ଏହି ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଜନୈତିକ ବିବାଦ ଭିତରକୁ ଟାଣିବାକୁ ରାହୁଲ ଗାନ୍ଧୀ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି ।
ଭୋଟ୍ ଚୋରି ଅଭିଯୋଗ ଓ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ଜାତୀୟ ରାଜନୀତିରେ ବିବାଦ ତୀବ୍ର ହୋଇଛି । ଏହି ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଜନୈତିକ ବିବାଦ ଭିତରକୁ ଟାଣିବାକୁ ରାହୁଲ ଗାନ୍ଧୀ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି ।
ସମ୍ବିତ ପାତ୍ର କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ସମୟରେ ରାହୁଲ ଗାନ୍ଧୀ ଓ ବିରୋଧୀ ପ୍ରତିନିଧିମଣ୍ଡଳୀ ନିର୍ବାଚନୀ ଅନିୟମିତତା ସମ୍ପର୍କରେ କୌଣସି ପ୍ରମାଣ ଦାଖଲ କରିନଥିଲେ । ଯଦି ବିରୋଧୀଙ୍କ ପାଖରେ ଭୋଟ୍ ଚୋରିର ପ୍ରମାଣ ରହିଛି, ତେବେ ସାକ୍ଷାତ ସମୟରେ ତାହା କାହିଁକି ଉପସ୍ଥାପନ କରାଗଲା ନାହିଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ରାଷ୍ଟ୍ରପତିଙ୍କ ନିକଟରେ ସ୍ମାରକପତ୍ର ଦାଖଲ କରିବା ଏକ ସାଧାରଣ ପ୍ରକ୍ରିୟା । ଏହାକୁ ନେଇ ରାହୁଲ ଗାନ୍ଧୀ ଅଯଥା ବିବାଦ ସୃଷ୍ଟି କରୁଛନ୍ତି । ବିରୋଧୀ ଗତ ଏକ ବର୍ଷ ଧରି ନିର୍ବାଚନୀ ଅନିୟମିତତା ନେଇ ଅଭିଯୋଗ କରିଆସୁଥିବା ବେଳେ ଏହାର ପ୍ରମାଣ ରାଷ୍ଟ୍ରପତିଙ୍କୁ କାହିଁକି ଦେଇନଥିଲେ ବୋଲି ସେ ପଚାରିଛନ୍ତି ।
ଏହା ସହ ରାଷ୍ଟ୍ରପତିଙ୍କ ସହ ଆଲୋଚନା ପରେ ରାହୁଲ ଗାନ୍ଧୀ ଦେଇଥିବା ବକ୍ତବ୍ୟକୁ ମଧ୍ୟ ସମ୍ବିତ ସମାଲୋଚନା କରିଛନ୍ତି । ରାଷ୍ଟ୍ରପତି ତାଙ୍କ ମତ ସହ ସହମତ ହୋଇଥିବା ନେଇ ରାହୁଲ ଯେଉଁ ଦାବି କରିଛନ୍ତି, ତାହା ଭ୍ରମାତ୍ମକ ବୋଲି ସେ ଅଭିଯୋଗ କରିଛନ୍ତି । ରାହୁଲଙ୍କୁ ମୌଳିକ ପ୍ରୋଟୋକଲ୍ ସମ୍ପର୍କରେ ଜ୍ଞାନ ନାହିଁ ବୋଲି କହିବା ସହ ଜଣେ ଦାୟିତ୍ୱବାନ ନେତା ଭାବେ ତାଙ୍କ ଆଚରଣ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ବିଜେପି ମୁଖପାତ୍ର ।
ଶୁକ୍ରବାର ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ‘ଇଣ୍ଡିଆ’ ମେଣ୍ଟର ୧୦ ଜଣିଆ ପ୍ରତିନିଧିମଣ୍ଡଳୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ସମୟରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ସମେତ ଚାରିଟି ଦାବି ନେଇ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।ସାକ୍ଷାତ ପରେ ରାହୁଲ ଗାନ୍ଧୀ କହିଥିଲେ ଯେ, ଦେଶରେ ଭୋଟ୍ ଚୋରି ଓ ନିର୍ବାଚନୀ ଅନିୟମିତତା ସମ୍ପର୍କରେ ବିରୋଧୀଙ୍କ ଅଭିଯୋଗକୁ ରାଷ୍ଟ୍ରପତି ଅସ୍ୱୀକାର କରିନଥିଲେ । ଏହି ଅନିୟମିତତା ସମ୍ପର୍କରେ ପ୍ରମାଣ ଦେବାକୁ ରାଷ୍ଟ୍ରପତି କହିଥିବା ମଧ୍ୟ ସେ ଦାବି କରିଥିଲେ ।
ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରି ରାହୁଲ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ନିର୍ବାଚନ ବ୍ୟବସ୍ଥାରେ ହସ୍ତକ୍ଷେପ ହେଉଥିବା ନେଇ ସେମାନେ ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିଲେ। ଦେଶର ବିଭିନ୍ନ ରାଜ୍ୟରେ ନିର୍ବାଚନୀ ଅନିୟମିତତା ଘଟିଥିବା ନେଇ ଅନେକ ପ୍ରମାଣ ରହିଥିବା ସେ କହିଥିଲେ ।
ରାହୁଲଙ୍କ ଏହି ବକ୍ତବ୍ୟ ପରେ ବିଜେପି ପକ୍ଷରୁ ଆସିଥିବା ପ୍ରତିକ୍ରିୟା ରାଜନୈତିକ ବିବାଦକୁ ଆହୁରି ତୀବ୍ର କରିଛି । ଭୋଟ୍ ଚୋରି ଅଭିଯୋଗ, ସିଇସିଙ୍କ ଇସ୍ତଫା ଦାବି ଏବଂ ରାଷ୍ଟ୍ରପତିଙ୍କ ସହ ସାକ୍ଷାତକୁ ନେଇ ଏବେ ବିଜେପି ଓ ବିରୋଧୀଙ୍କ ମଧ୍ୟରେ ବାକ୍ଯୁଦ୍ଧ ଜାରି ରହିଛି ।\

