ଦୁର୍ନୀତିର ଚେର କେତେ ଦୂର ଲମ୍ବିଛି? ନେତା ଓ ଅଫିସର ମିଶି ଲୁଟିନେଲେ!

କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡାରେ ଖେଳ ପଡ଼ିଆରୁ ଖୋଳ କରିଦେଲେ । ଉନ୍ନତିକରଣ ନାଁରେ ମନରେଗା ଅର୍ଥ ହରିଲୁଟ୍‌ । କାଗଜପତ୍ରରେ କାମ ଚକାଚକ୍ଗ୍ରା । ଉଣ୍ଡ ଜିରୋରେ ଖାଲି ପଡ଼ିଆ । ଉଠିଲା ପ୍ରଶ୍ନ, କୁଆଡ଼େ ଗଲା ୧୦ ଲକ୍ଷ ଟଙ୍କା । ସରପଞ୍ଚ ଓ କର୍ମଚାରୀଙ୍କ ମଧୁଚନ୍ଦ୍ରିକାରେ ସରକାରୀ ଟଙ୍କା ଚଳୁ!

ସରକାର ଗାଁ ଗହଳିର ପ୍ରତିଭାଙ୍କୁ ଆଗକୁ ଆଣିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଖେଳ ପଡ଼ିଆ ତିଆରି କରୁଛନ୍ତି। ହେଲେ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକରୁ ଆସିଛି ସାଂଘାତିକ ଚିତ୍ର। କାଗଜପତ୍ରରେ ଖେଳ ପଡ଼ିଆ ଚକାଚକ୍, ହେଲେ ଗ୍ରାଉଣ୍ଡ ଜିରୋରେ ସବୁ ଫାଙ୍କା । ମନରେଗା ଯୋଜନାରେ ଆସିଥିବା ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଅଧିକାଂଶ ଅର୍ଥ ହରିଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। କେମିତି ଚାଲିଛି ଗୋଳାମୁଣ୍ଡା ବ୍ଲକ ଚିଚିଆ ପଞ୍ଚାୟତରେ ସରକାରୀ ଅର୍ଥର ଶ୍ରାଦ୍ଧ? 

କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଚିଚିଆ ପଞ୍ଚାୟତର ଶିବମନ୍ଦିର ଖେଳ ପଡ଼ିଆ ଏବେ ଦୁର୍ନୀତିର ବଡ଼ ଉଦାହରଣ ସାଜିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଏହି ପଡ଼ିଆର ଉନ୍ନତୀକରଣ ପାଇଁ ମନରେଗା ଯୋଜନାରେ ୧୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ସରକାରୀ ଖାତାରେ ଶ୍ରମିକ ମଜୁରୀ ବାବଦକୁ ୫ ଲକ୍ଷ ୭୦ ହଜାର, ଗାଁ ସାଥୀ ପାଇଁ ୧ ହଜାର ୮ ଶହ ଏବଂ ନିର୍ମାଣ ସାମଗ୍ରୀ ପାଇଁ ୪ ଲକ୍ଷ ୧୪ ହଜାର ଟଙ୍କା ଉଠାଣ ସରିଛି। ହେଲେ ଗ୍ରାଉଣ୍ଡ ଜିରୋରେ କେବଳ ସାମାନ୍ୟ ମାଟି ପକାଇ ସମତୁଲ କରିଦେବା ଛଡ଼ା ଆଉ କୌଣସି କାମ ହୋଇନଥିବା ଅଭିଯୋଗ କରିଛନ୍ତି କ୍ରୀଡ଼ାବିତ।

ମନରେଗା ଯୋଜନାରେ ମହାଦୁର୍ନୀତିର ବଡ଼ ପ୍ରମାଣ ହେଉଛି ଏହି ସୂଚନା ଫଳକ। ନିୟମ ଅନୁଯାୟୀ କାମ କଣ ହେଉଛି ତାହା ବୋର୍ଡରେ ଲେଖାଯିବା କଥା, ହେଲେ ଏଠି ବୋର୍ଡ ତ ଲାଗିଛି କିନ୍ତୁ ସେଥିରେ କିଛି ଲେଖା ନାହିଁ। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ଏହି ଅଭିଯୋଗକୁ ସିଧାସଳଖ ପ୍ରତ୍ୟାଖାନ କରିଛନ୍ତି ଚିଚିଆ ସରପଞ୍ଚ। 
 

ସରପଞ୍ଚ କାମ ଠିକ୍ ହୋଇଛି ବୋଲି କହୁଥିବା ବେଳେ ଖେଳାଳି ଓ ଗ୍ରାଉଣ୍ଡର ସ୍ଥିତି କିନ୍ତୁ ଭିନ୍ନ କାହାଣୀ ବୟାନ କରୁଛି। କେବଳ ଏହି ଖେଳ ପଡ଼ିଆ ନୁହେଁ, ବରଂ ଚିଚିଆ ପଞ୍ଚାୟତରେ ମନରେଗା ଯୋଜନାରେ ହୋଇଥିବା ଅନ୍ୟାନ୍ୟ କାର୍ଯ୍ୟର ଯଦି ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଏ, ତେବେ ଅନେକ ବଡ଼ ବଡ଼ କେଳେଙ୍କାରୀ ସାମ୍ନାକୁ ଆସିବ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।  

Leave a Reply

Your email address will not be published. Required fields are marked *