ଫିଲ୍ମର କାହାଣୀରେ ଭାରତ ଓ ପାକିସ୍ତାନ ମଧ୍ୟରେ ରହିଥିବା ଉତ୍ତେଜନାକୁ ପରୋକ୍ଷ ଭାବେ ଦର୍ଶାଯାଇଛି। ଏହି କାରଣରୁ ନେପାଳର କେନ୍ଦ୍ରୀୟ ଚଳଚ୍ଚିତ୍ର ଯାଞ୍ଚ କମିଟି ଫିଲ୍ମର ସାର୍ବଜନୀନ ପ୍ରଦର୍ଶନକୁ ଅନୁମତି ଦେଇନାହିଁ।
ବଲିଉଡ୍ ଅଭିନେତା ଆୟୁଷ୍ମାନ ଖୁରାନା ଓ ସାରା ଅଲ୍ଲୀ ଖାନ୍ଙ୍କ ଅଭିନୀତ ଫିଲ୍ମ ‘ଉଡ଼ତା ତୀର’କୁ ନେପାଳରେ ବଡ଼ ଝଟକା ଲାଗିଛି। ଏହି ଫିଲ୍ମର ରିଲିଜ୍ ଉପରେ ନେପାଳ ସରକାର ରୋକ୍ ଲଗାଇଛନ୍ତି। ଦେଶର ସୂଚନା ଓ ଯୋଗାଯୋଗ ମନ୍ତ୍ରଣାଳୟ ପକ୍ଷରୁ ଫିଲ୍ମ ବିତରଣକାରୀ ସଂସ୍ଥା ନ୍ୟାସନାଲ୍ ସିନେ ଗ୍ରୁପ୍କୁ ଚିଠି ଲେଖି ଏହି ନିଷ୍ପତ୍ତି ବିଷୟରେ ଜଣାଇ ଦିଆଯାଇଛି।
ଆକାଶ କୌଶିକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଚଳିତ ଶୁକ୍ରବାରଠାରୁ ସିନେମା ହଲ୍ରେ ରିଲିଜ୍ ହେବାର ଥିଲା। କିନ୍ତୁ ନେପାଳର ମନ୍ତ୍ରଣାଳୟ ଅଧୀନସ୍ଥ ଅଡିଓ-ଭିଡିଓ ଓ ପ୍ରସାରଣ ଶାଖା କହିଛି ଯେ, ଫିଲ୍ମର ବିଷୟବସ୍ତୁ ନିର୍ମାଣ, ପ୍ରଦର୍ଶନ ଓ ବିତରଣ ଆଇନ, ୨୦୨୬ର ଧାରା ୮(୩) ଅନୁଯାୟୀ ନିଷିଦ୍ଧ ବର୍ଗରେ ଆସୁଛି। ତେଣୁ ଏହାକୁ ସାର୍ବଜନୀନ ଭାବେ ପ୍ରଦର୍ଶନ କରିବାକୁ ଅନୁମତି ଦିଆଯାଇନାହିଁ।
ରିପୋର୍ଟ ଅନୁସାରେ, ଫିଲ୍ମର କାହାଣୀରେ ଭାରତ ଓ ପାକିସ୍ତାନ ମଧ୍ୟରେ ରହିଥିବା ଉତ୍ତେଜନାକୁ ପରୋକ୍ଷ ଭାବେ ଦର୍ଶାଯାଇଛି। ଏହି କାରଣରୁ ନେପାଳର କେନ୍ଦ୍ରୀୟ ଚଳଚ୍ଚିତ୍ର ଯାଞ୍ଚ କମିଟି ଫିଲ୍ମର ସାର୍ବଜନୀନ ପ୍ରଦର୍ଶନକୁ ଅନୁମତି ଦେଇନାହିଁ। ଅନ୍ୟ ଦେଶର ଜାତୀୟତା କିମ୍ବା ସେଠାକାର ସମୁଦାୟ ଉପରେ ପ୍ରଭାବ ପକାଇପାରୁଥିବା ଫିଲ୍ମର ପ୍ରଦର୍ଶନ ରୋକିବା ପାଇଁ ନେପାଳରେ ଆଇନଗତ ବ୍ୟବସ୍ଥା ରହିଛି।
କରଣ ଜୋହରଙ୍କ ପ୍ରଯୋଜନା ସଂସ୍ଥା ଅଧୀନରେ ନିର୍ମିତ ଏହି ସ୍ପାଏ ଥ୍ରିଲର୍ରେ ଆୟୁଷ୍ମାନ ଖୁରାନା, ସାରା ଅଲ୍ଲୀ ଖାନ୍, ଗୁଲଶନ ଗ୍ରୋଭର ଓ ରାମ କପୁର ପ୍ରମୁଖ ଅଭିନୟ କରିଛନ୍ତି। ଫିଲ୍ମର କାହାଣୀ ଜଣେ ପାକିସ୍ତାନୀ ଏଜେଣ୍ଟକୁ ନେଇ ଗତିଶୀଳ। ଭାରତରେ ପ୍ରବେଶ କରିବା ପରେ ଏକ ଦୁର୍ଘଟଣା ଯୋଗୁଁ ସେ ନିଜର ସ୍ମୃତିଶକ୍ତି ହରାଇ ବସେ। ପରେ ତା’ର ମନରେ ଭାରତ ପ୍ରତି ଭଲପାଇବା ସୃଷ୍ଟି ହୁଏ ଏବଂ ସେ ଭାରତର ଦେଶଭକ୍ତ ଏଜେଣ୍ଟ ଭାବେ ପାକିସ୍ତାନୀ ଆତଙ୍କବାଦୀ ଓ ଗୁପ୍ତଚରଙ୍କୁ ଧରିବାରେ ଲାଗିପଡ଼େ। ଏହି କାହାଣୀକୁ ନେଇ ନେପାଳରେ ଫିଲ୍ମର ରିଲିଜ୍ ଅଟକିଥିବା କୁହାଯାଉଛି।

