ଅଦାଲତରେ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ, ମାତୃତ୍ୱଜନିତ ବିରତି (ଗର୍ଭାବସ୍ଥା ଓ ସନ୍ତାନ ପ୍ରସବ) ପରେ ସେ ଖେଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ତାଙ୍କୁ ଚୟନ ପ୍ରକ୍ରିୟାରେ ଭାଗ ନେବାକୁ ସୁଯୋଗ ଦିଆଯାଉ ନାହିଁ।
ଆଗାମୀ ବରିଷ୍ଠ ବିଶ୍ୱ କୁସ୍ତି ପ୍ରତିଯୋଗିତା ପାଇଁ ଆୟୋଜିତ ହେବାକୁ ଥିବା ଭାରତୀୟ ଦଳ ଚୟନ ପ୍ରକ୍ରିୟାରେ ସାମିଲ ହେବା ଲାଗି ତାରକା କୁସ୍ତିଯୋଦ୍ଧା ଫୋଗଟଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଚଳିତ ମାସ ୧୪ ତାରିଖରେ ହେବାକୁ ଥିବା ଏହି ଚୟନ ପ୍ରକ୍ରିୟାରୁ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ)ର ଯୋଗ୍ୟତା ମାନଦଣ୍ଡ ଅନୁଯାୟୀ ତାଙ୍କୁ ବାଦ୍ ଦିଆଯାଇଥିଲା। ଏହା ବିରୋଧରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଅଦାଲତରେ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ, ମାତୃତ୍ୱଜନିତ ବିରତି (ଗର୍ଭାବସ୍ଥା ଓ ସନ୍ତାନ ପ୍ରସବ) ପରେ ସେ ଖେଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ତାଙ୍କୁ ଚୟନ ପ୍ରକ୍ରିୟାରେ ଭାଗ ନେବାକୁ ସୁଯୋଗ ଦିଆଯାଉ ନାହିଁ। ଏପରିକି ଚୟନର ମାତ୍ର କିଛି ଦିନ ପୂର୍ବରୁ ତାଙ୍କୁ ଏହି ମାନଦଣ୍ଡ ବିଷୟରେ ଜଣାଯାଇଥିଲା। ଅନ୍ୟପକ୍ଷରେ, ଡବ୍ଲ୍ୟୁଏଫ୍ଆଇ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ ତାଙ୍କୁ ପ୍ରତିଯୋଗିତାରୁ ସିଧାସଳଖ ବାରଣ କରାଯାଇନାହିଁ; ବରଂ ନିୟମ ଅନୁଯାୟୀ ଚୟନ ପାଇଁ ପୂର୍ବରୁ ଘରୋଇ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ବାଧ୍ୟତାମୂଳକ ଥିଲା।
ଉଭୟ ପକ୍ଷର ଶୁଣାଣି ପରେ କୋର୍ଟ କହିଛନ୍ତି ଯେ, ଏଭଳି ସ୍ଥିତିରେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପାଇଁ ନିୟମରେ ବ୍ୟତିକ୍ରମ କରାଯାଇ ପାରିବ ନାହିଁ। ତେବେ ମାତୃତ୍ୱ ପରେ କ୍ରୀଡ଼ାକ୍ଷେତ୍ରକୁ ଫେରୁଥିବା ମହିଳା ଖେଳାଳିମାନଙ୍କ ସମସ୍ୟାକୁ କୋର୍ଟ ସ୍ୱୀକାର କରିବା ସହ ଭବିଷ୍ୟତ ପାଇଁ ଏକ ସ୍ୱତନ୍ତ୍ର ନୀତି ପ୍ରସ୍ତୁତ କରିବାକୁ ମହାସଂଘକୁ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଆସନ୍ତା ଅକ୍ଟୋବର ୨୪ରୁ ନଭେମ୍ବର ୧ ପର୍ଯ୍ୟନ୍ତ କାଜାଖସ୍ତାନର ଆସ୍ତାନାଠାରେ ବିଶ୍ୱ କୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହେବ।

