ଜର୍ମାନୀକୁ ବିଦା କରି ପାରାଗୁଏ ରଚିଲା ଇତିହାସ

ବିଶ୍ୱକପ୍‌ରେ ପ୍ରଥମ ଥର ପେନାଲ୍ଟିରେ ଜର୍ମାନୀ ନକ୍‌ ଆଉଟ୍‌ । ପାରାଗୁଏରେ ଜାତୀୟ ଛୁଟି ଘୋଷଣା ।

୪ ଥର ବିଜେତା ଜର୍ମାନୀକୁ ଚକିତ କରି ପାରାଗୁଏ ଐତିହାସିକ ବିଜୟ ସହ ଚଳିତ ଫିଫା ବିଶ୍ୱକପ୍‌ର ପ୍ରି-କ୍ୱାର୍ଟରଫାଇନାଲ୍‌ରେ ପ୍ରବେଶ କରିଛି । ଅନେକ ଆଶା ନେଇ ଆମେରିକା ଆସିଥିବା ଜର୍ମାନୀର ପଞ୍ଚମ ବିଶ୍ୱକପ୍‌ ବିଜୟର ସ୍ୱପ୍ନ ବି ଧୂଳିସାତ ହୋଇଯାଇଛି । ଏହି ଶକ୍ତିଶାଳୀ ୟୁରୋପୀୟ ଦଳକୁ ସୋମବାର ରାତିରେ ଦକ୍ଷିଣ ଆମେରିକୀୟ ଦେଶ ପାରାଗୁଏ ୪-୩ (୧-୧) ପେନାଲ୍ଟି ଗୋଲ୍‌ରେ ହରାଇ ଐତିହାସିକ ସଫଳତା ଅର୍ଜନ କରିଛି ।

ପ୍ରଥମ ଥର ପାଇଁ ଜର୍ମାନୀ ଏକ ବିଶ୍ୱକପ୍‌ ମ୍ୟାଚ୍‌ରେ ବି ପେନାଲ୍ଟି ସୁଟ୍‌ଆଉଟ୍‌ରେ ନକ୍‌ ଆଉଟ୍‌ ହୋଇଛି । ଉଚ୍ଚମାନସିକ ଚାପ ଭରା ଏହି ମ୍ୟାଚ୍‌ରେ ଜର୍ମାନୀ ଆତ୍ମସମର୍ପଣ କରିବା କୋଟି କୋଟି ଫୁଟ୍‌ବଲ୍‌ପ୍ରେମୀଙ୍କୁ ନିରାଶ କରିଛି । ସମାନ ସମୟରେ ପାରାଗୁଏ ନୂଆ ପ୍ରଶଂସକଙ୍କୁ ସ୍ମରଣୀୟ ମୁହୂର୍ତ ଅର୍ପଣ କରିଛି । ନିର୍ଦ୍ଧାରିତ ସମୟରେ ଏହି ମ୍ୟାଚ୍‌ ୧-୧ ଗୋଲ୍‌ରେ ଶେଷ ହେବା ପରେ ଅତିରିକ୍ତ ୩୦ ମିନିଟ୍‌ ଖେଳ ହୋଇଥିଲା । ଯେଉଁ ସମୟରେ ଉଭୟ ଦଳ ଗୋଲ୍‌ ଦେବାରେ ସକ୍ଷମ ହୋଇନଥିଲେ । ୧୨୦ ମିନିଟ୍‌ର ସଂଘର୍ଷ ପରେ ପେନାଲ୍ଟି ବେଳକୁ କିନ୍ତୁ କାଇ ହାର୍ଭେଜ୍‌, ନିକ୍‌ ୱଲ୍‌ଟେମେଡ୍‌ ଏବଂ ୟୋନାଥନ ତାହ ବିଫଳ ହେବା ଜର୍ମାନୀକୁ ଅଶ୍ରୁଳ ବିଦାୟର ରାସ୍ତା ଦେଖାଇଥିଲା । ପେନାଲ୍ଟି ସମୟରେ ପାରାଗୁଏ ଗୋଲି ଅର୍ଲାଣ୍ଡୋ ଗିଲ୍‌ଙ୍କ ଚମତ୍କାର ପ୍ରଦର୍ଶନ ବି ଫୁଟ୍‌ବଲ୍‌ ବିଶାରଦମାନଙ୍କୁ ଚକିତ କରି ଦେଇଥିଲା । ପେନାଲ୍ଟି ସୁଟ୍‌ ଆଉଟ୍‌ ସମୟରେ କେବଳ ଶାରୀରିକ ସାମର୍ଥ୍ୟ ନୁହେଁ ମନସ୍ତାତ୍ତ୍ୱିକ ଚାପ ବି ପରୀକ୍ଷା ନିଏ ବୋଲି ପୁଣି ଥରେ ପ୍ରମାଣିତ ହୋଇଯାଇଛି ।

