ନ୍ୟୁୟର୍କରେ RSS ମୁଖ୍ୟ ମୋହନ ଭାଗବତଙ୍କ ପ୍ରସ୍ତାବିତ କାର୍ଯ୍ୟକ୍ରମକୁ ନେଇ ତେଜିଲା ବିବାଦ। ଏହି କାର୍ଯ୍ୟକ୍ରମକୁ ସମର୍ଥନ କରୁନାହାନ୍ତି ନ୍ୟୁୟର୍କ ସିଟି ମେୟର ଜୋହରାନ ମାମଦାନି ।
ନ୍ୟୁୟର୍କରେ RSS ମୁଖ୍ୟ ମୋହନ ଭାଗବତଙ୍କ ପ୍ରସ୍ତାବିତ କାର୍ଯ୍ୟକ୍ରମକୁ ନେଇ ତେଜିଲା ବିବାଦ। ଏହି କାର୍ଯ୍ୟକ୍ରମକୁ ସମର୍ଥନ କରୁନାହାନ୍ତି ନ୍ୟୁୟର୍କ ସିଟି ମେୟର ଜୋହରାନ ମାମଦାନି । ମାମଦାନି କହିଛନ୍ତି ସେ କେବଳ ଜଣେ ଭାରତୀୟ-ଆମେରିକୀୟ ଭାବେ ନୁହେଁ, ବରଂ ନ୍ୟୁୟର୍କର ମେୟର ଭାବେ ମଧ୍ୟ RSSର ଏହି ଚିନ୍ତାଧାରାକୁ ବିରୋଧ କରନ୍ତି । ଅଗଷ୍ଟ ୨୯ ତାରିଖରେ ନ୍ୟୁୟର୍କର ପ୍ରସିଦ୍ଧ ମ୍ୟାଡିସନ୍ ସ୍କୋୟାର ଗାର୍ଡେନରେ RSS ମୁଖ୍ୟ ମୋହନ ଭାଗବତଙ୍କ ଏକ କାର୍ଯ୍ୟକ୍ରମ ହେବାକୁ ଯାଉଛି । ଏଥିରେ ପ୍ରାୟ ୫ ହଜାର ଭାରତୀୟ ପ୍ରବାସୀ ଯୋଗଦେବା ଆଶା କରାଯାଉଛି ।
ଏହି କାର୍ଯ୍ୟକ୍ରମକୁ ନେଇ ନ୍ୟୁୟର୍କରେ ବିରୋଧ ମଧ୍ୟ ଦେଖାଦେଇଛି । ବିଭିନ୍ନ ଅନ୍ତଃଧର୍ମୀୟ ଏବଂ ସିଭିଲ୍ ରାଇଟ୍ସ ସଂଗଠନ ମୋହନ ଭାଗବତଙ୍କ କାର୍ଯ୍ୟକ୍ରମକୁ ବିରୋଧ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ମାମଦାନିଙ୍କୁ ପଚରାଯାଇଥିଲା ମ୍ୟାଡିସନ୍ ସ୍କୋୟାର ଗାର୍ଡେନରେ ହେବାକୁ ଥିବା RSS କାର୍ଯ୍ୟକ୍ରମକୁ କ’ଣ ବାତିଲ କରାଯିବା ଉଚିତ?
