ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗୁଓ ଜିଆକୁନ କହିଛନ୍ତି ଯେ, ଦୁଇ ନେତାଙ୍କ ବୈଠକ ଭାରତ-ଚୀନ୍ ସମ୍ପର୍କକୁ ଆଗକୁ ବଢ଼ାଇବା ଦିଗରେ ଆଉ ଏକ ପ୍ରମୁଖ ପଦକ୍ଷେପ।
ଭାରତର ସ୍ୱାଧୀନ ବୈଦେଶିକ ନୀତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟାନକୁ ଚୀନ୍ ସ୍ୱାଗତ କରିଛି। ଭାରତ-ଚୀନ୍ ସମ୍ପର୍କ କୌଣସି ତୃତୀୟ ଦେଶ ଦ୍ୱାରା ପ୍ରଭାବିତ ନୁହେଁ ବୋଲି ବେଜିଂ କହିଛି। ଏହାକୁ ଦୁଇ ଦେଶର ସମ୍ପର୍କର ଭବିଷ୍ୟତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ବୋଲି ଚୀନ୍ ଦର୍ଶାଇଛି।ନୂଆଦିଲ୍ଲୀରେ ଅନୁଷ୍ଠିତ ୧୮ତମ BRICS ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଚୀନ୍ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ପ୍ରାୟ ୭ ବର୍ଷ ପରେ ଜିନପିଙ୍ଗଙ୍କ ଭାରତ ଗସ୍ତ ଏବଂ ଗତ ୩ ବର୍ଷ ମଧ୍ୟରେ ଦୁଇ ନେତାଙ୍କ ତୃତୀୟ ସାକ୍ଷାତ ଭାବେ ଏହାକୁ ଗୁରୁତ୍ୱ ଦିଆଯାଇଛି।
ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗୁଓ ଜିଆକୁନ କହିଛନ୍ତି ଯେ, ଦୁଇ ନେତାଙ୍କ ବୈଠକ ଭାରତ-ଚୀନ୍ ସମ୍ପର୍କକୁ ଆଗକୁ ବଢ଼ାଇବା ଦିଗରେ ଆଉ ଏକ ପ୍ରମୁଖ ପଦକ୍ଷେପ। ଚୀନ୍ ଓ ଭାରତ ପରସ୍ପରକୁ ପ୍ରତିଦ୍ୱନ୍ଦ୍ୱୀ ନୁହେଁ, ବରଂ ସହଯୋଗୀ ଭାବେ ଦେଖି ଆଗକୁ ବଢ଼ିବା ଆବଶ୍ୟକ ବୋଲି ସେ କହିଛନ୍ତି।
ଗୁଓଙ୍କ ଅନୁସାରେ, ମୋଦୀଙ୍କ ‘ଭାରତର ବୈଦେଶିକ ନୀତି ସ୍ୱାଧୀନ’ ମନ୍ତବ୍ୟକୁ ଚୀନ୍ ବେଶ୍ ଗୁରୁତ୍ୱ ଦେଉଛି। ଭାରତ ନିଜ ଭୂମିରୁ ଚୀନ୍ ବିରୋଧୀ କାର୍ଯ୍ୟକଳାପକୁ ଅନୁମତି ଦେବ ନାହିଁ ବୋଲି ମୋଦୀଙ୍କ ଆଭିମୁଖ୍ୟକୁ ମଧ୍ୟ ଚୀନ୍ ସକାରାତ୍ମକ ଭାବେ ଦେଖିଛି।
ସୀମା ବିବାଦ ଦୁଇ ଦେଶର ସମ୍ପର୍କରେ ଏକ ବଡ଼ ପ୍ରସଙ୍ଗ ହୋଇଥିଲେ ମଧ୍ୟ ଏହାକୁ ଉପଯୁକ୍ତ ଭାବେ ପରିଚାଳନା କରିବା ଏବଂ ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ନେଇ ଦୁଇ ପକ୍ଷ ସହମତ ହୋଇଥିବା ଚୀନ୍ କହିଛି।
ବୈଠକରେ ଅର୍ଥନୀତି, ବାଣିଜ୍ୟ ଓ ଦ୍ୱିପାକ୍ଷିକ ସହଯୋଗ ନେଇ ମଧ୍ୟ ଆଲୋଚନା ହୋଇଛି। ଦୁଇ ଦେଶ ପରସ୍ପରର ଅର୍ଥନୈତିକ ଚିନ୍ତାକୁ ସନ୍ତୁଳିତ ଭାବେ ସମାଧାନ କରିବା ସହ ସମ୍ପର୍କକୁ ଅଧିକ ସ୍ଥିର ଓ ମଜବୁତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। BRICS ଓ ଗ୍ଲୋବାଲ୍ ସାଉଥ୍ ଭଳି ବହୁପକ୍ଷୀୟ ମଞ୍ଚରେ ସହଯୋଗ ବଢ଼ାଇବା ସହ ଦୁଇ ଦେଶର ଲୋକଙ୍କ ମଧ୍ୟରେ ଯୋଗାଯୋଗ ଓ ଆଦାନ-ପ୍ରଦାନ ବଢ଼ାଇବା ନେଇ ମଧ୍ୟ ସହମତି ପ୍ରକାଶ ପାଇଛି।

