ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ପାଇଁ ବଉଳବୃକ୍ଷ ଚୟନ

ସ୍ନାନ ଓ ରଥଯାତ୍ରା ସମୟରେ ଶ୍ରୀଜଗନ୍ନାଥ, ବଡ଼ଠାକୁର ଓ ଦେବୀ ସଭଦ୍ରାଙ୍କ ପହଣ୍ଡି କାଳୀନ ସୁରକ୍ଷା ପାଇଁ ସାକ୍ଷୀଗୋପାଳ ବକୁଳବନର ଅଧିଶ୍ୱର ଠାକୁର ଅଜା ଶ୍ରୀସିଦ୍ଧ ବଳରାମଙ୍କ ନିକଟରୁ ସେନାପଟା ଓ ବାହୁଟ ସେବାପାଇଁ ପ୍ରତିବର୍ଷ ବଉଳକାଠ ବାହୀ ବଳଦ ଶଗଡ଼ିକୁ ଶ୍ରୀକ୍ଷେତ୍ର ମେଲାଣି ଦିଆଯାଏ ।

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବାପାଇଁ ଶ୍ରୀମନ୍ଦିର ପରମ୍ପରା ଅନୁସାରେ ସାକ୍ଷୀଗୋପାଳରେ ସୋମବାର ଗୋଟିଏ ବଉଳବୃକ୍ଷ ଚିହ୍ନଟ କରାଯାଇଛି । ବୃକ୍ଷଟି ଆସନ୍ତା ନିର୍ଜଳା ଏକାଦଶୀ ତିଥିରେ ପୂଜାର୍ଚ୍ଚନା କରାଯାଇ କଟାଯିବ । ଏଥିପାଇଁ ଶ୍ରୀମନ୍ଦିର ଭାରପ୍ରାପ୍ତ ଅଧିକାରୀ (ନୀତି) ରବିନ୍ଦ୍ରନାଥ ଦାସଙ୍କ ସହିତ ରଥ ନିର୍ମାଣ ବରିଷ୍ଠ ତତ୍ତ୍ୱାବଧାରକ ଚିତ୍ତରଞ୍ଜନ ମହାପାତ୍ର, ଭୋଇ ସର୍ଦ୍ଦାର ରବି ଭୋଇ, ମହାରଣା ସେବାୟତ ଦେବଦତ୍ତ ମହାରଣା, ସାକ୍ଷୀଗୋପାଳରେ ରହିଥିବା ବୃକ୍ଷ ଗୁଡିକ ଅନୁଧ୍ୟାନ କରିବା ପରେ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ କୁକୁରମୁହିଁ ନିକଟସ୍ଥ ବିଶ୍ୱଜିତ ରଥଙ୍କ ତୋଟାରେ ବଉଳ ବୃକ୍ଷଟି ଚୟନ କରିଥିଲେ ।

ଏହି ଅବସରରେ ସାକ୍ଷୀଗୋପାଳ ମନ୍ଦିର ପରିଚାଳନା କମିଟି ସଦସ୍ୟ ବାଳକୃଷ୍ଣ ମହାପାତ୍ର, ଲୋକନାଥ ବାରିକ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଲଲାଟେନ୍ଦୁ ମହାନ୍ତି, ସତ୍ୟବାଦୀ ସଂସ୍କୃତି ସୁରକ୍ଷା ମଞ୍ଚ ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ର, ସଂଗଠନ ସମ୍ପାଦକ ପ୍ରଶାନ୍ତ କୁମାର ବିଶ୍ଵାଳ, ତୋଟା ରକ୍ଷକ କୁନା ପାତ୍ର, ସୁକାନ୍ତ କୁମାର ସ୍ୱାଇଁ, ସୁରେଶ ମଲ୍ଲିକ, ସାମ୍ବାଦିକ କୌଶିକ ମହାପାତ୍ର, ସ୍ୟୈମ୍ୟରଞ୍ଜନ ରଞ୍ଜନ ମହାନ୍ତି, ଶ୍ରୀମନ୍ଦିର କର୍ମଚାରୀ  ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।

ସୂଚନାଯୋଗ୍ୟ, ସ୍ନାନ ଓ ରଥଯାତ୍ରା ସମୟରେ ଶ୍ରୀଜଗନ୍ନାଥ, ବଡ଼ଠାକୁର ଓ ଦେବୀ ସଭଦ୍ରାଙ୍କ ପହଣ୍ଡି କାଳୀନ ସୁରକ୍ଷା ପାଇଁ ସାକ୍ଷୀଗୋପାଳ ବକୁଳବନର ଅଧିଶ୍ୱର ଠାକୁର ଅଜା ଶ୍ରୀସିଦ୍ଧ ବଳରାମଙ୍କ ନିକଟରୁ ସେନାପଟା ଓ ବାହୁଟ ସେବାପାଇଁ ପ୍ରତିବର୍ଷ ବଉଳକାଠ ବାହୀ ବଳଦ ଶଗଡ଼ିକୁ ଶ୍ରୀକ୍ଷେତ୍ର ମେଲାଣି ଦିଆଯାଏ ।

Leave a Reply

Your email address will not be published. Required fields are marked *