ହିମାଳୟରେ ବିପଦ ଭିତରେ ଗଢ଼ାହେଉଛି ହୋଟେଲ୍‌ ଓ ଘର: ବନ୍ୟା ଆଶଙ୍କାରେ ୩ ଲକ୍ଷ ଜୀବନ

ପାହାଡ଼ ଉପରେ ବରଫ ତରଳୁଥିବା ବେଳେ ତଳେ ବଢ଼ିଚାଲିଛି କଂକ୍ରିଟ୍ ଜଙ୍ଗଲ । ଆଉ ଏହାରି ଭିତରେ ବିପଦ ମୁହଁକୁ ଠେଲି ହୋଇଯାଉଛି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ। ଏକ ନୂଆ ଗବେଷଣାରୁ ସାମ୍ନାକୁ ଆସିଛି ଏଭଳି ଚିନ୍ତାଜନକ ତଥ୍ୟ ।

 ହିମାଳୟରେ ବଢ଼ୁଛି ବିପଦ। ଯେଉଁଠି କେତେବେଳେ ବି ବନ୍ୟା ଆସିପାରେ, ସେଇଠି ତିଆରି ହେଉଛି ବଡ଼ ବଡ଼ ହୋଟେଲ୍, ଘର ଓ ରାସ୍ତା। ପାହାଡ଼ ଉପରେ ବରଫ ତରଳୁଥିବା ବେଳେ ତଳେ ବଢ଼ିଚାଲିଛି କଂକ୍ରିଟ୍ ଜଙ୍ଗଲ। ଆଉ ଏହାରି ଭିତରେ ବିପଦ ମୁହଁକୁ ଠେଲି ହୋଇଯାଉଛି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ। ଏକ ନୂଆ ଗବେଷଣାରୁ ସାମ୍ନାକୁ ଆସିଛି ଏଭଳି ଚିନ୍ତାଜନକ ତଥ୍ୟ।

‘ସାଇଣ୍ଟିଫିକ୍ ରିପୋର୍ଟସ୍’ ନାମକ ଗବେଷଣା ପତ୍ରିକାରେ ପ୍ରକାଶିତ ଅଧ୍ୟୟନ ଅନୁସାରେ, ନେପାଳ, ଦକ୍ଷିଣ-ପୂର୍ବ ତିବ୍ବତ ଓ ଭାରତର ଉତ୍ତରାଖଣ୍ଡର କେତେକ ଅଞ୍ଚଳରେ ପ୍ରାୟ ୩ ଲକ୍ଷ ଲୋକ ବନ୍ୟା ଏବଂ ହିମବାହ ହ୍ରଦ ଫାଟିବା ଆଶଙ୍କା ଥିବା ସ୍ଥାନରେ ରହୁଛନ୍ତି। ୨୦୧୬ରୁ ୨୦୨୩ ମଧ୍ୟରେ ଏଭଳି ବିପଦପ୍ରବଣ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ପ୍ରାୟ ୪୫ ପ୍ରତିଶତ ବଢ଼ିଛି। ସେହିପରି ହିମବାହ ହ୍ରଦରୁ ଆକସ୍ମିକ ବନ୍ୟା ଆଶଙ୍କା ଥିବା ଅଞ୍ଚଳରେ ନିର୍ମାଣ ୭୮ ପ୍ରତିଶତ ବୃଦ୍ଧି ପାଇଛି।

ବ୍ରିଟେନ୍, ନେପାଳ ଓ ଭାରତର ୯ ଜଣ ଗବେଷକ ମିଳିତ ଭାବେ ଏହି ଅଧ୍ୟୟନ କରିଛନ୍ତି। ହିମାଳୟର ନଦୀଗୁଡ଼ିକଠାରୁ ୫୦ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳ ଏବଂ ପ୍ରାୟ ୧୩୬୦ଟି ହିମବାହ ହ୍ରଦ ନିକଟବର୍ତ୍ତୀ ସ୍ଥାନକୁ ନେଇ ଗବେଷଣା ହୋଇଛି। ସମସ୍ତ ଅଞ୍ଚଳ ଅଧ୍ୟୟନରେ ସାମିଲ ହୋଇନଥିବାରୁ ବିପଦରେ ଥିବା ଲୋକଙ୍କ ସଂଖ୍ୟା ଆହୁରି ଅଧିକ ହୋଇପାରେ।

ନେପାଳର ପର୍ଯ୍ୟଟନ ସହର ପୋଖରାରେ ଏହି ସମସ୍ୟା ଗମ୍ଭୀର ହୋଇଛି। ସହର ମଝିରେ ବହୁଥିବା ସେତୀ ଗଣ୍ଡକୀ ନଦୀଠାରୁ ମାତ୍ର ୫ ମିଟର ଦୂରରେ କେତେକ ପୁରୁଣା ଘର ରହିଛି। ଅନ୍ନପୂର୍ଣ୍ଣା ଅଞ୍ଚଳରେ ମଧ୍ୟ ନଦୀକୂଳରେ ହୋଟେଲ୍ ଓ ଘର ନିର୍ମାଣ ହୋଇଛି। ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଏଠାରେ କ୍ଷୟକ୍ଷତି ଘଟିବା ସହ ପର୍ଯ୍ୟଟନ ପ୍ରଭାବିତ ହୋଇଛି।

ବିଶେଷଜ୍ଞଙ୍କ ମତରେ, ତାପମାତ୍ରା ବଢ଼ିବାରୁ ହିମବାହ ତରଳି ହ୍ରଦରେ ଜଳସ୍ତର ବଢ଼ୁଛି। ହ୍ରଦର ପ୍ରାକୃତିକ ବନ୍ଧ ଭାଙ୍ଗିଗଲେ ହଠାତ୍ ପ୍ରବଳ ବନ୍ୟା ଆସି ଘର, ରାସ୍ତା ଓ ପୋଲ ଭସାଇନେଇପାରେ। ୧୯୪୦ ପରଠାରୁ ନେପାଳରେ ଏଭଳି ପ୍ରାୟ ୩୦ଟି ଘଟଣା ରେକର୍ଡ ହୋଇଛି। ତେଣୁ ହିମାଳୟରେ ଅନିୟନ୍ତ୍ରିତ ନିର୍ମାଣ ଏବେ ଭବିଷ୍ୟତ ପାଇଁ ବଡ଼ ବିପଦର ସଙ୍କେତ ଦେଉଛି।

Leave a Reply

Your email address will not be published. Required fields are marked *