ଓଡ଼ିଶାର ୭୦୭ ଦୁର୍ଗମ ଗାଁରେ ବସିବ ୪ଜି ଟାୱାର, ଜମି ହସ୍ତାନ୍ତର ପାଇଁ ଜିଲ୍ଲାପାଳଙ୍କୁ ଜରୁରୀ ନିର୍ଦ୍ଦେଶ । ରାଜ୍ୟର ଦୁର୍ଗମ, ଆଦିବାସୀ ଓ ଟେଲିକମ୍ ସେବାରୁ ବଞ୍ଚିତ ଅଞ୍ଚଳଗୁଡ଼ିକରେ ଡିଜିଟାଲ ସଂଯୋଗକୁ ସୁଦୃଢ଼ କରିବା ଦିଗରେ ଓଡ଼ିଶା ସରକାର ବଡ଼ ପଦକ୍ଷେପ ନେଇଛନ୍ତି ।
ଓଡ଼ିଶାର ୭୦୭ ଦୁର୍ଗମ ଗାଁରେ ବସିବ ୪ଜି ଟାୱାର, ଜମି ହସ୍ତାନ୍ତର ପାଇଁ ଜିଲ୍ଲାପାଳଙ୍କୁ ଜରୁରୀ ନିର୍ଦ୍ଦେଶ । ରାଜ୍ୟର ଦୁର୍ଗମ, ଆଦିବାସୀ ଓ ଟେଲିକମ୍ ସେବାରୁ ବଞ୍ଚିତ ଅଞ୍ଚଳଗୁଡ଼ିକରେ ଡିଜିଟାଲ ସଂଯୋଗକୁ ସୁଦୃଢ଼ କରିବା ଦିଗରେ ଓଡ଼ିଶା ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଡିଜିଟାଲ ଭାରତ ନିଧି ଅନୁଦାନପ୍ରାପ୍ତ ୪ଜି ସାଚୁରେସନ ପ୍ରକଳ୍ପ ଅଧୀନରେ ରାଜ୍ୟର ୨୪ଟି ଜିଲ୍ଲାର ୭୦୭ଟି ନୂଆ ସ୍ଥାନରେ ମୋବାଇଲ ଟାୱାର ସ୍ଥାପନ କରାଯିବ । ଆବଶ୍ୟକ ସରକାରୀ ଜମି ଶୀଘ୍ର ଉପଲବ୍ଧ କରାଇବାକୁ ଜିଲ୍ଲାପାଳମାନଙ୍କୁ ଜରୁରୀ ଭିତ୍ତିରେ ନିର୍ଦ୍ଦେଶ ଦିଆଯାଇଛି । ବିଭାଗୀୟ ଶାସନ ସଚିବ ବିଶାଳ କୁମାର ଦେବ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖିଛନ୍ତି ।
ପ୍ରତ୍ୟେକ ସ୍ଥାନରେ ପ୍ରାୟ ୨ହଜାର ବର୍ଗଫୁଟ ସରକାରୀ ଜମିର ଅଗ୍ରୀମ ଦଖଲ ବିଏସଏନଏଲକୁ ଦେବା ସହ ନୋ ଅବଜେକ୍ସନ ସର୍ଟିଫିକେଟ୍ ଜାରି କରିବାକୁ କୁହାଯାଇଛି । ଏହାଦ୍ୱାରା ଟାୱାର ସ୍ଥାପନ କାର୍ଯ୍ୟ ତୁରନ୍ତ ଆରମ୍ଭ ହୋଇପାରିବ । ରାଜ୍ୟରେ ଏପର୍ଯ୍ୟନ୍ତ ୩ହଜାର ୬୦୨ଟି ଟେଲିକମ୍ ଟାୱାର କାର୍ଯ୍ୟକ୍ଷମ ହୋଇଥିବାବେଳେ ଆଉ ୬୮୩ଟି ଟାୱାରର ନିର୍ମାଣ କାମ ଚାଲିଛି । ବର୍ତ୍ତମାନ ୮୯୪ଟି ନୂଆ ସ୍ଥାନ ପାଇଁ ମଞ୍ଜୁରି ମିଳିଥିବାବେଳେ ୭୦୭ଟି ସ୍ଥାନରେ ଜମି ବଣ୍ଟନ ଅପେକ୍ଷାରେ ରହିଛି । ଏହି ପ୍ରକଳ୍ପ ସଫଳ ହେଲେ ରାଜ୍ୟର ହଜାର ହଜାର ଗ୍ରାମବାସୀ ପ୍ରଥମ ଥର ପାଇଁ ଉନ୍ନତ ମୋବାଇଲ ଓ ଇଣ୍ଟରନେଟ୍ ସେବାର ସୁବିଧା ପାଇବେ । ଏହାଦ୍ୱାରା ଅନଲାଇନ୍ ଶିକ୍ଷା, ଟେଲିମେଡିସିନ୍, ଡିଜିଟାଲ ବ୍ୟାଙ୍କିଂ, ଇ-ଗଭର୍ନାନ୍ସ ସେବା ଏବଂ ଜରୁରୀକାଳୀନ ସଂଯୋଗ ବ୍ୟବସ୍ଥା ଅଧିକ ସୁଲଭ ହେବ। ସେହିପରି ଦୁର୍ଗମ ଅଞ୍ଚଳ ଓ ମୁଖ୍ୟଧାରା ମଧ୍ୟରେ ଥିବା ଡିଜିଟାଲ ବ୍ୟବଧାନକୁ କମାଇବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।

