ଟାଇଗର ଶ୍ରଫ୍‌ଙ୍କୁ ଗୁଳିମାଡ଼ ପରେ କେମିତି ମୁମ୍ବାଇରୁ କୋଟା ଗଲେ ଅଭିଯୁକ୍ତ? ପୋଲିସ ଖୋଲିଲା ପୂରା ରହସ୍ୟ!

ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣ ହରିୟାଣାର ସୋନିପତର ବାସିନ୍ଦା ହୋଇଥିବା ବେଳେ ଅନ୍ୟ ଜଣେ ବିହାରର ବୋଲି ଜଣାପଡ଼ିଛି। ରିତିକ୍ ନାମକ ଅଭିଯୁକ୍ତ ସେପ୍ଟେମ୍ବର ୧୧ ତାରିଖରେ ଗୁଳିମାଡ଼ରେ ବ୍ୟବହୃତ ବାଇକ୍‌ଟି କିଣିଥିଲା।

ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଉପରେ ଗୁଳିମାଡ଼ ଘଟଣାରେ ବଡ଼ ସଫଳତା ପାଇଛି ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ। ଘଟଣାରେ ସମ୍ପୃକ୍ତ ତିନି ଅଭିଯୁକ୍ତଙ୍କୁ ରାଜସ୍ଥାନର କୋଟାରୁ ଗିରଫ କରାଯାଇଛି। ସୋମବାର ଏନେଇ ସୂଚନା ଦେଇଛନ୍ତି ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚର ଡିସିପି ରାଜ ତିଲକ ରୋଶନ। ଗିରଫ ତିନି ଅଭିଯୁକ୍ତଙ୍କୁ ମୁମ୍ବାଇ ଅଣାଯାଉଥିବା ସେ କହିଛନ୍ତି। ଏହି ଘଟଣାରେ କୌଣସି ଅଭିଯୁକ୍ତ ନାବାଳକ ନୁହନ୍ତି ବୋଲି ପୋଲିସ ସ୍ପଷ୍ଟ କରିଛି।

ପୋଲିସର ସୂଚନା ଅନୁସାରେ, ଟାଇଗର ଶ୍ରଫ୍‌ଙ୍କ ବିଏମ୍‌ଡବ୍ଲ୍ୟୁ କାର୍‌ ଉପରକୁ ପାଞ୍ଚ ରାଉଣ୍ଡ ଗୁଳି ଚଳାଇବା ପରେ ଅଭିଯୁକ୍ତମାନେ ଅନ୍ଧେରୀ ପଶ୍ଚିମ ଷ୍ଟେସନ ନିକଟରେ ନିଜ ବାଇକ୍‌ ଛାଡ଼ି ପଳାଇଥିଲେ। ପରେ ସେମାନେ ଲୋକାଲ୍ ଟ୍ରେନ୍‌ରେ ବୋରିଭଲି ଯାଇଥିଲେ। ସେଠାରୁ ଏକ କ୍ୟାବ୍‌ ଯୋଗେ ସୁରଟରେ ପହଞ୍ଚିଥିଲେ। ଏହାପରେ ଜୟପୁର ଏକ୍ସପ୍ରେସ୍‌ ଟ୍ରେନ୍‌ରେ କୋଟା ଯାଇଥିଲେ। ଗୁଳିମାଡ଼ ଘଟଣା ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ୨୦ଟି ଟିମ୍ ଗଠନ କରାଯାଇଥିଲା।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣ ହରିୟାଣାର ସୋନିପତର ବାସିନ୍ଦା ହୋଇଥିବା ବେଳେ ଅନ୍ୟ ଜଣେ ବିହାରର ବୋଲି ଜଣାପଡ଼ିଛି। ରିତିକ୍ ନାମକ ଅଭିଯୁକ୍ତ ସେପ୍ଟେମ୍ବର ୧୧ ତାରିଖରେ ଗୁଳିମାଡ଼ରେ ବ୍ୟବହୃତ ବାଇକ୍‌ଟି କିଣିଥିଲା। ଅନ୍ୟପଟେ ରେହାନ ଓ ଫୁଲ ସିଂହ ଗୁଳି ଚଳାଇଥିବା ଶୁଟର ବୋଲି ପୋଲିସ କହିଛି। ଫୁଲ ସିଂହର ବନ୍ଧୁକ ଜାମ୍ ହୋଇଯାଇଥିବା ମଧ୍ୟ ସୂଚନା ମିଳିଛି।

ପୋଲିସ କହିଛି, ଏହି ଆକ୍ରମଣରେ ଦୁଇଟି ଅସ୍ତ୍ର ବ୍ୟବହାର ହୋଇଥିଲା ଏବଂ ଏକାଧିକ ରାଉଣ୍ଡ ଗୁଳି ଚଳାଯାଇଥିଲା। ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଉଦ୍ୟମ ଓ ଆର୍ମସ୍ ଆକ୍ଟ ଅନୁସାରେ ମାମଲା ରୁଜୁ ହୋଇଛି। ସୋସିଆଲ୍ ମିଡିଆରେ ଆସିଥିବା ଧମକପୂର୍ଣ୍ଣ ପୋଷ୍ଟଗୁଡ଼ିକର ମଧ୍ୟ ଯାଞ୍ଚ ଚାଲିଛି।
ସୂଚନାଯୋଗ୍ୟ, ମୁମ୍ବାଇର ଜୁହୁ ଅଞ୍ଚଳରେ ଟାଇଗର ଶ୍ରଫ୍‌ଙ୍କ ବିଏମ୍‌ଡବ୍ଲ୍ୟୁ କାର୍‌ ଉପରେ ତିନି ଜଣ ବାଇକ୍ ଆରୋହୀ ପାଞ୍ଚ ରାଉଣ୍ଡ ଗୁଳି ଚଳାଇଥିଲେ। ଏଥିରେ ଟାଇଗର ଆହତ ହୋଇନଥିବା ବେଳେ ତାଙ୍କ ଡ୍ରାଇଭର ଓ ଜଣେ ଅଟୋ ଚାଳକ ଆହତ ହୋଇଥିଲେ। ଏହି ଆକ୍ରମଣର ଦାୟିତ୍ୱ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସୋସିଆଲ୍ ମିଡିଆ ପୋଷ୍ଟ ମାଧ୍ୟମରେ ନେଇଥିବା ଦାବି କରାଯାଇଛି। ଏଥିସହ ସଲମାନ ଖାନ୍‌ଙ୍କ ସହ କାମ କରୁଥିବା ଲୋକଙ୍କୁ ମଧ୍ୟ ଟାର୍ଗେଟ୍ କରାଯିବ ବୋଲି ଧମକ ଦିଆଯାଇଛି।

Leave a Reply

Your email address will not be published. Required fields are marked *