ଏଣିକି କେବଳ ଜରିମାନା ନୁହେଁ , ସିଧା ଜବତ ହେବ ଗାଡ଼ି

ରାଜ୍ୟରେ ବୈଧ ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ବିନା ଚଳାଚଳ କରୁଥିବା ବାଣିଜ୍ୟିକ ଗାଡ଼ି ବିରୋଧରେ କଡ଼ା ଆଭିମୁଖ୍ୟ ଆପଣାଇଛି ପରିବହନ ବିଭାଗ । ଏଣିକି କେବଳ ଇ-ଚାଲାଣ କାଟି ଛାଡ଼ି ଦିଆଯିବ ନାହିଁ, ବରଂ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ିକୁ ସିଧାସଳଖ ଜବତ କରାଯିବ ।

ରାଜ୍ୟରେ ବୈଧ ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ବିନା ଚଳାଚଳ କରୁଥିବା ବାଣିଜ୍ୟିକ ଗାଡ଼ି ବିରୋଧରେ କଡ଼ା ଆଭିମୁଖ୍ୟ ଆପଣାଇଛି ପରିବହନ ବିଭାଗ । ଏଣିକି କେବଳ ଇ-ଚାଲାଣ କାଟି ଛାଡ଼ି ଦିଆଯିବ ନାହିଁ, ବରଂ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ିକୁ ସିଧାସଳଖ ଜବତ କରାଯିବ । ପରିବହନ କମିଶନର ରାଜ୍ୟର ସମସ୍ତ ଆର୍‌ଟିଓ, ଅତିରିକ୍ତ ଆର୍‌ଟିଓ ଏବଂ ଉପ-ପରିବହନ କମିଶନରଙ୍କୁ ଏନେଇ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିଛନ୍ତି । ବିଶେଷକରି ବୈଧ ଫିଟ୍‌ନେସ୍‌ ସାର୍ଟିଫିକେଟ୍‌, ପଞ୍ଜୀକରଣ କିମ୍ବା ଅନ୍ୟାନ୍ୟ ଆବଶ୍ୟକ ଦସ୍ତାବିଜ ବିନା ଚଳାଚଳ କରୁଥିବା ବାଣିଜ୍ୟିକ ଗାଡ଼ି ଉପରେ ଏବେ କଠୋର ନଜର ରହିବ । ରାଜ୍ୟର ବିଭିନ୍ନ ଟୋଲ୍‌ ଗେଟ୍‌ ଓ ରାଜପଥରେ ଜୋରଦାର ଯାଞ୍ଚ ଆରମ୍ଭ ହୋଇଛି ।

 ଯେଉଁ ଗାଡ଼ିର ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ କିମ୍ବା ପଞ୍ଜୀକରଣ ବୈଧ ନଥିବ, ସେଗୁଡ଼ିକ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ । ପରିବହନ ବିଭାଗ ସ୍ପଷ୍ଟ କରିଛି ଯେ, ବାରମ୍ବାର ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ବିନା ଧରାପଡ଼ୁଥିବା ଗାଡ଼ିର ପଞ୍ଜୀକରଣ ପ୍ରମାଣପତ୍ର (RC) ନିଲମ୍ବନ କିମ୍ବା ବାତିଲ୍‌ କରାଯାଇପାରେ । ସେହିପରି ଆବଶ୍ୟକ ହେଲେ ଗାଡ଼ିର ପରମିଟ୍‌ ମଧ୍ୟ ରଦ୍ଦ କରାଯିବ । ସଡ଼କ ସୁରକ୍ଷାକୁ ଦୃଢ଼ କରିବା ଏବଂ ଅଯୋଗ୍ୟ ଯାନବାହନକୁ ରାଜପଥରୁ ହଟାଇବା ଲକ୍ଷ୍ୟରେ ପରିବହନ ବିଭାଗର ଏହି କଡ଼ା ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

