ଗୁହିରାଘାଟ ଗୁଳିକାଣ୍ଡ ଘଟଣା: ୪ ଅଟକ, ମୁଖ୍ୟ ଅଭିଯୁକ୍ତ ଫେରାର

ପ୍ରାଣ ବିକଳରେ ଯୁବକ ଜଣକ ଗୁହିରାଘାଟର ଏକ ଘରେ ପଶିଯାଇଥିଲେ । ତାଙ୍କୁ ପିଛା କରୁଥିବା ଯୁବକମାନେ ମଧ୍ୟ ଘର ଭିତରକୁ ପଶିଥିଲେ । ଏହା ଦେଖି ଗ୍ରାମବାସୀ ସେଠାରେ ପହଞ୍ଚି ଘଟଣା ସମ୍ପର୍କରେ ପଚାରିବା ବେଳେ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ଗୁଳି ଚଳାଇଥିଲା ।

ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ଗୁହିରାଘାଟରେ ଗୁଳିକାଣ୍ଡ ଘଟଣାରେ ୪ ଜଣଙ୍କୁ ଅଟକ ରଖିଛି ତରଭା ପୁଲିସ । ଅଟକ ଯୁବକମାନଙ୍କୁ ପୁଲିସ ପଚରାଉଚରା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

ସୂଚନା ଅନୁସାରେ, ଗତ ୧୬ ତାରିଖ ଅପରାହ୍ଣରେ କିଛି ଦୁର୍ବୃତ୍ତ ଗୁହିରାଘାଟ ଗ୍ରାମର ସୁରଦୀପ ସାହୁ ନାମକ ଜଣେ ଯୁବକଙ୍କୁ ଗୁଳି କରିଥିଲେ । ଗୁଳିମାଡ଼ରେ ସୁରଦୀପ ଗୁରୁତର ହୋଇଥିଲେ । ତାଙ୍କୁ ପ୍ରଥମେ କଣ୍ଟାମାଲ ଓ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ପେଟରୁ ଗୁଳି ବାହାର କରାଯାଇଥିବା ବେଳେ ବର୍ତ୍ତମାନ ସେ ଭୀମଭୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।

ପ୍ରକାଶ ଯେ, ୧୬ ତାରିଖ ସନ୍ଧ୍ୟାରେ କଣ୍ଟାମାଳର ଜଣେ ଯୁବକଙ୍କୁ ୩ଟି ବାଇକରେ ଆସିଥିବା ୯ ଜଣ ଯୁବକ ଗୁଞ୍ଜିମୁଣ୍ଡାରୁ ପିଛା କରୁଥିଲେ । ପ୍ରାଣ ବିକଳରେ ଯୁବକ ଜଣକ ଗୁହିରାଘାଟର ଏକ ଘରେ ପଶିଯାଇଥିଲେ । ତାଙ୍କୁ ପିଛା କରୁଥିବା ଯୁବକମାନେ ମଧ୍ୟ ଘର ଭିତରକୁ ପଶିଥିଲେ । ଏହା ଦେଖି ଗ୍ରାମବାସୀ ସେଠାରେ ପହଞ୍ଚି ଘଟଣା ସମ୍ପର୍କରେ ପଚାରିବା ବେଳେ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ଗୁଳି ଚଳାଇଥିଲା । ଗୁଳିଟି ଗୁହିରାଘାଟର ସୁରଦୀପ ସାହୁଙ୍କ ବାମପଟ ପେଟରେ ବାଜିଥିଲା ।
ଖବର ପାଇ ତରଭା ପୁଲିସର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଥିଲା । ଘଟଣାରେ ସନ୍ଦେହରେ ୪ ଜଣ ଯୁବକଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି । ମୁଖ୍ୟ ଅଭିଯୁକ୍ତକୁ ଧରିବା ସହ ଗୁଳିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସର ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *