ସିକ୍ୟୁରିଟି ରିସର୍ଚ୍ଚର ମାର୍କ ବ୍ଲାସ୍ଜିକ୍ ପ୍ରଥମେ ଏହି ଖାମିକୁ ଚିହ୍ନଟ କରିଥିଲେ । ତାଙ୍କ କହିବା ଅନୁସାରେ, ଏକ ସ୍ୱତନ୍ତ୍ର ଧରଣର SMS ଜରିଆରେ ଆଣ୍ଡ୍ରଏଡ୍ ଫୋନ୍ର ସିଷ୍ଟମ୍କୁ କ୍ରାସ୍ କରାଯାଇପାରିବ ।
ସ୍ମାର୍ଟଫୋନ୍ ବ୍ୟବହାରକାରୀ ସାବଧାନ ! ଆପଣଙ୍କ ମୋବାଇଲକୁ ଆସୁଥିବା ଗୋଟିଏ ମେସେଜ ହିଁ ଆପଣଙ୍କ ଫୋନ୍କୁ କରିପାରେ ଅଚଳ । ଏପରି ଏକ ଭୟଙ୍କର ସିକ୍ୟୁରିଟି ତ୍ରୁଟି ସାମ୍ନାକୁ ଆସିଛି, ଯାହାକୁ ‘SMS Of Death’ ନାମ ଦିଆଯାଇଛି । ଏହି ତ୍ରୁଟି ଯୋଗୁଁ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ସମ୍ପୂର୍ଣ୍ଣ କ୍ରାସ୍ ହୋଇଯିବାର ଆଶଙ୍କା ରହିଛି । ତେବେ କେଉଁ କେଉଁ ଦେଶରେ ଏହାର ପ୍ରଭାବ ପଡ଼ିଛି, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ତଥ୍ୟ ମିଳିନାହିଁ । ସିକ୍ୟୁରିଟି ରିସର୍ଚ୍ଚର ମାର୍କ ବ୍ଲାସ୍ଜିକ୍ ପ୍ରଥମେ ଏହି ଖାମିକୁ ଚିହ୍ନଟ କରିଥିଲେ। ତାଙ୍କ କହିବା ଅନୁସାରେ, ଏକ ସ୍ୱତନ୍ତ୍ର ଧରଣର SMS ଜରିଆରେ ଆଣ୍ଡ୍ରଏଡ୍ ଫୋନ୍ର ସିଷ୍ଟମ୍କୁ କ୍ରାସ୍ କରାଯାଇପାରିବ । ଏହା ପରେ ମୋବାଇଲ୍ ଠିକ୍ ଭାବେ କାମ କରିବା ବନ୍ଦ କରିଦେବ ।
ସବୁଠାରୁ ଚିନ୍ତାଜନକ କଥା ହେଉଛି, ଏହି ଆକ୍ରମଣ ଯୋଗୁଁ ଫୋନ୍ର କଲ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ ମଧ୍ୟ କ୍ରାସ୍ ହୋଇପାରେ। ଫଳରେ ଚାଲୁଥିବା କଲ୍ ଡିସକନେକ୍ଟ ହେବା ସହ ଜରୁରୀକାଳୀନ ନମ୍ବରକୁ ମଧ୍ୟ କଲ୍ କରିବା ସମ୍ଭବ ହୋଇନପାରେ । ରିସର୍ଚ୍ଚରଙ୍କ ଚେତାବନୀ ଅନୁସାରେ, ଏଭଳି ପ୍ରାୟ ୨୦ଟି ବିପଜ୍ଜନକ ମେସେଜ୍ ଯେକୌଣସି ଆଣ୍ଡ୍ରଏଡ୍ ଫୋନ୍କୁ ଅଚଳ କରିଦେଇପାରେ । ଏହାର ଆଉ ଏକ ବଡ଼ ବିପଦ ହେଉଛି ବୁଟ୍ଲୁପ୍ । ଅର୍ଥାତ୍ ଫୋନ୍ ଅନ୍ ହେବା ପରେ ଅପରେଟିଂ ସିଷ୍ଟମ୍ ବାରମ୍ବାର ସେହି SMSକୁ ପ୍ରୋସେସ୍ କରିବାକୁ ଚେଷ୍ଟା କରିବ । ଫଳରେ ଫୋନ୍ ଠିକ୍ ଭାବେ ଚାଲୁ ହୋଇପାରିବ ନାହିଁ ।
ଏହି ଆକ୍ରମଣକୁ ଚିହ୍ନଟ କରିବା ମଧ୍ୟ କଷ୍ଟକର । କାରଣ ଫୋନ୍ରେ କ୍ରାସ୍ ସୃଷ୍ଟି କରୁଥିବା ମେସେଜ୍ର କୌଣସି ନୋଟିଫିକେସନ୍ ମିଳିନପାରେ । ସିଷ୍ଟମ୍ ମେସେଜ୍କୁ ପ୍ରୋସେସ୍ କରିବା ସମୟରେ ହିଁ କ୍ରାସ୍ ହୋଇଯାଉଥିବାରୁ ୟୁଜରଙ୍କୁ ଏହାର ସୂଚନା ମଧ୍ୟ ମିଳିବ ନାହିଁ। ଆଶ୍ଚର୍ଯ୍ୟର କଥା, ଫ୍ୟାକ୍ଟ୍ରି ରିସେଟ୍ କରିବା ପରେ ମଧ୍ୟ ଏହି ସମସ୍ୟା ଦୂର ହୋଇନପାରେ। ଟେଲିକମ୍ ଅପରେଟରଙ୍କ ପକ୍ଷରୁ ମେସେଜ୍ ପୁଣିଥରେ ଫୋନ୍କୁ ପଠାଯିବାର ଆଶଙ୍କା ରହିଛି। ଫଳରେ ଫୋନ୍ ଅନ୍ ହେବା ମାତ୍ରେ ପୁଣି କ୍ରାସ୍ ହୋଇପାରେ ।
ମିଡିଆ ରିପୋର୍ଟ ଅନୁସାରେ, ଫୋନ୍କୁ କମ୍ପ୍ୟୁଟର ସହ ସଂଯୋଗ କରି ଏହି ମେସେଜ୍ଗୁଡ଼ିକୁ ଚିହ୍ନଟ କରି ଡିଲିଟ୍ କରାଯାଇପାରିବ। ତେବେ ଏହି ପ୍ରକ୍ରିୟା ସମସ୍ତ ୟୁଜରଙ୍କ ପାଇଁ ସହଜ ନୁହେଁ । ରିସର୍ଚ୍ଚର ମେ’ ୫ ତାରିଖରେ ପ୍ରଥମେ ଗୁଗଲ୍କୁ ଏହି ସୁରକ୍ଷା ତ୍ରୁଟି ବିଷୟରେ ଜଣାଇଥିଲେ । ପ୍ରାରମ୍ଭରେ ତାଙ୍କ ରିପୋର୍ଟକୁ ସିକ୍ୟୁରିଟି ସମସ୍ୟା ଭାବେ ଗ୍ରହଣ କରାଯାଇନଥିବା ସେ ଅଭିଯୋଗ କରିଛନ୍ତି । ତେବେ ପରେ ଗୁଗଲ୍ ଏହାର ସମାଧାନ ପାଇଁ ଦୀର୍ଘଦିନ ଧରି କାମ କରୁଥିବା ଜାଣିବାକୁ ପାଇଥିଲେ। ଏବେ ଏହି ଘଟଣାକୁ ନେଇ ଆଣ୍ଡ୍ରଏଡ୍ ୟୁଜରଙ୍କ ମଧ୍ୟରେ ଚିନ୍ତା ବଢ଼ିଛି ।

