ନିର୍ବାସନରେ ଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ବୁଧବାର ପ୍ରଥମ ଥର ପାଇଁ ସାର୍ବଜନୀନ ଭାବେ ଉଦ୍ବୋଧନ ଦେଇ ବର୍ତ୍ତମାନର ଅନ୍ତର୍ବର୍ତ୍ତୀ ସରକାର ଉପରେ ଏକାଧିକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।
ନିର୍ବାସନରେ ଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ବୁଧବାର ପ୍ରଥମ ଥର ପାଇଁ ସାର୍ବଜନୀନ ଭାବେ ଉଦ୍ବୋଧନ ଦେଇ ବର୍ତ୍ତମାନର ଅନ୍ତର୍ବର୍ତ୍ତୀ ସରକାର ଉପରେ ଏକାଧିକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ନୂଆଦିଲ୍ଲୀରେ ଦକ୍ଷିଣ ଏସିଆ ବିଦେଶୀ ସାମ୍ବାଦିକ କ୍ଲବ୍ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭିଡିଓ ବାର୍ତ୍ତା ଜରିଆରେ ସେ କହିଛନ୍ତି ଯେ, ତାଙ୍କ ସରକାର ହଟିବା ପରେ ବାଂଲାଦେଶରେ ଦୋଷୀ ସାବ୍ୟସ୍ତ ଆତଙ୍କବାଦୀଙ୍କୁ ମୁକ୍ତ କରାଯାଉଛି ଏବଂ ଦେଶରେ ଚରମପନ୍ଥା ପୁଣି ମୁଣ୍ଡ ଟେକୁଛି ।
ଏହି ଅବସରରେ ହାସିନାଙ୍କ ପୁଅ ଓ ପୂର୍ବତନ ଆଇସିଟି ପରାମର୍ଶଦାତା ସାଜିବ ୱାଜେଦ ଜୟ କହିଛନ୍ତି,ବାଂଲାଦେଶ ଏବେ ଆଉ ଏକ ପାକିସ୍ତାନରେ ପରିଣତ ହୋଇଛି । ଏହା ଭାରତ ପାଇଁ ମଧ୍ୟ ଚିନ୍ତାର ବିଷୟ । ତାଙ୍କ ଅଭିଯୋଗ ଅନୁସାରେ, ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଦେଶରେ ଚରମପନ୍ଥା, ରାଜନୈତିକ ହିଂସା ଏବଂ ଅସ୍ଥିରତା ବଢ଼ିଛି । ସେ କହିଛନ୍ତି ଯେ ଅର୍ଥନୀତି ମଧ୍ୟ ଗୁରୁତର ସଙ୍କଟରେ ପଡ଼ିଛି ଏବଂ ବାଂଲାଦେଶ ଏକ ବିଫଳ ରାଷ୍ଟ୍ର ଆଡ଼କୁ ଅଗ୍ରସର ହେଉଛି ।
ଶେଖ ହାସିନା ଦାବି କରିଛନ୍ତି ଯେ, ୨୦୨୪ର ଜୁଲାଇ–ଅଗଷ୍ଟ ଆନ୍ଦୋଳନ ସମୟରେ ଘଟିଥିବା ହିଂସା ଓ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ତାଙ୍କ ସରକାର ଏକ ନ୍ୟାୟିକ କମିଶନ ଗଠନ କରିଥିଲା। କିନ୍ତୁ ସରକାର ବଦଳିବା ପରେ ସେହି ତଦନ୍ତକୁ ବନ୍ଦ କରିଦିଆଯାଇଛି । ଯଦି ସରକାର ପ୍ରକୃତରେ ନ୍ୟାୟ ଚାହୁଁଥାନ୍ତା, ତେବେ ତଦନ୍ତ କାହିଁକି ବନ୍ଦ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ଆୱାମୀ ଲିଗ୍ର ନେତା, କର୍ମୀ, ସମର୍ଥକ, ପୁଲିସ କର୍ମଚାରୀ, ସାମ୍ବାଦିକ, ବିଚାରପତି ଏବଂ ସଂଖ୍ୟାଲଘୁ ସମୁଦାୟର ଲୋକମାନେ ଗିରଫ, ନିର୍ଯାତନା ଓ ହିଂସାର ଶିକାର ହେଉଛନ୍ତି । ତାଙ୍କ ମତରେ, ମୁକ୍ତିଯୁଦ୍ଧର ଆଦର୍ଶକୁ ସମର୍ଥନ କରୁଥିବା ଲୋକଙ୍କୁ ଯୋଜନାବଦ୍ଧ ଭାବେ ଟାର୍ଗେଟ କରାଯାଉଛି ।
ସାଜିବ ୱାଜେଦ ଜୟ ବାଂଲାଦେଶ-ପାକିସ୍ତାନ ସମ୍ପର୍କର ସମ୍ପ୍ରତି ବୃଦ୍ଧିକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି । ଉଭୟ ଦେଶ ମଧ୍ୟରେ ସିଧାସଳଖ ସାମୁଦ୍ରିକ ବାଣିଜ୍ୟ, ବିମାନ ସେବା ଏବଂ ଉଚ୍ଚସ୍ତରୀୟ କୂଟନୈତିକ ଯୋଗାଯୋଗ ପୁନର୍ବାର ଆରମ୍ଭ ହେବାକୁ ସେ ଅଞ୍ଚଳୀୟ ସୁରକ୍ଷା ପାଇଁ ଚ୍ୟାଲେଞ୍ଜ ବୋଲି କହିଛନ୍ତି ।
ଶେଖ ହାସିନା ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ବିରୋଧରେ ଯେତେ ମାମଲା ଥାଉ କିମ୍ବା ଯେକୌଣସି ବିପଦ ଆସୁ, ସେ ନିଶ୍ଚିତ ଭାବେ ବାଂଲାଦେଶ ଫେରିବେ । ମୋତେ ଜେଲ୍କୁ ପଠାଇପାରନ୍ତି, ମୋତେ ହତ୍ୟା ମଧ୍ୟ କରିପାରନ୍ତି । ତଥାପି ମୁଁ ମୋ ଦେଶକୁ ଫେରିବି । ଏହା କ୍ଷମତା ପାଇଁ ନୁହେଁ, ବରଂ ବାଂଲାଦେଶରେ ଶାନ୍ତି, ବିକାଶ ଓ ସୁରକ୍ଷା ଫେରାଇବା ପାଇଁ ବୋଲି ସେ କହିଛନ୍ତି ।