ଏହାର ଜବାବରେ ମାମଦାନି ସ୍ପଷ୍ଟ କହିଛନ୍ତି, ସେ ଏହି ରାଲିକୁ ସମର୍ଥନ କରୁନାହାନ୍ତି। ତେବେ ଏହା ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମ ହୋଇଥିବାରୁ ଏହାକୁ ବାତିଲ କରିବାର ଅଧିକାର ସହର ପ୍ରଶାସନର ଅଛି କି ନାହିଁ, ସେନେଇ ସେ ପ୍ରଶ୍ନ ଉଠାଇଛନ୍ତି।
ମାମଦାନିଙ୍କ ବଡ଼ ବୟାନ
ମାମଦାନି ନିଜକୁ ନ୍ୟୁୟର୍କ ସହରର ପ୍ରଥମ ଭାରତୀୟ-ଆମେରିକୀୟ ମେୟର ବୋଲି ଉଲ୍ଲେଖ କରି କହିଛନ୍ତି, ତାଙ୍କ ମାଆଙ୍କ ପରିବାର ଏବେ ମଧ୍ୟ ଭାରତରେ ଅଛନ୍ତି । ତାଙ୍କ ପରିବାର ତାଙ୍କୁ ଯେଉଁ ଭାରତର ଚିତ୍ର ଦେଖାଇଥିଲେ, ସେହି ଭାରତ ଥିଲା ଏକ ବହୁବିଧତାପୂର୍ଣ୍ଣ ଏବଂ ଧର୍ମନିରପେକ୍ଷ ଦେଶ। ଯେଉଁଠି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସମାନ ସ୍ଥାନ ରହିଛି ।
ମାମଦାନି କହିଛନ୍ତି, ଯେକୌଣସି ଦେଶରେ ବିଭେଦ ଓ ବହିଷ୍କାରକୁ ଆଧାର କରିଥିବା ଆନ୍ଦୋଳନର ବୃଦ୍ଧି ତାଙ୍କୁ ଚିନ୍ତିତ କରୁଛି । ତେଣୁ ସେ RSSର ଏହି ଚିନ୍ତାଧାରାକୁ କେବଳ ଜଣେ ଭାରତୀୟ-ଆମେରିକୀୟ ଭାବେ ନୁହେଁ, ନ୍ୟୁୟର୍କର ମେୟର ଭାବେ ମଧ୍ୟ ବିରୋଧ କରୁଛନ୍ତି ।
ବିରୋଧରେ ଅନେକ ସଂଗଠନ
ମୋହନ ଭାଗବତଙ୍କ କାର୍ଯ୍ୟକ୍ରମ ବିରୋଧରେ ନ୍ୟୁୟର୍କ ସିଟି ହଲ୍ ବାହାରେ ବିଭିନ୍ନ ସଂଗଠନ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏଥିରେ Hindus for Human Rights, Indian American Muslim Council ଏବଂ Interfaith Centre of New York ଭଳି ସଂଗଠନ ସାମିଲ ହୋଇଥିଲେ । ସେମାନେ ମ୍ୟାଡିସନ୍ ସ୍କୋୟାର ଗାର୍ଡେନ୍ କର୍ତ୍ତୃପକ୍ଷଙ୍କୁ ଏହି କାର୍ଯ୍ୟକ୍ରମ ବାତିଲ କରିବାକୁ ଆହ୍ୱାନ ଦେଇଛନ୍ତି ।
ଅନ୍ୟପଟେ, କାର୍ଯ୍ୟକ୍ରମ ଆୟୋଜକ AHEAD Forum ଏହାକୁ ‘Universal Oneness Celebration’ ବୋଲି କହିଛି। ଆୟୋଜକଙ୍କ ଅନୁସାରେ, ଏହି କାର୍ଯ୍ୟକ୍ରମର ବାର୍ତ୍ତା ହେଉଛି ସାରା ବିଶ୍ୱ ଗୋଟିଏ ପରିବାର । ମୋହନ ଭାଗବତଙ୍କ ଆମେରିକା ଗସ୍ତ RSSର ଶତବାର୍ଷିକୀ ବର୍ଷର ବିଶ୍ୱସ୍ତରୀୟ ପ୍ରଚାର କାର୍ଯ୍ୟକ୍ରମର ଅଂଶ । ଆମେରିକା ପରେ ସେ କାନାଡା ଏବଂ ବ୍ରିଟେନ୍ ମଧ୍ୟ ଗସ୍ତ କରିବେ ।

