ଟିଏମସିରେ ବିଦ୍ରୋହ ପରେ ଆଗକୁ କ’ଣ ? ବିଦ୍ରୋହୀ ଆପଣେଇବେ ମହାରାଷ୍ଟ୍ର ଫର୍ମୂଲା ?

ତୃଣମୂଳ କଂଗ୍ରେସ ସାଂସଦଙ୍କ ବିଦ୍ରୋହ ପରେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ଆଗକୁ ମମତା ବାନାର୍ଜୀଙ୍କ ଠାରୁ ଦଳର ନାଁ ଓ ଦଳୀୟ ଚିହ୍ନ ଛଡ଼େଇ ନେବେକି ବିଦ୍ରୋହୀ । କାରଣ ମହାରାଷ୍ଟ୍ରରେ ଶିବସେନା ଓ ଏନସିପିରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏବେ ଠିକ୍ ସେହିପରି ସ୍ଥିତି ତୃଣମୂଳ କଂଗ୍ରେସରେ ଆଗକୁ ଦେଖା ଦେଇପାରେ ।

ପଶ୍ଚିମବଙ୍ଗ ରାଜନୀତିରେ ମମତା ବାନାର୍ଜୀଙ୍କ ରାଜନୈତିକ ଦୁର୍ଗ ତାସ ପତା ଭଳି ଭୁଶୁଡ଼ି ପଡ଼ିଛି । କାକୋଳି ଘୋଷ ଓ ସୁଦୀପ ବନ୍ଦୋପଧ୍ୟାୟଙ୍କ ନେତୃତ୍ୱରେ ୨୦ ତୃଣମୂଳ କଂଗ୍ରେସ ସାଂସଦ ନିଜ ରାଜନୈତିକ ରାସ୍ତା ବାଛି ସାରିଛନ୍ତି । ଟିଏମସିର ବିଦ୍ରୋହୀ ନେତା ତ୍ରିପୁରାର ଏନସିପିଆଇରେ ବିଳୟ ଘୋଷଣା ପରେ ଆଗକୁ ଟିଏମସି ରାଜନୀତି କେଉଁ ରୁପ ନେବ ତା ଉପରେ ସମସ୍ତଙ୍କ ନଜର ରହିଛି ।

ଦିଲ୍ଲୀରେ ତୃଣମୂଳ କଂଗ୍ରେସ ସାଂସଦଙ୍କ ଏହି ବୈଠକ ଭିଡ଼ିଓ ପଶ୍ଚିମବଙ୍ଗ ରାଜନୀତିରେ ଭୂକମ୍ପ ଆଣି ଦେଇଛି । ଲୋକସଭା ବାଚସ୍ପତିଙ୍କୁ ଭେଟି ସଂସଦରେ ବସିବା ସ୍ଥାନ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏଥିସହ ତ୍ରିପୁରାର ଏନସିପିଆଇ ସହ ବିଳୟ ଘୋଷଣା କରିଛନ୍ତି ଟିଏମସିର ବିଦ୍ରୋହୀ ଗୋଷ୍ଠୀ । ବିଦ୍ରୋହର ନେତୃତ୍ୱ ନେଇଥିବା ସାଂସଦ କାକଳି ଘୋଷ ଓ ସୁଦୀପ ବନ୍ଦୋପାଧ୍ୟାୟ ଟିଏମସିର ଦୁଇ ତୃତୀୟାଂଶ ସାଂସଦ ଓ ୬୦ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି ।

ତୃଣମୂଳ କଂଗ୍ରେସ ସାଂସଦଙ୍କ ବିଦ୍ରୋହ ପରେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ଆଗକୁ ମମତା ବାନାର୍ଜୀଙ୍କ ଠାରୁ ଦଳର ନାଁ ଓ ଦଳୀୟ ଚିହ୍ନ ଛଡ଼େଇ ନେବେକି ବିଦ୍ରୋହୀ । କାରଣ ମହାରାଷ୍ଟ୍ରରେ ଶିବସେନା ଓ ଏନସିପିରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏବେ ଠିକ୍ ସେହିପରି ସ୍ଥିତି ତୃଣମୂଳ କଂଗ୍ରେସରେ ଆଗକୁ ଦେଖା ଦେଇପାରେ । ଆଉ ଏଭଳି ସମ୍ଭାବନାକୁ ବଳ ଦେଇଛି, ବିଦ୍ରୋହୀ ସାଂସଦ ସୁଦୀପ ବନ୍ଦୋପଧ୍ୟାୟଙ୍କ ବୟାନ । ଯଦି ସେପରି ହୁଏ ତେବେ ନିଜ ହାତରେ ତିଆରି କରିଥିବା ତୃଣମୂଳ କଂଗ୍ରେସ ମମତାଙ୍କ ହାତରୁ ଖସିଯାଇପାରେ ।

ସୁଦୀପ ବନ୍ଦୋପଧ୍ୟାୟ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ପାଖରେ ଦୁଇ ତୃତୀୟାଂଶ ସାଂସଦ, ବିଧାୟକଙ୍କ ସମର୍ଥନ ଥିବାରୁ ସେମାନେ ଅସଲି ଟିଏମସି । ଅନ୍ୟପଟେ ବିଦ୍ରୋହୀଙ୍କୁ ମାନ୍ୟତା ନଦେବାକୁ ଓମ ବିର୍ଲାଙ୍କୁ ଚିଠି ଲେଖିଛନ୍ତି ଅଭିଷେକ ବାନାର୍ଜୀ । ଏଥିରୁ ଜଣାପଡ଼ିଯାଉଛି ଆଗକୁ କିଏ ଅସଲି ଟିଏମସି ତାକୁ ନେଇ ଲଢ଼େଇ ହେବ । ବିଦ୍ରୋହୀଙ୍କ ଯୋଜନା କ’ଣ? ଜୁଲାଇରେ ସଂସଦର ଅଧିବେଶନ ଆରମ୍ଭ ହେଲେ ଦଳ ଉପରେ ଦାବିଦାର ଜଣାଇବେ । ଲୋକସଭା ବାଚସ୍ପତିଙ୍କ ଆଗରେ ବହୁମତ ଆଧାରରେ ତାଙ୍କୁ ଅସଲି ଟିଏମସି ଘୋଷଣା କରିବାକୁ ଦାବି ରଖିବେ । ଏହାପରେ ଦଳର ନାମ ଓ ଚିହ୍ନ ପାଇବାକୁ ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହେବାକୁ ଯୋଜନା କରିଛନ୍ତି ବିଦ୍ରୋହୀ ଗୋଷ୍ଠୀ । ନିର୍ବାଚନ କମିସନଙ୍କ ନିଷ୍ପତ୍ତି ଯାହା ସପକ୍ଷରେ ଆସିବ, ତୁରନ୍ତ ପ୍ରତିପକ୍ଷ ସୁପ୍ରିମକୋର୍ଟ ଯିବେ । ତେଣୁ ଆଗାମୀ ଦିନରେ ଦିଲ୍ଲୀରୁ କୋଲକତା ଯାଏଁ ଲମ୍ୱା ଆଇନଗତ ଲଢ଼େବ ଚାଲିବ ।

Leave a Reply

Your email address will not be published. Required fields are marked *