ପୂର୍ବତନ କ୍ରିକେଟର ଫାରୁଖ ଇଞ୍ଜିନିୟର ମତ ରଖିଛନ୍ତି ଯେ ୨୦୨୭ ଦିନିକିଆ ବିଶ୍ବକପ୍ରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ରୋହିତ ଶର୍ମା ସହ ଓପନିଂ କରିବା ପାଇଁ ସବୁଠୁ ଉପଯୁକ୍ତ ବ୍ୟାଟର । ଦିନିକିଆ କ୍ରିକେଟରେ ବାମହାତୀ ଓ ଡାହାଣହାତୀ ବ୍ୟାଟରଙ୍କ ଯୋଡ଼ି ବିପକ୍ଷ ବୋଲରଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ ।
ମାତ୍ର ୧୫ ବର୍ଷ ବୟସରେ ଭାରତୀୟ କ୍ରିକେଟର ନୂଆ ସେନ୍ସେସନ୍ ପାଲଟିଛନ୍ତି ବୈଭବ ସୂର୍ଯ୍ୟବଂଶୀ । ଜିମ୍ବାୱେ ବିପକ୍ଷ ଟି-୨୦ ଶୃଙ୍ଖଳାରେ ତାଙ୍କ ବିସ୍ଫୋରକ ବ୍ୟାଟିଂ ସଭିଁଙ୍କ ଧ୍ୟାନ ଆକର୍ଷଣ କରିଛି । ୩ଟି ମ୍ୟାଚରେ ଅର୍ଦ୍ଧଶତକ ସହ ୮୧ ରନ୍ର ଦମଦାର ଇନିଂସ ଖେଳି ସେ ‘ପ୍ଲେୟର ଅଫ୍ ଦି ସିରିଜ୍’ ପୁରସ୍କାର ଜିତିଛନ୍ତି ।
ଜିମ୍ବାୱେ ବିପକ୍ଷ ପ୍ରଥମ ଟି-୨୦ରେ ବୈଭବ ମାତ୍ର ୧୯ଟି ବଲ୍ରେ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିଲେ । ଶେଷ ମ୍ୟାଚରେ ୪୯ ବଲ୍ରେ ୮୧ ରନ୍ କରି ଭାରତକୁ ଶୃଙ୍ଖଳାରେ ୩-୦ରେ କ୍ଲିନ୍ ସ୍ୱିପ୍ କରାଇବାରେ ବଡ଼ ଭୂମିକା ନେଇଥିଲେ । ତାଙ୍କ ଏହି ପ୍ରଦର୍ଶନ ପରେ ବୈଭବଙ୍କୁ ଭାରତର ଦିନିକିଆ (ODI) ଦଳରେ ସାମିଲ କରିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ବିସିସିଆଇ ପକ୍ଷରୁ ଏପର୍ଯ୍ୟନ୍ତ ତାଙ୍କ ଓଡିଆଇ ଡେବ୍ୟୁ ସମ୍ପର୍କରେ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ । କିନ୍ତୁ ଆଗାମୀ ଦିନିକିଆ ମ୍ୟାଚ୍ ଖେଳିବା ପାଇଁ ସେ ଜଣେ ଦୃଢ଼ ଦାବିଦାର ବୋଲି କୁହାଯାଉଛି । ଏହା ମଧ୍ୟରେ ଚର୍ଚ୍ଚା ଜୋର ଧରିଛି ଯେ ରୋହିତ ଶର୍ମାଙ୍କ ସହିତ ବୈଭବଙ୍କୁ ଓପନର ଭାବେ ଖେଳିବାକୁ ସୁଯୋଗ ଦିଆଯାଉ ।
ପୂର୍ବତନ କ୍ରିକେଟର ଫାରୁଖ ଇଞ୍ଜିନିୟର ମତ ରଖିଛନ୍ତି ଯେ ୨୦୨୭ ଦିନିକିଆ ବିଶ୍ବକପ୍ରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ରୋହିତ ଶର୍ମା ସହ ଓପନିଂ କରିବା ପାଇଁ ସବୁଠୁ ଉପଯୁକ୍ତ ବ୍ୟାଟର । ଦିନିକିଆ କ୍ରିକେଟରେ ବାମହାତୀ ଓ ଡାହାଣହାତୀ ବ୍ୟାଟରଙ୍କ ଯୋଡ଼ି ବିପକ୍ଷ ବୋଲରଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ । ତେଣୁ ରୋହିତଙ୍କ ସହ ବୈଭବଙ୍କୁ ଇନିଂସ ଆରମ୍ଭ କରିବାର ସୁଯୋଗ ମିଳିବା ଦରକାର ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି, ଶୁଭମନ ଗିଲ ଏବେ ଭାରତର ସବୁଠୁ ଦକ୍ଷ ବ୍ୟାଟରମାନଙ୍କ ମଧ୍ୟରୁ ଜଣେ । ତେଣୁ ତାଙ୍କୁ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରାଗଲେ ମଧ୍ୟକ୍ରମ ଆହୁରି ଶକ୍ତିଶାଳୀ ହେବ । ଏହା ସହ ବିରାଟ କୋହଲି ତୃତୀୟ ସ୍ଥାନରେ ବ୍ୟାଟିଂ କରିପାରିବେ । ଏଭଳି ବ୍ୟାଟିଂ କ୍ରମ ଭାରତୀୟ ଦଳକୁ ଅଧିକ ସନ୍ତୁଳିତ ଓ ମଜବୁତ କରିବ ବୋଲି ଫାରୁଖ ଇଞ୍ଜିନିୟର ମତ ଦେଇଛନ୍ତି ।
ଫାରୁଖ ଇଞ୍ଜିନିୟରଙ୍କ କହିବା ଅନୁସାରେ, ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିନିକିଆ ଦଳରେ ସାମିଲ କରିବା ପାଇଁ ଏବେ ହିଁ ସଠିକ୍ ସମୟ । ଆଗାମୀ ବିଶ୍ୱକପ୍କୁ ଲକ୍ଷ୍ୟ କରି ତାଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦେଲେ ଭାରତୀୟ ଦଳ ଭବିଷ୍ୟତରେ ବଡ଼ ଲାଭ ପାଇପାରିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି ।
ସେପଟେ ଭାରତର କୋଚ୍ ଭିଭିଏସ୍ ଲକ୍ଷ୍ମଣ ବୈଭବଙ୍କ ପ୍ରଶଂସା କରି କହିଛନ୍ତି, ଗତ କିଛି ମାସ ମଧ୍ୟରେ ତାଙ୍କ ପରିପକ୍ୱତା ଓ ଖେଳ ପ୍ରତି ଆଭିମୁଖ୍ୟ ଅସାଧାରଣ ଭାବେ ବଢ଼ିଛି । ବୈଭବଙ୍କ ଭବିଷ୍ୟତ ଭାରତୀୟ କ୍ରିକେଟ ପାଇଁ ବହୁତ ଉଜ୍ଜ୍ୱଳ ବୋଲି ସେ ମତ ଦେଇଛନ୍ତି ।

