କୋହ୍ଲାପୁର ଫେରିବ ହାତୀ ‘ମାଧୁରୀ’: କଡ଼ା ସର୍ତ୍ତ ସହ ଅନୁମତି, ଯତ୍ନ ନେବ ବନତାରା

‘ମହାଦେବୀ’ ନାମରେ ପରିଚିତ ହାତୀ ‘ମାଧୁରୀ’ ପୁଣିଥରେ କୋହ୍ଲାପୁରର ନାନ୍ଦଣୀ ମଠକୁ ଫେରିବାକୁ ଯାଉଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ହାଇ-ପାୱାର୍ଡ କମିଟି ମାଧୁରୀକୁ ଫେରାଇବାକୁ ଅନୁମତି ଦେଇଥିବା ବେଳେ ତା’ର ଯତ୍ନ ଓ ସୁରକ୍ଷା ପାଇଁ କିଛି କଡ଼ା ସର୍ତ୍ତ ରଖିଛନ୍ତି ।

‘ମହାଦେବୀ’ ନାମରେ ଅଜସ୍ର ସ୍ନେହଶ୍ରଦ୍ଧା ପାଉଥିବା ହାତୀ ‘ମାଧୁରୀ’ ପୁଣି ଥରେ କୋହ୍ଲାପୁରକୁ ଫେରିବାକୁ ଯାଉଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ହାଇ-ପାୱାର୍ଡ କମିଟି ମାଧୁରୀକୁ କୋହ୍ଲାପୁର ସ୍ଥିତ ନାନ୍ଦଣୀ ମଠକୁ ଫେରାଇବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ତେବେ ଏଥିପାଇଁ କମିଟି କିଛି କଡ଼ା ସର୍ତ୍ତ ଲାଗୁ କରିଛି । ନିର୍ଦ୍ଦେଶ ମୁତାବକ, ମାଧୁରୀକୁ କୌଣସି ଶୋଭାଯାତ୍ରା କିମ୍ବା ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହାର କରାଯାଇପାରିବ ନାହିଁ । ଏଥିସହ ତା’ର ୨୪ ଘଣ୍ଟିଆ ଯତ୍ନ ନିଆଯିବ ଏବଂ ପ୍ରତି ୧୫ ଦିନରେ ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ।


ପୂର୍ବରୁ ବମ୍ବେ ହାଇକୋର୍ଟ, ସୁପ୍ରିମକୋର୍ଟ ଏବଂ ହାଇ-ପାୱାର୍ଡ କମିଟିଙ୍କ ନିର୍ଦ୍ଦେଶ ଅନୁସାରେ ୨୦୨୫ ଜୁଲାଇ ୩୦ରେ ମାଧୁରୀକୁ ଚିକିତ୍ସା ପାଇଁ ଜାମନଗର ସ୍ଥିତ ‘ବନତାରା’ ଅଣାଯାଇଥିଲା। ବନତାରା ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ସେମାନେ ନିଜ ଆଡ଼ୁ ହାତୀର ହେପାଜତ ମାଗିନଥିଲେ, କେବଳ ଉଚ୍ଚ ନ୍ୟାୟାଳୟ ଓ କମିଟିଙ୍କ ନିର୍ଦ୍ଦେଶ କ୍ରମେ ତା’ର ଚିକିତ୍ସା ଓ ସେବା କରୁଥିଲେ । କୋହ୍ଲାପୁରବାସୀଙ୍କ ଭାବାବେଗକୁ ବନତାରା ସର୍ବଦା ସମ୍ମାନ ଜଣାଇ ଆସିଛି ।


ବନତାରାରେ ଦୀର୍ଘ ଦିନର ଚିକିତ୍ସା ପରେ ମାଧୁରୀର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ହୋଇଛି, ମାତ୍ର ତା’ର ପୁରୁଣା ରୋଗ ସମ୍ପୂର୍ଣ୍ଣ ଭଲ ହୋଇନାହିଁ । ତେଣୁ କୋହ୍ଲାପୁର ଫେରିବା ପରେ ମଧ୍ୟ ବନତାରାର ଦାୟିତ୍ୱ ଶେଷ ହେବ ନାହିଁ ବୋଲି ସଂସ୍ଥା ପ୍ରକାଶ କରିଛି । ନାନ୍ଦଣୀ ମଠରେ ହାତୀ ରହିବା ପାଇଁ ଉପଯୁକ୍ତ ବାସସ୍ଥାନ, ଚିକିତ୍ସା ଉପକରଣ ଏବଂ ଔଷଧର ସୁବ୍ୟବସ୍ଥା କରାଯାଇଛି । କମିଟିର ନିର୍ଦ୍ଦେଶ କ୍ରମେ ବନତାରାର ପ୍ରାଣୀ ଚିକିତ୍ସକମାନେ ପ୍ରତି ୧୫ ଦିନରେ କୋହ୍ଲାପୁର ଯାଇ ମାଧୁରୀର ସ୍ୱାସ୍ଥ୍ୟ ଯାଞ୍ଚ କରିବେ ଏବଂ ରିପୋର୍ଟ ଦାଖଲ କରିବେ ।

ବନତାରା ମାଧୁରୀ ରହିବା ସ୍ଥାନର ଉନ୍ନତିକରଣ କରିଥିବା ବେଳେ ଟାଉନ୍ ପ୍ଲାନିଂ ସମସ୍ୟା ଯୋଗୁଁ କିଛି କାମ ଅଟକି ରହିଛି । ଆଗକୁ ଆବଶ୍ୟକ ପଡ଼ିଲେ ମଠ ପରିସରର ଭିତ୍ତିଭୂମି ବିକାଶରେ ସହଯୋଗ କରିବାକୁ ବନତାରା ପ୍ରସ୍ତୁତ ରହିଛି । ଏହି ପ୍ରକ୍ରିୟାରେ ସହଯୋଗ କରିଥିବାରୁ ସୁପ୍ରିମକୋର୍ଟ, ବମ୍ବେ ହାଇକୋର୍ଟ, ମହାରାଷ୍ଟ୍ର ଓ ଗୁଜରାଟ ସରକାର, ମଠ କର୍ତ୍ତୃପକ୍ଷ, ପେଟା (PETA) ଇଣ୍ଡିଆ ଏବଂ କୋହ୍ଲାପୁରବାସୀଙ୍କୁ ବନତାରା କୃତଜ୍ଞତା ଜଣାଇଛି । ହାତୀ ଯେଉଁଠି ରହିଲେ ବି ତା’ର ଉତ୍ତମ ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ହିଁ ସର୍ବୋଚ୍ଚ ପ୍ରାଥମିକତା ବୋଲି ବନତାରା କହିଛି ।  

Leave a Reply

Your email address will not be published. Required fields are marked *