ଅଦାଲତ କହିଲେ ଆମ ମନକୁ ଆସେ ବିଚାରପତିଙ୍କ ଆସନ, ଓକିଲଙ୍କ ଯୁକ୍ତିତର୍କ ଏବଂ ନ୍ୟାୟ ପାଇଁ ଅପେକ୍ଷା କରୁଥିବା ଲୋକଙ୍କ ଭିଡ଼ । କିନ୍ତୁ ଏହି ଦୃଶ୍ୟ ପଛରେ ରହିଥିବା ବିଚାରପତିଙ୍କ ଦୈନନ୍ଦିନ କାର୍ଯ୍ୟ ଓ ମାନସିକ ଚାପ ବିଷୟରେ ଅନେକଙ୍କର ଧାରଣା ନାହିଁ ।
ଅଦାଲତ କହିଲେ ଆମ ମନକୁ ଆସେ ବିଚାରପତିଙ୍କ ଆସନ, ଓକିଲଙ୍କ ଯୁକ୍ତିତର୍କ ଏବଂ ନ୍ୟାୟ ପାଇଁ ଅପେକ୍ଷା କରୁଥିବା ଲୋକଙ୍କ ଭିଡ଼ । କିନ୍ତୁ ଏହି ଦୃଶ୍ୟ ପଛରେ ରହିଥିବା ବିଚାରପତିଙ୍କ ଦୈନନ୍ଦିନ କାର୍ଯ୍ୟ ଓ ମାନସିକ ଚାପ ବିଷୟରେ ଅନେକଙ୍କର ଧାରଣା ନାହିଁ।
ଦିଲ୍ଲୀ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ପୁନମ ବାମ୍ବା ଭାରତୀୟ ନ୍ୟାୟ ବ୍ୟବସ୍ଥାର ଏହି ଅଦୃଶ୍ୟ ଦିଗ ଉପରେ ଆଲୋକପାତ କରିଛନ୍ତି। ତାଙ୍କ ଅନୁଯାୟୀ, ଜଣେ ବିଚାରପତିଙ୍କୁ ଗୋଟିଏ ଦିନରେ ପ୍ରାୟ ୧୨୫ଟି ମାମଲାର ଶୁଣାଣି କରିବାକୁ ପଡ଼ିପାରେ। ନ୍ୟାୟ ପ୍ରଦାନ କରିବା କେବଳ ଏକ କାର୍ଯ୍ୟ ନୁହେଁ, ଏହା ଏକ ବିଶାଳ ଦାୟିତ୍ୱ। ଅଦାଲତରେ ଦେଖାଯାଉଥିବା କିଛି ଘଣ୍ଟାର କାର୍ଯ୍ୟ ପଛରେ ରହିଥାଏ ଅନେକ ଦିନର ପ୍ରସ୍ତୁତି, ଅସଂଖ୍ୟ ଦସ୍ତାବିଜ୍ର ଅଧ୍ୟୟନ ଓ ଗଭୀର ମାନସିକ ପରିଶ୍ରମ । ପୂର୍ବତନ ବିଚାରପତି ପୁନମ ବାମ୍ବା ଏଭଳି ଅନୁଭୂତି କହି, ନ୍ୟାୟ ବ୍ୟବସ୍ଥାର ପ୍ରକୃତ କାର୍ଯ୍ୟପ୍ରଣାଳୀକୁ ବୁଝାଇଛନ୍ତି । କୋର୍ଟରୁମ୍ର ଦୃଶ୍ୟ ପଛରେ ଥିବା ପରିଶ୍ରମକୁ ଜାଣିବା ମଧ୍ୟ ଜରୁରୀ ସେ କହିଛନ୍ତି । ସମସ୍ତେ ଯେପରି ଭାବନ୍ତି ସେପରି ଚମତ୍କାର ଭାବେ କୋର୍ଟ ଚାଲେନାହିଁ । ବିଚାରପତିଙ୍କ କହିବା ଅନୁସାରେ କୋର୍ଟରୁମ୍ରେ ଦେଖାଯାଉଥିବା ଶାନ୍ତ ପରିବେଶ ପଛରେ ରହିଛି ଅକ୍ଳାନ୍ତ ପରିଶ୍ରମ, ଅନେକ ଘଣ୍ଟାର ବିଚାର ପ୍ରକ୍ରିୟା ଓ ଅସଂଖ୍ୟ ଦସ୍ତାବିଜ୍ର ଯାଞ୍ଚ ।
ଗୋଟିଏ ଦିନରେ ୧୨୫ଟି ମାମଲାର ଚାପ
ସାଧାରଣ ଲୋକଙ୍କ ପାଇଁ ଗୋଟିଏ ମାମଲାର ବିଚାର ପ୍ରକ୍ରିୟା ମଧ୍ୟ ଜଟିଳ ମନେ ହୋଇଥାଏ । କିନ୍ତୁ ବିଚାରପତିଙ୍କୁ ଗୋଟିଏ ଦିନରେ ଅନେକ ମାମଲାର ଶୁଣାଣି କରିବା ସହ ପ୍ରତ୍ୟେକ ମାମଲାର ତଥ୍ୟ, ଯୁକ୍ତି ଓ ଆଇନଗତ ଦିଗକୁ ବୁଝିବାକୁ ପଡ଼େ । ପ୍ରତ୍ୟେକ ମାମଲାର ଗୁରୁତ୍ୱ ଭିନ୍ନ। କେଉଁଠି ସାକ୍ଷୀଙ୍କ ବୟାନ, କେଉଁଠି ଦସ୍ତାବିଜ୍, ତ ଆଉ କେଉଁଠି ଆଇନର ଜଟିଳ ବ୍ୟାଖ୍ୟା ନ୍ୟାୟ ନିର୍ଣ୍ଣୟରେ ଗୁରୁତ୍ୱ ବହନ କରେ ।