ଏହି ମ୍ୟାଚ୍‌ର ନିୟମିତ ସମୟରେ ଜୁଲିଓ ଏନ୍‌ସିକେ ୪୨ ମିନିଟ୍‌ରେ ପାରାଗୁଏକୁ ଅଗ୍ରଣୀ ଦେଇଥିଲେ । ଏହି ଗୋଲ୍‌ ସହ ପାରାଗୁଏ ମଧ୍ୟ ପ୍ରଥମାର୍ଦ୍ଧ ସମ୍ମାନ ନିଜ ସପକ୍ଷରେ ରଖିଥିଲ । ଦ୍ୱିତୀୟାର୍ଦ୍ଧ ପ୍ରାରମ୍ଭରୁ କିନ୍ତୁ ଜର୍ମାନୀ ବରାବର ସ୍ତରକୁ ଚାଲି ଆସିଥିଲା । ୫୪ତମ ମିନିଟ୍‌ରେ କାଇ ହାର୍ଭେଜଙ୍କ ଗୋଲ୍‌ ଜର୍ମନୀ ଶିବିରରେ ଅସମ୍ଭବ ଉତ୍ସାହ ଭରି ଦେଇଥିଲା । ମ୍ୟାଚ୍‌ ଅବଶିଷ୍ଟ୍‌ ୬୬ ମିନିଟ୍‌ କିନ୍ତୁ ଗୋଲ୍‌ ପାଇଁ ଉଭୟ ଦଳ ସଂଘର୍ଷ କରିବାରୁ ପେନାଲ୍ଟି ସୁଟ୍‌ଆଉଟ୍‌ ନିର୍ଣ୍ଣାୟକ ହୋଇଥିଲା । ଶେଷକୁ ଉତ୍କଣ୍ଠାପୂର୍ଣ୍ଣ ଏହି ମ୍ୟାଚକୁ ୪-୩ରେ ବାଜି ମାରି ନେଇଥିଲା ପାରାଗୁଏ ।

ପାରାଗୁଏରେ ଜାତୀୟ ଛୁଟି ଘୋଷଣ

ଐତିହାସିକ ବିଜୟ ପରେ ପାରାଗୁଏ ରାଷ୍ଟ୍ରପତି ସାଣ୍ଟିଆଗୋ ପେନା ଦେଶବ୍ୟାପୀ ଉତ୍ସବ ମନାଇବା ପାଇଁ ଗୋଟିଏ ଦିନ ଜାତୀୟ ଛୁଟି ଘୋଷଣା କରିଛନ୍ତି । ଏହି ଦକ୍ଷିଣ ଆମେରିକୀୟ ଦେଶ ଏବେ ଉତ୍ସବ ମୁଖର ହୋଇପଡ଼ିଛି । ଫୁଟ୍‌ବଲ୍‌ ଇତିହାସରେ ଏହା ଅନ୍ୟତମ ବଡ଼ ବିପର୍ଯ୍ୟୟ ଭାବେ ଗଣାଯାଉଛି । ପୂର୍ବରୁ ଗ୍ରୁପ୍‌ ପର୍ଯ୍ୟାୟରେ ଜର୍ମାନୀକୁ ହରାଇବା ପରେ ଇକ୍ୱେଡରରେ ମଧ୍ୟ ଜାତୀୟ ଛୁଟି‌ ଘୋଷଣା ହୋଇଥିଲା । ‘ଆଜି ସମଗ୍ର ଦେଶ ଉତ୍ସବ ପାଳୁଛି । ଆମ ପରିଚୟର ଗଭୀରତମ ଅଂଶକୁ ଏହି ବିଜୟ ପ୍ରତିନିଧିତ୍ୱ କରୁଛି । ଏହା ଆମ ନଛୋଡ଼ବଦ୍ଧା ଚରିତ୍ର, ସାମର୍ଥ୍ୟ, ସଙ୍କଳ୍ପ ଓ ବିଶ୍ୱାସର ପ୍ରତୀକ’ ବୋଲି ରାଷ୍ଟ୍ରପତି ପେନା ପ୍ରକାଶ କରିଛନ୍ତି । ଏହି ବିଜୟ ଖେଳଠାରୁ ବି ବହୁ ଉର୍ଦ୍ଧ୍ୱରେ ବୋଲି ସେ ଅଭିହିତ କରିଛନ୍ତି । ଏଭଳି ଏକ ଚମକପ୍ରଦ ବିଜୟଠାରୁ ସରକାର କେବେ ଭିନ୍ନ ହୋଇପାରିବେ ନାହିଁ । ସମସ୍ତ ପାରାଗୁଏବାସୀଙ୍କ ପାଇଁ ଏହା ଐତିହାସିକ ବିଜୟର ଦିନ’ ବୋଲି ସେ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି । ଗତ ସପ୍ତାହରେ ଗ୍ରୁପ୍‌ ‘ଇ’ରେ ଜର୍ମାନୀକୁ ଇକ୍ୱେଡର୍‌ ୨-୧ ଗୋଲ୍‌ରେ ହରାଇବା ପରେ ଏହି ଦେଶର ରାଷ୍ଟ୍ରପତି ଡାନିଏଲ୍‌ ନୋବାଏ ମଧ୍ୟ ଜାତୀୟ ଛୁଟି ଘୋଷଣା କରିଥିଲେ । ଏହି ବିଜୟ ସହ ଇକ୍ୱେଡର୍‌ ମଧ୍ୟ ନକ୍‌ ଆଉଟ୍‌ ପର୍ଯ୍ୟାୟରେ ପ୍ରବେଶ କରିଥିଲା ।

Leave a Reply

Your email address will not be published. Required fields are marked *