ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଉପରେ ଦେଶର ଯୁବପିଢ଼ିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚଳାଇବାର ଅଭିଯୋଗ ଆଣିଛନ୍ତି ସେ । ଏଥିସହ ଦିଲ୍ଲୀକୁ ଏକ କାରାଗାରରେ ପରିଣତ କରାଯାଇଥିବା କହି ସରକାରଙ୍କୁ କଟାକ୍ଷ କରିଛନ୍ତି ।
ଦିଲ୍ଲୀରେ ଚାଲିଥିବା ଛାତ୍ର ଓ ଯୁବ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଉପରେ ଦେଶର ଯୁବପିଢ଼ିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚଳାଇବାର ଅଭିଯୋଗ ଆଣିଛନ୍ତି ସେ । ଏଥିସହ ଦିଲ୍ଲୀକୁ ଏକ କାରାଗାରରେ ପରିଣତ କରାଯାଇଥିବା କହି ସରକାରଙ୍କୁ କଟାକ୍ଷ କରିଛନ୍ତି ।
ବିକ୍ଷୋଭ ପ୍ରଦର୍ଶନ କରୁଥିବା ଯୁବକ, ଛାତ୍ର ଓ ବିରୋଧୀ ନେତାଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ରାହୁଲ ନିନ୍ଦା କରିଛନ୍ତି । ତାଙ୍କ କହିବା ଅନୁଯାୟୀ, ଯୁବପିଢ଼ି ନିଜ ଅଧିକାର ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ରାସ୍ତାକୁ ଓହ୍ଲାଇଥିବା ବେଳେ ସରକାର ସେମାନଙ୍କ ସ୍ୱରକୁ ଦମନ କରିବାକୁ ଉଦ୍ୟମ କରୁଛନ୍ତି । ଶାନ୍ତିପୂର୍ଣ୍ଣ ପ୍ରତିବାଦ ଉପରେ ବଳପ୍ରୟୋଗ କରାଯାଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।
ଆନ୍ଦୋଳନକାରୀଙ୍କୁ ସମର୍ଥନ ଜଣାଇ ରାହୁଲ କହିଛନ୍ତି, ସରକାରଙ୍କ ପକ୍ଷରୁ ଲାଠିଚାଳନା କିମ୍ବା ଗିରଫଦାରୀ ହେଲେ ମଧ୍ୟ ଯୁବପିଢ଼ି ଭୟଭୀତ ହେବେ ନାହିଁ ଏବଂ ପଛଘୁଞ୍ଚା ଦେବେ ନାହିଁ। ଅନ୍ୟପକ୍ଷରେ, ଦିଲ୍ଲୀରେ ପୋଲିସ ମୁତୟନ ଓ ଆନ୍ଦୋଳନକାରୀଙ୍କୁ ଅଟକ ରଖାଯିବା ଘଟଣାକୁ ନେଇ ରାଜନୈତିକ ବୟାନବାଜି ଜୋର୍ ଧରିଛି । ସେପଟେ, ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନେତା ଆଦିତ୍ୟ ଠାକରେ ମଧ୍ୟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ବିଜେପି ଭୟ ଓ ଚାପରେ ରହିଥିବାରୁ ସାଧାରଣ ଲୋକ ଏବଂ ବିରୋଧୀ ନେତାଙ୍କୁ ଅଟକ ରଖୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଏଭଳି କାର୍ଯ୍ୟକୁ ସେ ଏକଛତ୍ରବାଦର ଉଦାହରଣ ବୋଲି କହିଛନ୍ତି ।
ଆଦିତ୍ୟଙ୍କ ଅଭିଯୋଗ ଅନୁଯାୟୀ, ଜନଆକ୍ରୋଶକୁ ଦେଖି ବିଜେପି ଭୟଭୀତ ହୋଇପଡ଼ିଛି ଏବଂ ନାଗରିକଙ୍କୁ ଅଟକ ରଖି ସେମାନଙ୍କ ସ୍ୱରକୁ ଚାପିବାକୁ ଉଦ୍ୟମ କରୁଛି । ଦେଶରେ ଗଣତନ୍ତ୍ରକୁ ଦୁର୍ବଳ କରି ଏକଛତ୍ରବାଦୀ ଶାସନ ଚଳାଇବାକୁ ପ୍ରୟାସ ହେଉଥିବା ମଧ୍ୟ ସେ ଅଭିଯୋଗ ଆଣିଛନ୍ତି ।