ହଜାର ହଜାର ପୃଷ୍ଠାର ଦସ୍ତାବିଜ୍ ଓ ଘଣ୍ଟା ଘଣ୍ଟାର ପ୍ରମାଣ
ଏକ ମାମଲାର ଶୁଣାଣି କେବଳ କୋର୍ଟରୁମ୍ରେ ହେଉଥିବା ଯୁକ୍ତିତର୍କ ମଧ୍ୟରେ ସୀମିତ ନୁହେଁ। ମାମଲା ସମ୍ପର୍କିତ ହଜାର ହଜାର ପୃଷ୍ଠାର ଦସ୍ତାବିଜ୍, ସାକ୍ଷୀଙ୍କ ବୟାନ ଓ ବିଭିନ୍ନ ପ୍ରମାଣକୁ ଭଲଭାବେ ଯାଞ୍ଚ କରିବାକୁ ପଡ଼େ । ଏହି ସମସ୍ତ ତଥ୍ୟକୁ ଆଧାର କରି ଆଇନ ଅନୁଯାୟୀ ନିଷ୍ପତ୍ତି ନେବା ଜଣେ ବିଚାରପତିଙ୍କ ପାଇଁ ଏକ ବଡ଼ ଦାୟିତ୍ୱ। କାରଣ ତାଙ୍କର ଗୋଟିଏ ନିଷ୍ପତ୍ତି କାହାର ଜୀବନ, ସମ୍ମାନ, ସମ୍ପତ୍ତି ଓ ଭବିଷ୍ୟତ ଉପରେ ପ୍ରଭାବ ପକାଇପାରେ ।
କୋର୍ଟ ଛାଡ଼ିବା ପରେ ମଧ୍ୟ ଶେଷ ହୁଏନି କାମ
ଅନେକ ଲୋକ ଭାବନ୍ତି, କୋର୍ଟର କାର୍ଯ୍ୟ ସମୟ ଶେଷ ହେଲେ ବିଚାରପତିଙ୍କ କାମ ମଧ୍ୟ ଶେଷ ହୋଇଯାଏ। କିନ୍ତୁ ବାସ୍ତବତା ତାହାଠାରୁ ଭିନ୍ନ। କୋର୍ଟରେ ଶୁଣାଣି ପରେ ମଧ୍ୟ ବିଚାରପତିଙ୍କୁ ରାୟ ଓ ଆଦେଶ ପ୍ରସ୍ତୁତ କରିବା, ପୁରୁଣା ରେକର୍ଡ ଯାଞ୍ଚ କରିବା ଏବଂ ପରଦିନର ମାମଲାଗୁଡ଼ିକୁ ଆଗୁଆ ପଢ଼ିବାକୁ ପଡ଼େ। ଏହି କାରଣରୁ ନ୍ୟାୟିକ କାର୍ଯ୍ୟ କେବଳ କୋର୍ଟର ନିର୍ଦ୍ଧାରିତ ସମୟ ମଧ୍ୟରେ ସୀମିତ ରହେ ନାହିଁ।
ନ୍ୟାୟ ବ୍ୟବସ୍ଥାର ଅଦୃଶ୍ୟ ସହଯୋଗୀ
କୋର୍ଟର କାର୍ଯ୍ୟ ସଫଳତାର ସହ ଚାଲିବା ପଛରେ କେବଳ ବିଚାରପତି ଓ ଓକିଲଙ୍କ ଭୂମିକା ନଥାଏ। କୋର୍ଟର ଷ୍ଟେନୋଗ୍ରାଫର, ପୋଲିସ କର୍ମଚାରୀ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥାନ୍ତି। ସେମାନଙ୍କ ସହଯୋଗ ବିନା ଅଦାଲତର ଦୈନନ୍ଦିନ କାର୍ଯ୍ୟକୁ ସୁଚାରୁ ଭାବେ ପରିଚାଳନା କରିବା କଷ୍ଟକର।
ବିଚାରପତି ମଧ୍ୟ ଜଣେ ମଣିଷ
ବିଚାରପତିଙ୍କୁ ସାଧାରଣତଃ ଏକ ଗମ୍ଭୀର ଓ ଦାୟିତ୍ୱବାନ ପଦବୀରେ ଦେଖାଯାଏ। କିନ୍ତୁ ସେମାନେ ମଧ୍ୟ ମଣିଷ। ନିରନ୍ତର କାର୍ଯ୍ୟଚାପ, ଜଟିଳ ମାମଲା ଓ ନିରପେକ୍ଷ ନିଷ୍ପତ୍ତି ନେବାର ଦାୟିତ୍ୱ ସେମାନଙ୍କ ଉପରେ ମାନସିକ ଚାପ ସୃଷ୍ଟି କରିଥାଏ। ତେଣୁ ନ୍ୟାୟ ବ୍ୟବସ୍ଥାକୁ ବୁଝିବା ସମୟରେ କେବଳ ରାୟ କେବେ ଆସିବ ତାହା ନୁହେଁ, ବରଂ ସେହି ରାୟ ପଛରେ ରହିଥିବା ପରିଶ୍ରମ ଓ ଦାୟିତ୍ୱକୁ ମଧ୍ୟ ବୁଝିବା ଆବଶ୍ୟକ ବୋଲି ବିଚାରପତି ମତ ରଖିଛନ୍ତି।

