ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଦେଓ ନଦୀରେ ହଠାତ୍ ଜଳସ୍ତର ବୃଦ୍ଧି ପାଇଛି । ଏହାର ପ୍ରଭାବରେ ଉଦଳା-ବାଲେଶ୍ୱର ରାସ୍ତାର ଜାମୁଘାଟ ନିକଟରେ ନିର୍ମିତ ଅସ୍ଥାୟୀ ପୋଲ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି । ପୋଲ ଉପରେ ପ୍ରାୟ ୩ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଥିବାରୁ ଯାନବାହନ ଚଳାଚଳ ଅସମ୍ଭବ ହୋଇପଡ଼ିଛି । ଏହି ପରିସ୍ଥିତିରେ ଉଦଳା ଓ ବାଲେଶ୍ୱର ମଧ୍ୟରେ ସଡ଼କ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ପୋଲର ଦୁଇ ପାର୍ଶ୍ୱରେ ଛୋଟବଡ଼ ଯାନବାହନ ଅଟକି ରହିଥିବା ବେଳେ ଯାତ୍ରୀମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପୋଲ ଉପରେ ଯାତାୟାତ ବନ୍ଦ କରିଛି । ଜଳସ୍ରୋତ କମିବା ପର୍ଯ୍ୟନ୍ତ କେହି ପୋଲ ଅତିକ୍ରମ ନ କରିବାକୁ ଅପିଲ୍ କରାଯାଇଛି । ପରିସ୍ଥିତି ଉପରେ ସ୍ଥାନୀୟ ପ୍ରଶାସନ ଓ ଅଗ୍ନିଶମ ବିଭାଗ କଡ଼ା ନଜର ରଖିଛନ୍ତି । ଦେଓ ନଦୀର ଜଳସ୍ତର ଆହୁରି ବଢ଼ିବାର ଆଶଙ୍କା ଥିବାରୁ ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ବର୍ଷା ନ କମିବା ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ମଧ୍ୟ ପ୍ରଶାସନ ଅନୁରୋଧ କରିଛି ।

