁ ପାଇ ଅଷ୍ଟମ ଓ ନବମ ସ୍ଥାନରେ ଥିବା ବେଳେ ଆମେରିକାର ଆୱଣ୍ଡର ଲିଓଙ୍ଗ ୫ ପଏଣ୍ଟ୍ ସହ ଦଶମ ସ୍ଥାନରେ ରହିଛନ୍ତି। ରାପିଡ୍ ବର୍ଗ ପରେ ଏବେ ୧୮ ପଏଣ୍ଟ ବିଶିଷ୍ଟ ବ୍ଲିଜ୍ ପର୍ଯ୍ୟାୟ ଖେଳାଯିବ, ଯାହା ପରେ ଟୁର୍ଣ୍ଣାମେଣ୍ଟର ଚୂଡ଼ାନ୍ତ ବିଜେତା ନିର୍ଣ୍ଣୟ କରାଯିବ ।

