ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରୁ ଆସିଛି ଏକ ଚମକାଇଦେବା ଭଳି ଅଭିଯୋଗ । ପରିବାର ଲୋକଙ୍କ ଦାବି, ଜଣେ ଗୁରୁତର ଆହତ ଯୁବକଙ୍କୁ ଚିକିତ୍ସା ନକରି ଡାକ୍ତର ମୃତ ଘୋଷଣା କରିଦେଇଥିଲେ ।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରୁ ଆସିଛି ଏକ ଚମକାଇଦେବା ଭଳି ଅଭିଯୋଗ । ପରିବାର ଲୋକଙ୍କ ଦାବି, ଜଣେ ଗୁରୁତର ଆହତ ଯୁବକଙ୍କୁ ଚିକିତ୍ସା ନକରି ଡାକ୍ତର ମୃତ ଘୋଷଣା କରିଦେଇଥିଲେ । ପରେ ଅଭିଯୋଗ ହେବା ପରେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ଏବେ ଉଠିଛି ଅନେକ ପ୍ରଶ୍ନ । ଏହି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ବସୁଲେଇ ଗାଁରେ । ମୃତକ ହେଲେ ଚୈତନ୍ୟ କୁମାର ପରିଡ଼ା । ସୂଚନା ଅନୁସାରେ, ଚୈତନ୍ୟ ଜାମୁକୋଳି ଗଛରେ ଚଢ଼ି କୋଳି ତୋଳୁଥିବାବେଳେ ଅସାବଧାନତାବଶତଃ ଗଛରୁ ଖସି ପଡ଼ିଥିଲେ । ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଗଛ ତଳେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପରିବାରକୁ ଖବର ଦେବା ସହ ପ୍ରଥମେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ଅଧିକ ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ହେଲେ ଅଭିଯୋଗ ଅନୁସାରେ, କାମାକ୍ଷାନଗର ମେଡିକାଲରେ ପହଞ୍ଚିବା ପରେ ଡ୍ୟୁଟିରେ ଥିବା ଡାକ୍ତର ଚୈତନ୍ୟଙ୍କୁ ଚିକିତ୍ସା ଆରମ୍ଭ ନକରି ହଠାତ୍ ମୃତ ଘୋଷଣା କରିଦେଇଥିଲେ । ପରିବାର ଲୋକଙ୍କ ଅଭିଯୋଗ, ସେହି ସମୟରେ ରୋଗୀଙ୍କ ନାଡ଼ି ସ୍ପନ୍ଦନ ଚାଲୁଥିଲା ।
ଏହା ସତ୍ତ୍ୱେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଏହାକୁ ନେଇ ପରିବାର ଲୋକ ତୀବ୍ର ପ୍ରତିବାଦ କରିଥିଲେ । ପରେ ଡାକ୍ତର ତାଙ୍କୁ ପୁଣି ଚିକିତ୍ସା କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର୍ କରିଥିଲେ କିନ୍ତୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ପରେ ଡାକ୍ତରମାନେ ଚୈତନ୍ୟଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ, ଏହି ଅଭିଯୋଗକୁ ଡ୍ୟୁଟିରେ ଥିବା ଡାକ୍ତର ସୁବାସ ଚନ୍ଦ୍ର ମଣ୍ଡଳ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ରୋଗୀଙ୍କୁ ସେ ତିନିରୁ ଚାରିଥର ପରୀକ୍ଷା କରିଥିଲେ, କିନ୍ତୁ ତାଙ୍କୁ ମୃତ ଘୋଷଣା କରିନଥିଲେ । ଏପଟେ ଘଟଣା ସମ୍ପର୍କରେ ଜାଣିବା ପରେ କାମାକ୍ଷାନଗର ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ଦିଗାମ୍ବର ସାହୁ କହିଛନ୍ତି, ସମଗ୍ର ଘଟଣାର ତଦନ୍ତ କରାଯିବ ଏବଂ ତଦନ୍ତ ରିପୋର୍ଟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ତେବେ ଏହି ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ପ୍ରକୃତରେ କି ଜୀବିତ ରୋଗୀଙ୍କୁ ମୃତ ଘୋଷଣା କରାଯାଇଥିଲା, ନା ଏହା କେବଳ ଏକ ଭୁଲ ବୁଝାବୁଝି? ତଦନ୍ତ ପରେ ହିଁ ସାମ୍ନାକୁ ଆସିବ ପ୍ରକୃତ ସତ୍ୟ ।

