ଦେଶରେ ଅସ୍ଥିରତା ସୃଷ୍ଟି କରିବା ସହ ଭାରତକୁ ବିଭାଜିତ କରିବା ପାଇଁ କିଛି ଶକ୍ତି ଷଡ଼ଯନ୍ତ୍ର ରଚୁଛନ୍ତି। ଏପରି ଅଭିଯୋଗ ଆଣିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବିଦେଶ ମାଟିରେ ଗୁପ୍ତ ବୈଠକ କରାଯାଇ ଦେଶକୁ ଅସ୍ଥିର କରିବାପାଇଁ ଷଡ଼ଯନ୍ତ୍ର କରାଯାଉଛି
ଦେଶରେ ଅସ୍ଥିରତା ସୃଷ୍ଟି କରିବା ସହ ଭାରତକୁ ବିଭାଜିତ କରିବା ପାଇଁ କିଛି ଶକ୍ତି ଷଡ଼ଯନ୍ତ୍ର ରଚୁଛନ୍ତି। ଏପରି ଅଭିଯୋଗ ଆଣିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବିଦେଶ ମାଟିରେ ଗୁପ୍ତ ବୈଠକ କରାଯାଇ ଦେଶକୁ ଅସ୍ଥିର କରିବାପାଇଁ ଷଡ଼ଯନ୍ତ୍ର କରାଯାଉଛି । ଏନେଇ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗୁଜରାଟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୋଦୀ ବିରୋଧୀ ଦଳଗୁଡ଼ିକ ଉପରେ ତୀବ୍ର ବର୍ଷିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିରୋଧୀ ଦଳଗୁଡ଼ିକ ଦୀର୍ଘ ଦିନର ନିର୍ବାଚନୀ ପରାଜୟ ଓ ନିରାଶାରୁ ବାହାରି ପାରୁନାହାନ୍ତି । ଦେଶର ବିକାଶମୂଳକ କାର୍ଯ୍ୟରେ ସହଯୋଗ କରିବା ପରିବର୍ତ୍ତେ ସେମାନେ ବାଧା ସୃଷ୍ଟି କରିବାକୁ ନିଜ ରାଜନୀତିର ମୁଖ୍ୟ ଅଂଶ କରିଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, କିଏ ବିଦେଶରେ କାହା ସହ ଗୁପ୍ତ ବୈଠକ କରୁଛି ଏବଂ କେଉଁ ଭାରତ ବିରୋଧୀ ଶକ୍ତି ସେମାନଙ୍କୁ ସମର୍ଥନ କରୁଛନ୍ତି, ତାହା ଦେଶବାସୀ ଜାଣିବା ଆବଶ୍ୟକ। ଏଭଳି ଶକ୍ତି ବିରୋଧରେ ଦେଶବାସୀ ଏକଜୁଟ୍ ହେବା ଉଚିତ । ସୋସିଆଲ ମିଡିଆକୁ ନେଇ ମଧ୍ୟ ମୋଦୀ ଚିନ୍ତା ପ୍ରକାଶ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ସୋସିଆଲ ମିଡିଆକୁ ମିଥ୍ୟା ଖବର ପ୍ରଚାର କରିବାର ମାଧ୍ୟମ କରାଯାଉଛି। ଏହା ମାଧ୍ୟମରେ ଭାରତର ଛବି ଖରାପ କରାଯାଉଛି । ଦେଶର ଦୁର୍ଗମ ଅଞ୍ଚଳରୁ ନକ୍ସଲବାଦକୁ ଦୂର କରିବାରେ ସଫଳତା ମିଳିଥିଲେ ମଧ୍ୟ ‘ମାନସିକ ନକ୍ସଲବାଦ’ର ବିପଦ ଏବେ ବି ରହିଛି ବୋଲି ସେ କହିଥିଲେ।

