ଉତ୍ତରାଖଣ୍ଡର ନୂଆ ରାଜ୍ୟପାଳ ହେଲେ ଢାଲ ସିଂହ ବିସେନ, ଆଜି ନେଲେ ଶପଥ

ଡେରାଡୁନସ୍ଥିତ ଲୋକଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ମନୋଜ କୁମାର ତିୱାରୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ଉତ୍ତରାଖଣ୍ଡର ନୂତନ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ଡାକ୍ତର ଢାଲ ସିଂହ ବିସେନ । ସୋମବାର ଡେରାଡୁନସ୍ଥିତ ଲୋକଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ମନୋଜ କୁମାର ତିୱାରୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ଏହି ସମାରୋହରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି, ତାଙ୍କ କ୍ୟାବିନେଟର ସଦସ୍ୟ, ମୁଖ୍ୟ ସଚିବ ଆନନ୍ଦ ବର୍ଦ୍ଧନଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଢାଲ ସିଂହ ବିସେନ ପୂର୍ବତନ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ଗୁରମିତ୍ ସିଂହଙ୍କ ସ୍ଥାନ ନେଇଛନ୍ତି । ମଧ୍ୟପ୍ରଦେଶ ରାଜନୀତିରେ ଢାଲ ସିଂହ ବିସେନଙ୍କର ଦୀର୍ଘ ଅଭିଜ୍ଞତା ରହିଛି । ପେଶାରେ ଡାକ୍ତର ଓ କୃଷକ ଥିବା ବିସେନଙ୍କ ଜନ୍ମ ୧୪ ମେ’ ୧୯୫୨ରେ ମଧ୍ୟପ୍ରଦେଶର ସିଓନି ଜିଲ୍ଲା ଅନ୍ତର୍ଗତ ପିପାରିୟାରେ ହୋଇଥିଲା । ସେ ଦୀର୍ଘଦିନ ଧରି ବିଜେପି ସହ ଜଡ଼ିତ ରହିବା ସହ ରାଜ୍ୟ ରାଜନୀତିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି ।

୧୯୯୦ରୁ ୨୦୦୮ ମଧ୍ୟରେ ସେ ଚାରିଥର ମଧ୍ୟପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହି ସମୟରେ ସେ ଜଙ୍ଗଲ, ପରିବହନ, ଖଣିଜ ସମ୍ପଦ, ସ୍କୁଲ ଶିକ୍ଷା ଓ ଜେଲ୍ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଏହାସହ ସେ ଲୋକସଭାର ସାଂସଦ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ୨୦୧୯ ମସିହାରେ ସେ ୧୭ତମ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

ରବିବାର ସନ୍ଧ୍ୟାରେ ଢାଲ ସିଂହ ବିସେନ ଡେରାଡୁନରେ ପହଞ୍ଚିଥିଲେ। ଜଲି ଗ୍ରାଣ୍ଟ ବିମାନବନ୍ଦରରେ ଉତ୍ତରାଖଣ୍ଡ ପୁଲିସ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ଏହି ଅବସରରେ କ୍ୟାବିନେଟ୍ ମନ୍ତ୍ରୀ ସୁବୋଧ ୟୁନିୟାଲ, ମୁଖ୍ୟ ସଚିବ ଆନନ୍ଦ ବର୍ଦ୍ଧନ, ପୁଲିସ ମହାନିର୍ଦ୍ଦେଶକ ଦୀପମ ସେଠ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ଆଶିଷ ଚୌହାନ ତାଙ୍କୁ ସ୍ୱାଗତ କରିଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅକ୍ଟୋବର ୧୨ ତାରିଖରେ ଡାକ୍ତର ଢାଲ ସିଂହ ବିସେନଙ୍କୁ ଉତ୍ତରାଖଣ୍ଡର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *