ନୟାଗଡ଼ ଚାନ୍ଦପୁର ଥାନା ଅଞ୍ଚଳର ବେଣ୍ଟ ଜଙ୍ଗଲରୁ ମିଳିଥିବା ନରକଙ୍କାଳକୁ ନେଇ ବଢ଼ିବାରେ ଲାଗିଛି ରହସ୍ୟ । ମୃତଦେହର ପରିଚୟ ନିର୍ଦ୍ଧାରଣ ପାଇଁ ଡିଏନଏ ପରୀକ୍ଷା କରାଯାଉଥିବା ବେଳେ, ଏହାକୁ ଆଳ କରି ତଦନ୍ତକୁ ବିଳମ୍ବ କରାଯାଉଥିବା ଅଭିଯୋଗ ଉଠିଛି ।
ନୟାଗଡ଼ ଚାନ୍ଦପୁର ଥାନା ଅଞ୍ଚଳର ବେଣ୍ଟ ଜଙ୍ଗଲରୁ ମିଳିଥିବା ନରକଙ୍କାଳକୁ ନେଇ ବଢ଼ିବାରେ ଲାଗିଛି ରହସ୍ୟ । ମୃତଦେହର ପରିଚୟ ନିର୍ଦ୍ଧାରଣ ପାଇଁ ଡିଏନଏ ପରୀକ୍ଷା କରାଯାଉଥିବା ବେଳେ, ଏହାକୁ ଆଳ କରି ତଦନ୍ତକୁ ବିଳମ୍ବ କରାଯାଉଥିବା ଅଭିଯୋଗ ଉଠିଛି । ତେବେ ଏହି ନରକଙ୍କାଳ କାହାର ଏବଂ ମୃତ୍ୟୁ ପଛରେ ରହସ୍ୟ କ’ଣ, ତାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି । ଗତ ଅଗଷ୍ଟ ୧୯ ତାରିଖ ରାତିରେ ବେଣ୍ଟ ଜଙ୍ଗଲରୁ ଏକ ନରକଙ୍କାଳ ଉଦ୍ଧାର କରିଥିଲା ପୁଲିସ । ପ୍ରାଥମିକ ଭାବେ ଏହା ଓସ୍ତପଡ଼ା ଗାଁର କାଳିଆ ସାହୁଙ୍କର ହୋଇପାରେ ବୋଲି ଚର୍ଚ୍ଚା ହୋଇଥିଲା । ପରିବାର ଲୋକ ମଧ୍ୟ ପୁଲିସର ସୂଚନା ଆଧାରରେ ଏହା କାଳିଆଙ୍କର ବୋଲି ଭାବିଥିଲେ । ହେଲେ କଙ୍କାଳ ଉଦ୍ଧାର ସମୟରେ ମିଳିଥିବା ପ୍ୟାଣ୍ଟ ଓ ଚପଲ ଦେଖି ପରିବାର ଲୋକଙ୍କ ସନ୍ଦେହ ବଦଳିଥିଲା । ଏହି କଙ୍କାଳ କାଳିଆଙ୍କର ନୁହେଁ ବୋଲି ସେମାନେ କହିଥିଲେ । ଏହାରି ଭିତରେ ଅଗଷ୍ଟ ୨୦ ତାରିଖରେ ଚାନ୍ଦପୁର ଥାନାରେ ପହଞ୍ଚିଥିଲେ ଯାଜପୁର ଜିଲ୍ଲା ଗୋପାଳପୁରର ରାଜେନ୍ଦ୍ର ମହାପାତ୍ର ।
ଉଦ୍ଧାର ହୋଇଥିବା ନରକଙ୍କାଳ ତାଙ୍କ ପୁଅ ଦିବ୍ୟ ମହାପାତ୍ରଙ୍କର ବୋଲି ସେ ଦାବି କରିଥିଲେ । ଏତଲାରେ ସେ ଦର୍ଶାଇଥିଲେ ଯେ, ଦିବ୍ୟ ବେଣ୍ଟ ଛକରେ ଥିବା ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରୁଥିଲେ ଏବଂ ଗତ ୯ ତାରିଖରୁ ହଠାତ୍ ନିଖୋଜ ହୋଇଯାଇଥିଲେ । କଙ୍କାଳ ନିକଟରୁ ମିଳିଥିବା ମାଳି, ବ୍ରେସଲେଟ୍ ଓ ପୋଷାକକୁ ଦେଖି ରାଜେନ୍ଦ୍ର ଏହା ତାଙ୍କ ପୁଅ ଦିବ୍ୟଙ୍କର ବୋଲି ଚିହ୍ନଟ କରିଥିବା ଦାବି କରିଛନ୍ତି । ତେବେ ପୁଲିସ ପକ୍ଷରୁ ଅନ୍ତିମ ପରିଚୟ ସ୍ପଷ୍ଟ କରିବା ପାଇଁ ରାଜେନ୍ଦ୍ରଙ୍କ ରକ୍ତ ନମୁନା ସଂଗ୍ରହ କରି ଡିଏନଏ ପରୀକ୍ଷା କରାଯାଉଛି । ଅନ୍ୟପଟେ କାଳିଆ ସାହୁଙ୍କ ପରିବାର ଏହି କଙ୍କାଳ କାଳିଆଙ୍କର ନୁହେଁ ବୋଲି ସ୍ପଷ୍ଟ କରିସାରିଥିବା ଦାବି କରାଯାଉଛି । ତେଣୁ ନରକଙ୍କାଳଟି ଦିବ୍ୟ ମହାପାତ୍ରଙ୍କର ହୋଇଥାଇପାରେ ବୋଲି ପରିବାର ପକ୍ଷରୁ ଦାବି ଜୋରଦାର ହୋଇଛି । ହେଲେ ଡିଏନଏ ରିପୋର୍ଟ ନଆସିବା ପର୍ଯ୍ୟନ୍ତ ପୁଲିସ ଆନୁଷ୍ଠାନିକ ଭାବେ ପରିଚୟ ସ୍ପଷ୍ଟ କରୁନାହିଁ ।
ଏହାରି ଭିତରେ ପୁଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଯଦି ନରକଙ୍କାଳଟି ଦିବ୍ୟଙ୍କର, ତେବେ ତାଙ୍କର ମୃତ୍ୟୁ କେମିତି ହେଲା? ଦିବ୍ୟ ନିଖୋଜ ହେବା ପରେ ସେ କେଉଁଠାକୁ ଯାଇଥିଲେ? ତାଙ୍କ ମୃତ୍ୟୁ ସ୍ୱାଭାବିକ ଥିଲା ନା କେହି ତାଙ୍କୁ ହତ୍ୟା କରିଥିଲା? ଆଉ ଏକ ବଡ଼ ପ୍ରଶ୍ନ—ଏତେ କମ୍ ସମୟ ମଧ୍ୟରେ ମୃତଦେହ କେମିତି ସମ୍ପୂର୍ଣ୍ଣ ନଷ୍ଟ ହୋଇ କଙ୍କାଳରେ ପରିଣତ ହେଲା? ଜଙ୍ଗଲ ଭିତରେ ମୃତଦେହ କିପରି ପହଞ୍ଚିଲା? ଏହା ପଛରେ କୌଣସି ଅପରାଧିକ ଷଡ଼ଯନ୍ତ୍ର ରହିଛି କି? ନା ଏହା ପଛରେ ଆଉ କୌଣସି ଅଜଣା କାହାଣୀ ରହିଛି? ଏବେ ଡିଏନଏ ରିପୋର୍ଟ ଆସିବା ସହ ଏହି ସବୁ ପ୍ରଶ୍ନର ଉତ୍ତର ଖୋଜିବା ହିଁ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ । ନରକଙ୍କାଳର ପରିଚୟରୁ ଆରମ୍ଭ କରି ମୃତ୍ୟୁର କାରଣ ଓ ଏହା ପଛରେ କାହାର ହାତ ରହିଛି—ପ୍ରତ୍ୟେକ ରହସ୍ୟର ପର୍ଦ୍ଦାଫାସ୍ କରିବାକୁ ଦାବି ଜୋର ଧରିଛି ।