ସର୍ବାଧିକ ଉଲ୍ଲଂଘନ ବନ୍ଦାଳ (ପୁରୁଣା ମଙ୍ଗୁଳି) ଟୋଲ୍‌ ପ୍ଲାଜାରେ ଚିହ୍ନଟ ହୋଇଛି । ଏଠାରେ ୫,୨୮୧ଟି ମାମଲା ଧରାପଡ଼ିଥିବାବେଳେ ପିପିଲି ଟୋଲ୍‌ ପ୍ଲାଜାରେ ୪,୮୧୬ଟି, ସେରଗଡ଼ରେ ୩,୭୬୯ଟି, ଗୁଡ଼ିପଡ଼ା-ଗଙ୍ଗାପଡ଼ାରେ ୨,୮୦୭ଟି, ସମ୍ବଲପୁର-ବରଗଡ଼ରେ ୨,୩୩୮ଟି, ଭଗବଡ଼ା-ନାରାୟଣପୁରରେ ୨,୧୪୧ଟି, କନ୍ଦ୍ରାରେ ୧,୬୨୯ଟି, ଗୁରାପାଲିରେ ୧,୫୭୯ଟି, କରାପଡ଼ାରେ ୧,୫୨୩ଟି ଏବଂ ଦାର୍ଜିଙ୍ଗ ଟୋଲ୍‌ ପ୍ଲାଜାରେ ୧,୫୦୨ଟି ଉଲ୍ଲଂଘନ ମାମଲା ସାମ୍ନାକୁ ଆସିଛି । 

ପରିବହନ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ, ୧୦ କିମ୍ବା ତା’ଠାରୁ ଅଧିକ ଥର ଧରାପଡ଼ିଥିବା ଗାଡ଼ି ବିରୋଧରେ ୭ ଦିନ, ୫ରୁ ୯ ଥର ଧରାପଡ଼ିଥିବା ଗାଡ଼ି ବିରୋଧରେ ୧୫ ଦିନ ଏବଂ ୨ରୁ ୪ ଥର ଧରାପଡ଼ିଥିବା ଗାଡ଼ି ବିରୋଧରେ ୩୦ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ସାରିବାକୁ କୁହାଯାଇଛି । ଏଥିପାଇଁ ସମ୍ପୃକ୍ତ ଟୋଲ୍‌ ପ୍ଲାଜାଗୁଡ଼ିକରେ ସ୍ୱତନ୍ତ୍ର ଧରପଗଡ଼ ଅଭିଯାନ ଚାଲିବ । ଯାଞ୍ଚ ବେଳେ ଗାଡ଼ିର ଫିଟ୍‌ନେସ୍‌, ପରମିଟ୍‌, ବୀମା ଓ ଟିକସ ଦସ୍ତାବିଜ ଯାଞ୍ଚ କରାଯିବ । ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ନଥିଲେ ମୋଟର ଯାନ ଆଇନର ଧାରା ୨୦୭ ଅନୁଯାୟୀ ଗାଡ଼ିକୁ ଜବତ କରାଯିବ । କେବଳ ସେତିକି ନୁହେଁ, ବାରମ୍ବାର ନିୟମ ଭଙ୍ଗ କରୁଥିବା ଗାଡ଼ି ମାଲିକଙ୍କ ବିରୋଧରେ ପଞ୍ଜୀକରଣ ପ୍ରମାଣପତ୍ର ନିଲମ୍ବନ କିମ୍ବା ବାତିଲ୍‌ କରିବା ସହ ପରମିଟ୍‌ ରଦ୍ଦ ପାଇଁ ମଧ୍ୟ ପଦକ୍ଷେପ ନିଆଯିବ । ସମସ୍ତ ଆର୍‌ଟିଓଙ୍କୁ ପକ୍ଷକାଳ ମଧ୍ୟରେ କାର୍ଯ୍ୟାନୁଷ୍ଠାନର ଅଗ୍ରଗତି ରିପୋର୍ଟ ପଠାଇବାକୁ ପରିବହନ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଇ-ଡିଟେକ୍ସନ ବ୍ୟବସ୍ଥାକୁ ଅଧିକ ପ୍ରଭାବୀ କରି ସଡ଼କରେ ଅନୁପଯୁକ୍ତ ଓ ବିପଦଜନକ ଗାଡ଼ିର ଚଳାଚଳ ରୋକିବା ହିଁ ଏହି ଅଭିଯାନର ମୂଳ ଲକ୍ଷ୍ୟ ବୋଲି ଚିଠିରେ ଦର୍ଶାଯାଇଛି ।

Leave a Reply

Your email address will not be published. Required fields are marked *