ଆଲଗୋରିଦମ୍ ବଦଳାଅ,ଏକପାଖିଆ କଣ୍ଟେଣ୍ଟ୍ ଦେଖାଅନି; ମେଟାକୁ କେନ୍ଦ୍ରର କଡ଼ା ଚେତାବନୀ

କେବଳ ଆପତ୍ତିଜନକ ବିଷୟବସ୍ତୁ ହଟାଇବା ନୁହେଁ, ବରଂ କେଉଁ ଆଧାରରେ ଗୋଟିଏ ପୋଷ୍ଟ ଅଧିକ ଲୋକଙ୍କ ପାଖରେ ପହଞ୍ଚୁଛି, ସେହି ଆଲଗୋରିଦମ୍‌ର ମଧ୍ୟ ସମୀକ୍ଷା କରିବାକୁ ମେଟାକୁ ପରାମର୍ଶ ଦେଇଛି କେନ୍ଦ୍ର । 

ଫେସବୁକ୍ ଓ ଇନଷ୍ଟାଗ୍ରାମ୍‌ରେ କେଉଁ ଖବର ଓ ଭିଡିଓ ଅଧିକ ଲୋକଙ୍କ ପାଖରେ ପହଞ୍ଚିବ, ତାହାକୁ ନେଇ ମେଟା ଉପରେ କେନ୍ଦ୍ର ସରକାରଙ୍କ କଡ଼ା ଆଭିମୁଖ୍ୟ । କେବଳ ଆପତ୍ତିଜନକ ବିଷୟବସ୍ତୁ ହଟାଇବା ନୁହେଁ, ବରଂ କେଉଁ ଆଧାରରେ ଗୋଟିଏ ପୋଷ୍ଟ ଅଧିକ ଲୋକଙ୍କ ପାଖରେ ପହଞ୍ଚୁଛି, ସେହି ଆଲଗୋରିଦମ୍‌ର ମଧ୍ୟ ସମୀକ୍ଷା କରିବାକୁ ମେଟାକୁ ପରାମର୍ଶ ଦେଇଛି କେନ୍ଦ୍ର । ଏକପାଖିଆ ତଥ୍ୟ, ଭ୍ରମାତ୍ମକ ଖବର ଏବଂ ବିନା ପ୍ରସଙ୍ଗରେ ଭିଡିଓ ପ୍ରସାରଣକୁ ନେଇ ସରକାର ଚିନ୍ତା ପ୍ରକାଶ କରିଛନ୍ତି ।

ଆଲଗୋରିଦମ୍ ଉପରେ ସରକାରଙ୍କ ନଜର

କେନ୍ଦ୍ରୀୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ (MeitY) ଅକ୍ଟୋବର ୧୦ ତାରିଖରେ ଜାରି କରିଥିବା ଏକ ପରାମର୍ଶରେ ମେଟାକୁ ନିଜର କଣ୍ଟେଣ୍ଟ ରିକମେଣ୍ଡେସନ୍ ଓ ରାଙ୍କିଂ ସିଷ୍ଟମ୍‌ର ସମୀକ୍ଷା କରିବାକୁ କହିଛି । ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ବ୍ୟବହାରକାରୀଙ୍କୁ ଯେପରି ବିଶ୍ୱସନୀୟ, ପ୍ରାସଙ୍ଗିକ ଏବଂ ବିଭିନ୍ନ ଦୃଷ୍ଟିକୋଣର ତଥ୍ୟ ମିଳିପାରିବ, ତାହା ସୁନିଶ୍ଚିତ କରିବାକୁ ମନ୍ତ୍ରଣାଳୟ ଗୁରୁତ୍ୱ ଦେଇଛି ।

ସରକାରଙ୍କ ଚିନ୍ତା ହେଉଛି, ଯଦି କୌଣସି ନିର୍ଦ୍ଦିଷ୍ଟ ପ୍ରକାରର ବିଷୟବସ୍ତୁକୁ ଆଲଗୋରିଦମ୍ ବାରମ୍ବାର ଅଧିକ ପ୍ରୋତ୍ସାହନ ଦିଏ, ତେବେ ଲୋକଙ୍କ ମଧ୍ୟରେ ଭ୍ରମ, ଭୟ ଓ ଅସ୍ଥିରତା ସୃଷ୍ଟି ହୋଇପାରେ। ବିଶେଷକରି ଆଇନଶୃଙ୍ଖଳା ପରିସ୍ଥିତି କିମ୍ବା ସମ୍ବେଦନଶୀଳ ଘଟଣା ସମୟରେ ଏହାର ପ୍ରଭାବ ଗମ୍ଭୀର ହୋଇପାରେ ।

