କାମ ଛାଡ଼, ନହେଲେ ମୃତ୍ୟୁ! କଶ୍ମୀରୀ ପଣ୍ଡିତଙ୍କୁ ଆତଙ୍କବାଦୀଙ୍କ ଧମକ

କଶ୍ମୀରରେ ପୁଣି ବଢ଼ିଲା କଶ୍ମୀରୀ ପଣ୍ଡିତଙ୍କ ଚିନ୍ତା । ସରକାରୀ ଚାକିରି କରୁଥିବା କଶ୍ମୀରୀ ପଣ୍ଡିତଙ୍କୁ ମିଳିଛି ନୂଆ ଧମକ। ଚାକିରି ଛାଡ଼, ନଚେତ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହ ଏଭଳି ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି ।

କଶ୍ମୀରରେ ପୁଣି ବଢ଼ିଲା କଶ୍ମୀରୀ ପଣ୍ଡିତଙ୍କ ଚିନ୍ତା । ସରକାରୀ ଚାକିରି କରୁଥିବା କଶ୍ମୀରୀ ପଣ୍ଡିତଙ୍କୁ ମିଳିଛି ନୂଆ ଧମକ। ଚାକିରି ଛାଡ଼, ନଚେତ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହ ଏଭଳି ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ କଶ୍ମୀର ଉପତ୍ୟକାରେ କାମ କରୁଥିବା ପ୍ରାୟ ୭ ହଜାର କଶ୍ମୀରୀ ପଣ୍ଡିତ PM Package କର୍ମଚାରୀଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ଉଠିଛି ।

ଲସ୍କର-ଏ-ତୋଏବା ସହ ଲିଙ୍କ୍ ଥିବା ୟୁନାଇଟେଡ୍ ଲିବରେସନ୍ କାଉନସିଲ୍ ବା ULC ପକ୍ଷରୁ ଏହି ଧମକ ଆସିଥିବା ଦାବି କରାଯାଇଛି । କେବଳ ଧମକ ନୁହେଁ, କିଛି କର୍ମଚାରୀଙ୍କ ବ୍ୟକ୍ତିଗତ ଫୋନ୍ ନମ୍ବର, ଘର ଠିକଣା ଓ ଗାଡ଼ି ନମ୍ବର ଭଳି ସମ୍ବେଦନଶୀଳ ତଥ୍ୟ ଅନଲାଇନରେ ଲିକ୍ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି ।  ସେପ୍ଟେମ୍ବର ୫ରେ ଜାରି ହୋଇଥିବା ଏକ ଧମକପୂର୍ଣ୍ଣ ଚିଠିକୁ ନେଇ PM Package କର୍ମଚାରୀ ଓ କର୍ମଚାରୀ ନେତା ରାକେଶ ହାଣ୍ଡୁ ପ୍ରଧାନମନ୍ତ୍ରୀ, ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ଏବଂ ପୋଲିସର ସାଇବର କ୍ରାଇମ୍ ୱିଙ୍ଗ୍ ନିକଟରେ ଅଭିଯୋଗ କରିଛନ୍ତି । ଏହା ସହ ମାମଲାରେ FIR ରୁଜୁ କରି ତଦନ୍ତ କରିବାକୁ ଦାବି ହୋଇଛି ।

ତେବେ ଏହା ପ୍ରଥମ ଧମକ ନୁହେଁ। ଗତ ଏକ ମାସ ମଧ୍ୟରେ କଶ୍ମୀରୀ ପଣ୍ଡିତ ସରକାରୀ କର୍ମଚାରୀଙ୍କୁ ଟାର୍ଗେଟ କରି ଅତି କମରେ ୫ଟି ଧମକପୂର୍ଣ୍ଣ ଚିଠି ଆସିଥିବା ଦାବି ହୋଇଛି। ଅଗଷ୍ଟ ୭ର ଏକ ଚିଠିରେ ମଧ୍ୟ କଶ୍ମୀରୀ ପଣ୍ଡିତ କର୍ମଚାରୀ, ସେମାନଙ୍କ ପରିବାର, ରହୁଥିବା ସ୍ଥାନ ଓ କାର୍ଯ୍ୟସ୍ଥଳ ସମ୍ପର୍କରେ ତଥ୍ୟ ଥିବା ଦାବି କରାଯାଇଥିଲା। ଏହି ଘଟଣା ୧୯୯୦ ଦଶକର ଭୟଙ୍କର ସମୟକୁ ମଧ୍ୟ ମନେ ପକାଇ ଦେଇଛି । ସେତେବେଳେ ଧମକ ଓ ଟାର୍ଗେଟ କିଲିଂ ଯୋଗୁଁ ହଜାର ହଜାର କଶ୍ମୀରୀ ପଣ୍ଡିତ ଉପତ୍ୟକା ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ପରେ ସେମାନଙ୍କୁ ଉପତ୍ୟକାକୁ ଫେରାଇ ଆଣିବା ପାଇଁ PM Package ଅଧୀନରେ ସରକାରୀ ଚାକିରି ଦିଆଯାଇଥିଲା ।

କିନ୍ତୁ ଏବେ ପୁଣି ଧମକ ଆସିବା ପରେ ଫେରିଛି ସେହି ପୁରୁଣା ଭୟ । ଅନେକ PM Package କର୍ମଚାରୀ ଭଡ଼ା ଘରେ ରହୁଥିବା ବେଳେ, କିଛି ଟ୍ରାନଜିଟ୍ କଲୋନୀରେ ପର୍ଯ୍ୟାପ୍ତ ସୁରକ୍ଷା, ଫେନ୍ସିଂ ଓ ମୌଳିକ ସୁବିଧା ନଥିବା ଅଭିଯୋଗ ମଧ୍ୟ ଆସିଛି । ତେଣୁ ଦାବି ହୋଇଛି ଟ୍ରାନଜିଟ୍ କଲୋନୀ ଓ ଭଡ଼ା ଘରଗୁଡ଼ିକର ତୁରନ୍ତ ସିକ୍ୟୁରିଟି ଅଡିଟ୍ କରାଯାଉ । ଧମକର ଉତ୍ସ ଖୋଜାଯାଉ ଏବଂ କର୍ମଚାରୀଙ୍କୁ ସୁରକ୍ଷାର ଗ୍ୟାରେଣ୍ଟି ଦିଆଯାଉ ।

Leave a Reply

Your email address will not be published. Required fields are marked *