ଉତ୍ତରାଖଣ୍ଡରେ ଅବିଶ୍ରାନ୍ତ ପ୍ରବଳ ବର୍ଷା ଯୋଗୁଁ ଚାରିଧାମ ଯାତ୍ରାକୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି । ତୀର୍ଥଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ମଙ୍ଗଳବାର ଏବଂ ବୁଧବାର ପାଇଁ ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଚାରିଧାମ ଯାତ୍ରାକୁ ସ୍ଥଗିତ ରଖିଛନ୍ତି
ଉତ୍ତରାଖଣ୍ଡରେ ଅବିଶ୍ରାନ୍ତ ପ୍ରବଳ ବର୍ଷା ଯୋଗୁଁ ଚାରିଧାମ ଯାତ୍ରାକୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି । ତୀର୍ଥଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ମଙ୍ଗଳବାର ଏବଂ ବୁଧବାର ପାଇଁ ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଚାରିଧାମ ଯାତ୍ରାକୁ ସ୍ଥଗିତ ରଖିଛନ୍ତି । ରାଜ୍ୟର ଅନେକ ସ୍ଥାନରେ ଲଗାତାର ବର୍ଷା, ଭୂସ୍ଖଳନ ଏବଂ ରାସ୍ତା ବନ୍ଦ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।
କେନ୍ଦ୍ରୀୟ ଜଳ ଆୟୋଗ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଜମ୍ମୁ ଏବଂ କାଶ୍ମୀର ଏବଂ ଲଦାଖରେ ମଧ୍ୟମ ଧରଣର ବନ୍ୟା ବିପଦର ଚେତାବନୀ ମଧ୍ୟ ଜାରି କରିଛନ୍ତି। ଗଡ଼ୱାଲ ଡିଭିଜନର କମିସନରଙ୍କ ଅନୁଯାୟୀ,ପାଗ ସ୍ୱାଭାବିକ ହେଲେ ଏବଂ ମାର୍ଗଗୁଡ଼ିକୁ ସମ୍ପୂର୍ଣ୍ଣ ସୁରକ୍ଷିତ ଘୋଷଣା କରାଯିବା ପରେ ହିଁ ଯାତ୍ରା ପୁଣି ଆରମ୍ଭ ହେବ।ଗତ କିଛି ଦିନ ଧରି ଉତ୍ତରାଖଣ୍ଡରେ ଲଗାତାର ମୌସୁମୀ ବର୍ଷା ହେଉଛି।
ପାହାଡ଼ରୁ ଭଗ୍ନାବଶେଷ ଏବଂ ପଥର ଖସିବା ଭଳି ଅନେକ ଘଟଣା ଘଟିଛି। ଏହା ଅନେକ ସ୍ଥାନରେ ଚାରିଧାମ ଧାମକୁ ଯାଉଥିବା ପ୍ରମୁଖ ରାସ୍ତା ଅବରୋଧ ହୋଇଯାଇଛି। ପାଣିପାଗ ବିଭାଗ ଆଗାମୀ କିଛି ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି, ତେଣୁ ସରକାର ତୀର୍ଥଯାତ୍ରାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ, ପାଣିପାଗ ବିଭାଗ ୨୪ ଘଣ୍ଟାର ଏକ ବନ୍ୟା ପୂର୍ବାନୁମାନ ଜାରି କରିଛି, ଯାହା ୨୯ ଜୁଲାଇ, ୨୦୨୬ ସକାଳ ୫:୩୦ ପର୍ଯ୍ୟନ୍ତ ଜାରି ରହିବ ବୋଲି ସୂଚନା ପ୍ରଦାନ କରାଯାଇଛି। ରାଜ୍ୟର ଅନେକ ଜିଲ୍ଲାରେ ବନ୍ୟାର ଆଶଙ୍କା ବିଷୟରେ ଆଲର୍ଟ ଜାରି ହୋଇଛି।
ଜାମ୍ମୁ-କାଶ୍ମୀରର ଡୋଡା-କିସ୍ତୱାଡ଼, ଉଦାମପୁର ଏବଂ ସାମ୍ବା ଜିଲ୍ଲା ତଥା ହିମାଚଳ ପ୍ରଦେଶର ଚମ୍ବା, କାଙ୍ଗଡା, କୁଲୁ, ମଣ୍ଡି, ଶିମଲା, ସିରମୋର୍ ଏବଂ ସୋଲାନ୍ ଜିଲ୍ଲା ପାଇଁ ଆଲର୍ଟ ଜାରି ହୋଇଛି। ସେହିପରି ଉତ୍ତରାଖଣ୍ଡର ଆଲମୋରା, ବାଗେଶ୍ୱର, ଚାମୋଲି, ଡେରାଡୁନ୍, ପୌଡ଼ି ଗଡୱାଲ, ତେହେରୀ ଗଡୱାଲ, ନୈନିତାଲ, ପିଥୋରାଗଡ, ରୁଦ୍ରପ୍ରୟାଗ ଏବଂ ଉତ୍ତରକାଶୀ ଜିଲ୍ଲା ଗୁଡିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ପ୍ରବଳ ବର୍ଷା ସହିତ, ଏହି ଅଞ୍ଚଳଗୁଡ଼ିକରେ ବଜ୍ରପାତ ଏବଂ ଭୂସ୍ଖଳନର ଆଶଙ୍କା ମଧ୍ୟ ରହିଛି।
ପ୍ରଶାସନ ସ୍ଥାନୀୟ ବାସିନ୍ଦା, ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀମାନଙ୍କୁ ନଦୀ ଏବଂ ଝରଣା ନିକଟକୁ ନ ଯିବାକୁ ଅନୁରୋଧ କରିଛି। ଜରୁରୀ ଆବଶ୍ୟକତା ବିନା ଯାତ୍ରା କରିବାରୁ ନିବୃତ୍ତ ରୁହନ୍ତୁ। ପାହାଡିଆ ରାସ୍ତାରେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରନ୍ତୁ। ପାଣିପାଗ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ଜାରି ପରାମର୍ଶ ପାଳନ କରନ୍ତୁ। ଗୁଜବ ଉପରେ ବିଶ୍ୱାସ ନ କରିବାକୁ ଏବଂ କେବଳ ସରକାରୀ ସୂଚନା ଉପରେ ବିଶ୍ୱାସ କରିବାକୁ ମଧ୍ୟ ଲୋକଙ୍କୁ ଅନୁରୋଧ କରାଯାଇଛି।
ଲଗାଣ ବର୍ଷା ଚାରିଧାମ ମାର୍ଗକୁ ପ୍ରଭାବିତ କରିବା ସହ ଡେରାଡୁନର ପ୍ରେମନଗର ଅଞ୍ଚଳର ନନ୍ଦା କି ଚୌକି ନିକଟରେ ଟାନ୍ସ ନଦୀ ଉପରେ ନୂତନ ସେତୁ ମଧ୍ୟ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି। ଏହା ଯୋଗୁଁ ଡେରାଡୁନ, ବିକାଶନଗର ଏବଂ ପଡ଼ୋଶୀ ହିମାଚଳ ପ୍ରଦେଶ ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ପ୍ରବଳ ବର୍ଷାର ସତର୍କତାକୁ ଦୃଷ୍ଟିରେ ରଖି, ପ୍ରଭାବିତ ଜିଲ୍ଲାଗୁଡ଼ିକରେ ମଙ୍ଗଳବାର ସମସ୍ତ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