ପୁରୁଣା ଭିଡିଓକୁ ନୂଆ ଘଟଣା କହି ପ୍ରସାରଣ ଉପରେ ଚିନ୍ତା

ପୁରୁଣା ଫଟୋ ଓ ଭିଡିଓକୁ ନୂଆ ଘଟଣାର ବୋଲି ଦର୍ଶାଇବା, ସମ୍ପାଦିତ ଭିଜୁଆଲ୍, ପୁଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ଅପୁଷ୍ଟ ଦାବି ଏବଂ ପର୍ଯ୍ୟାପ୍ତ ତଥ୍ୟ ବିନା ଅଡିଓ-ଭିଡିଓ ପ୍ରସାରଣକୁ ନେଇ ମନ୍ତ୍ରଣାଳୟ ଉଦ୍‌ବେଗ ପ୍ରକାଶ କରିଛି । ଏଭଳି ବିଷୟବସ୍ତୁ ଯଦି ଆଲଗୋରିଦମ୍ ମାଧ୍ୟମରେ ଦ୍ରୁତ ଗତିରେ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚେ, ତେବେ ଏହା କେବଳ ସୋସିଆଲ୍ ମିଡିଆରେ ସୀମିତ ରହିବ ନାହିଁ। ବାସ୍ତବ ଜୀବନରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ ବୋଲି ସରକାର ଆଶଙ୍କା କରିଛନ୍ତି ।

ଅଧିକ ପ୍ରସାରିତ ପୋଷ୍ଟ ଉପରେ ରହିବ ନଜର

ମେଟାକୁ ଏଭଳି ଏକ ଦୃଢ଼ ବ୍ୟବସ୍ଥା ବିକଶିତ କରିବାକୁ କୁହାଯାଇଛି, ଯାହା ଆଲଗୋରିଦମ୍ ଜରିଆରେ ଅସ୍ୱାଭାବିକ ଭାବେ ଅଧିକ ପ୍ରସାର ପାଉଥିବା ପୋଷ୍ଟଗୁଡ଼ିକୁ ଚିହ୍ନଟ କରିପାରିବ । ଆବଶ୍ୟକ ସ୍ଥଳେ ଏହି ପୋଷ୍ଟଗୁଡ଼ିକର ତୁରନ୍ତ ସମୀକ୍ଷା କରିବା ସହ ଉଚ୍ଚସ୍ତରକୁ ଅବଗତ କରାଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ବିଶେଷକରି ଯେଉଁ ବିଷୟବସ୍ତୁ ଯୋଗୁଁ ବ୍ୟାପକ ଭ୍ରମ, ହିଂସା କିମ୍ବା ସାର୍ବଜନୀନ ଶାନ୍ତି ଭଙ୍ଗ ହେବାର ଆଶଙ୍କା ରହିଛି, ସେଗୁଡ଼ିକୁ ନେଇ ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି ।

ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ରହିବନି ଅନାବଶ୍ୟକ କଟକଣା

ସୂଚନା ପ୍ରଯୁକ୍ତି ଆଇନ, ୨୦୦୦ ଏବଂ ଆଇଟି ନିୟମ, ୨୦୨୧ ଅନୁଯାୟୀ ଜାରି ଏହି ପରାମର୍ଶରେ ସରକାର ସ୍ପଷ୍ଟ କରିଛନ୍ତି ଯେ, ଏହାର ଉଦ୍ଦେଶ୍ୟ ବୈଧ ଅଭିବ୍ୟକ୍ତି କିମ୍ବା ସାର୍ବଜନୀନ ଆଲୋଚନାକୁ ରୋକିବା ନୁହେଁ। ବରଂ ଦାୟିତ୍ୱପୂର୍ଣ୍ଣ ଭାବେ ତଥ୍ୟ ପ୍ରସାରଣ ସହ ଲୋକଙ୍କ ମତ ପ୍ରକାଶ କରିବାର ସ୍ୱାଧୀନତାକୁ ସମ୍ମାନ ଦେବା ଉପରେ ଗୁରୁତ୍ୱ ଦିଆଯାଇଛି ।

ସରକାରଙ୍କ ମତରେ, କୌଣସି ପୋଷ୍ଟକୁ କେବଳ ପ୍ଲାଟଫର୍ମରେ ରଖିବା ଏବଂ ଆଲଗୋରିଦମ୍ ମାଧ୍ୟମରେ ତାହାକୁ ବ୍ୟାପକ ଭାବେ ପ୍ରସାର କରିବା ଦୁଇଟି ଭିନ୍ନ କଥା। ତେଣୁ ସୋସିଆଲ୍ ମିଡିଆ କମ୍ପାନୀଗୁଡ଼ିକର ଦାୟିତ୍ୱ ମଧ୍ୟ ବଢ଼ିବା ଆବଶ୍ୟକ । ମେଟାକୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ସହ ଏ ସମ୍ପର୍କରେ ମନ୍ତ୍ରଣାଳୟକୁ ଅବଗତ କରାଇବାକୁ କୁହାଯାଇଛି। ତେବେ କେଉଁ ନିର୍ଦ୍ଦିଷ୍ଟ ପୋଷ୍ଟକୁ ନେଇ ଏହି ପରାମର୍ଶ ଜାରି ହୋଇଛି କିମ୍ବା ମେଟା ନିଜ ଆଲଗୋରିଦମ୍‌ରେ କେଉଁ ପରିବର୍ତ୍ତନ କରିବ, ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ଏବେ ବଡ଼ ପ୍ରଶ୍ନ ହେଉଛି—ସୋସିଆଲ୍ ମିଡିଆରେ କେବଳ କ’ଣ ଦେଖାଯାଉଛି ତାହା ନୁହେଁ, ବରଂ କାହିଁକି ଏବଂ କେଉଁ ବିଷୟକୁ ଅଧିକ ଦେଖାଯାଉଛି, ତାହାର ଉତ୍ତର ମେଟା ଦେଇପାରିବ କି ?

Leave a Reply

Your email address will not be published. Required fields are marked *